Categories: ଜାତୀୟ

ସୁପ୍ରିମକୋର୍ଟରେ ‘ଅଗ୍ନିପଥ’

ନୂଆଦିଲ୍ଲୀ,୨୨ା୬: ସେନାରେ ଠିକା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ‘ଅଗ୍ନିପଥ’ ଯୋଜନାକୁ ବିରୋଧ ଥମିବାର ନାଁ ଧରୁନି। ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ ପରେ ଏହି ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି। ଦେଶରେ ଆଇନ ଶୃଙ୍ଖଳା ବଜାୟ ସହ ଯୁବପିଢିଙ୍କୁ ସେମାନଙ୍କ ଭବିଷ୍ୟତ ନେଇ ମତ ରଖିବା ସୁଯୋଗ ପ୍ରଦାନ କରାଯିବା ପାଇଁ ସର୍ବୋଚ୍ଚ ଅଦାଲତରେ ଆବେଦନ ହୋଇଛି। ଅଗ୍ନିପଥ ବିରୋଧରେ ଆଇନଜୀବୀଙ୍କ ପକ୍ଷରୁ ମୋଟ ୩ ପିଟିଶନ ଦାଖଲ ହୋଇଛି। ଆଡ୍‌ଭୋକେଟ୍‌ ହର୍ଷ ଅଜୟ ସିଂ ସୋମବାର ଦାଖଲ କରିଥିବା ପିଟିଶନରେ ‘ଅଗ୍ନିପଥ’ ଯୋଜନାର ପୁନର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ନିବେଦନ କରାଯାଇଛି। ସେହିପରି କେନ୍ଦ୍ର ସରକାର ମଧ୍ୟ ଅଗ୍ନିପଥକୁ ନେଇ ସୁପ୍ରିମକୋର୍ଟରେ କେଭିଏଟ୍‌ ଫାଇଲ କରିଛନ୍ତି। ଏହି ଯୋଜନାକୁ ଚ୍ୟାଲେଞ୍ଜ କରି ଆଗତ ଆବେଦନ ଉପରେ କୌଣସି ରାୟ ଦେବା ପୂର୍ବରୁ ସର୍ବୋଚ୍ଚ ଅଦାଲତ ସରକାରଙ୍କ ପକ୍ଷ ଶୁଣିବାକୁ କେନ୍ଦ୍ର ନିଜ ପିଟିଶନରେ ଦର୍ଶାଇଛି।
ସିଂ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି, ୪ ବର୍ଷ କାର୍ଯ୍ୟ କରି ଅବସର ପରେ ଅଗ୍ନିବୀରଙ୍କ ନିମନ୍ତେ ଚାକିରି ଉପଲବ୍ଧ ପାଇଁ ‘ଅଗ୍ନିପଥ’ ଯୋଜନାରେ ସଂଶୋଧନ ଅଣାଯାଉ। ଏ ନେଇ ସାମରିକ ବ୍ୟାପାର ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚନା ଦେବା ନିମନ୍ତେ ଏକ କମିଟି ଗଠନ ସହ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ମତ ଏବଂ ପରାମର୍ଶକୁ ଗ୍ରହଣ କରାଯାଉ। ସର୍ବୋଚ୍ଚ ଅଦାଲତ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବାକୁ ଏହି ପିଟିଶନରେ ନିବେଦନ କରାଯାଇଛି। ‘ଅଗ୍ନିପଥ’ ଏକ ଅଧାପନ୍ତରିଆ ଯୋଜନା ଏବଂ ଏଥିରେ ଅନେକ ସଂସ୍କାର ଅଣାଯିବା ଆବଶ୍ୟକ। ୪ ବର୍ଷର ନିଯୁକ୍ତି ଭାରତୀୟ ସଶସ୍ତ୍ର ବଳର ମୂଲ୍ୟ ଓ ନୈତିକତା ବୃଦ୍ଧି ପାଇଁ ଯଥେଷ୍ଟ ନୁହେଁ ଏବଂ ତାଲିମ୍‌ପ୍ରାପ୍ତ ଅଗ୍ନବୀର ଅବସର ପରେ ବାଟବଣା ହେବାର ମଧ୍ୟ ଆଶଙ୍କା ରହିଛି ବୋଲି ଅଜୟ ସିଂ କହିଛନ୍ତି। ଏହା ପୂର୍ବରୁ ଆଇନଜୀବୀ ବିଶାଲ ତିଓ୍ବାରୀ ଦାଖଲ କରିଥିବା ପିଟିଶନରେ ଅଗ୍ନିପଥ ବିରୋଧୀ ଆନ୍ଦୋଳନରେ ସର୍ବସାଧାରଣଙ୍କ ସମ୍ପତ୍ତି କ୍ଷୟକ୍ଷତିର ଯାଞ୍ଚ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ ନିମନ୍ତେ ନିବେଦନ କରିଛନ୍ତି। ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାର, ଉତ୍ତରପ୍ରଦେଶ, ତେଲଙ୍ଗାନା, ବିହାର, ହରିୟାଣା ଏବଂ ରାଜସ୍ଥାନ ସରକାରଙ୍କୁ ଏ ବାବଦରେ ଷ୍ଟାଟସ ରିପୋର୍ଟ ମାଗନ୍ତୁ ବୋଲି ପିଟିଶନରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ର ସରକାର ସେନାରେ ନିଯୁକ୍ତି ପାଇଁ ଶତାବ୍ଦୀ ପୁରୁଣା ଚୟନ ପ୍ରକ୍ରିୟା ରଦ୍ଦ କରି ସଂସଦର ବିନା ଅନୁମତିରେ ଅସାମ୍ବିଧାନିକ ଭାବେ ‘ଅଗ୍ନିପଥ’ ଯୋଜନା ଆଣିଥିବା ନେଇ ଆଡ୍‌ଭୋକେଟ ଏମ୍‌. ଏଲ୍‌ ଶର୍ମା ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ କରିଛନ୍ତି। ଏହା ବେଆଇନ ବୋଲି ଅଭିଯୋଗ କରି ଜୁନ୍‌ ୧୪ରେ କେନ୍ଦ୍ର ସରକାର ଘୋଷଣା କରିଥିବା ଅଗ୍ନିପଥ ଯୋଜନା ବାବଦ ବିଜ୍ଞପ୍ତିକୁ ବାତିଲ କରିବା ନିମନ୍ତେ ସେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି।

Share