ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍‌ଜା କଲା ତାଲିବାନ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ ସୀମା ଦଖଲ କରିଛନ୍ତି। ଏହାକୁ ଆଫଗାନିସ୍ତାନର ତିନିଜଣ ଅଧିକାରୀ ନିଶ୍ଚିତ କରିଛନ୍ତି। ତାଲିବାନ ଆତଙ୍କବାଦୀମାନେ କାବୁଲର କାଲାକାନ, କରାବାଗ ଏବଂ ପାଗମାନ ଜିଲାକୁ ପ୍ରବେଶ କରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଆରମ୍ଭ କରିଛନ୍ତି। ଏହାସହ ତାଲିବାନର ନମ୍ବର-୨ ନେତା ମୁଲା ବରାଦର ଏବଂ ଆଫଗାନିସ୍ତାନର ରାଷ୍ଟ୍ରପତି ଅଶରଫ ଘନିଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ପାଇଁ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ, ଦୁଇ ଦଶନ୍ଧି ଧରି ଯୁଦ୍ଧ ପରେ ଆଫଗାନିସ୍ତାନରୁ ଆମେରିକୀୟ ଏବଂ ନାଟୋ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର ପୂର୍ବରୁ ତାଲିବାନ ସବୁ ଦିଗରୁ ଦେଶ ଦଖଲ କରିଆସୁଛି। ଏଥି ସହ ଉଗ୍ରବାଦୀ ସଂଗଠନ ରବିବାର ସକାଳେ ରାଜଧାନୀ କାବୁଲର ଉପକଣ୍ଠରେ ପ୍ରବେଶ କରିବା ପୂର୍ବରୁ ଜାଲାଲାବାଦ ସହରକୁ କାବୁ କରିଥିଲା।

Share