Categories: ଜାତୀୟ

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଉପରେ ପଥରମାଡ଼

ପାଟନା,୧୭।୫: କେନ୍ଦ୍ର ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ଶୁକ୍ରବାର ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସକାଳୁ ଯୁବକମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉତ୍ତରପ୍ରଦେଶ ଓ ବିହାର ସମେତ ଅନେକ ରାଜ୍ୟର ରେଲଓ୍ବେ ଷ୍ଟେସନ ଓ ସରକାରୀ ସମ୍ପତ୍ତିଗୁଡ଼ିକୁ ଭାଙ୍ଗିବା ସହ ଜାଳିପୋଡ଼ି ନଷ୍ଟ କରିଦେଉଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ବିହାରର ବେଟିୟାରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉପଦ୍ରବକାରୀମାନେ ସୁପ୍ରିୟା ରୋଡରେ ଯାନବାହାନ ଭଙ୍ଗାରୁଜା କରିବା ସହ ଉପ-ମୁଖ୍ୟମନ୍ତ୍ରୀ ରେଣୁୁ ଦେବୀଙ୍କ ବାସଭବନ ଉପରେ ମଧ୍ୟ ପଥରମାଡ଼ କରିଛନ୍ତି। ଫଳରେ ତାଙ୍କ ଘରର କାଚ ଭାଙ୍ଗିଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିକ୍ଷୋଭକାରୀଙ୍କୁ ଆୟତ୍ତ କରି ସେଠାରୁ ଘଉଡାଇଦେଇଥିଲେ। ସୂଚନା ମୁତାବକ ଉପ-ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଭଡ଼ାଟିଆ ଏବଂ ଅନ୍ୟ କର୍ମଚାରୀମାନେ ବାସ କରନ୍ତି। ଅନ୍ୟପଟେ ରେଲଓ୍ବେ ଷ୍ଟେସନରେ ମଧ୍ୟ ବିକ୍ଷୋଭକାରୀ ଠିଆହୋଇଥିବା ଟ୍ରେନରେ ନିଆଁ ଲଗାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

Share