ନୂଆଦିଲ୍ଲୀ, ୩।୮ : ଦୁଇ ଦିନ ଧରି ଲୋକ ସଭା ଓ ରାଜ୍ୟ ସଭାରେ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା ହେବା ପରେ ବୁଧବାର ଶିବସେନା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସଭାରେ ଇଡି ଦ୍ୱାରା ସଞ୍ଜୟ ରାଉତଙ୍କୁ ଗିରଫ କରିବା ପ୍ରସଙ୍ଗ ଉଠାଇଥିଲେ। ମହାରାଷ୍ଟ୍ରରେ ଆଇନ ଏବଂ ସମ୍ବିଧାନକୁ ଅଣଦେଖା କରାଯାଉଥିବା ପ୍ରିୟଙ୍କା କହିଛନ୍ତି।
ଏଥି ସହ ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ସିବିଆଇ, ଇଡି, ଆୟକର ଭଳି ଏଜେନ୍ସିର ଅପବ୍ୟବହାର ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଇଡି, ସିବିଆଇ, ଆୟକର ଭଳି ସ୍ବୟଂଶାସିତ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି।
ରାଜନୈତିକ ବିରୋଧୀଙ୍କ ପ୍ରତି ସରକାର ଭେଦଭାବ କରୁଛନ୍ତି। ଗଣତାନ୍ତ୍ରିକ ସରକାରକୁ ହଟାଇବା ପାଇଁ କାର୍ଯ୍ୟ କରାଯାଉଛି। ଏହା ଦ୍ୱାରା ଭାଜପା ସରକାର ଗଣତନ୍ତ୍ରକୁ ସଙ୍କଟ ମୁହାଁ କରୁଥିବା ମଲ୍ଲିକାର୍ଜୁନ ଅଭିଯୋଗ କରିଛନ୍ତି।