Categories: ଜାତୀୟ

ମିଥ୍ୟା ଖବର ପ୍ରସାରକୁ ନେଇ ସରକାରଙ୍କ ବଡ଼ ପଦକ୍ଷେପ: ୩୫ ହ୍ବାଟସଆପ ଗ୍ରୁପ ବ୍ୟାନ୍‌, ୧୦ ଗିରଫ

ନୂଆଦିଲ୍ଲୀ,୧୯।୬: ଅଗ୍ନିପଥ ଯୋଜନାକୁ ନେଇ ଦେଶର ଅନେକ ରାଜ୍ୟରେ ଯୁବକମାନେ ବିରୋଧ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ୩ ସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରି ସମସ୍ତ ସନ୍ଦେହ ଦୂର କରାଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରସାରିତ ହେଉଛି। ଏଥିପାଇଁ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଅଗ୍ନିପଥ ଯୋଜନା ସମ୍ପର୍କରେ ମିଥ୍ୟା ଖବର ପ୍ରଚାର କରୁଥିବା ବିରୋଧରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମିଥ୍ୟା ଖବର ପ୍ରଚାର କରି ଆନ୍ଦୋଳନକୁ ଉସକାଉଥିବା ଅଭିଯୋଗରେ ୩୫ଟି ହ୍ବାଟସଆପ ଗ୍ରୁପକୁ ବ୍ୟାନ କରାଯାଇଛି। ସେହିପରି ଯୁବକମାନଙ୍କୁ ହିଂସା ସୃଷ୍ଟି କରିବା ପାଇଁ ପ୍ରବର୍ତ୍ତାଉ ଥିବା ୧୦ ଜଣଙ୍କୁ ଗିରଫ କରାଯାଇଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଏହାସହ ହ୍ବାଟସଆପ୍‌ରେ ପ୍ରଚାର ହେଉଥିବା ଖବରର ଯାଞ୍ଚ ପାଇଁ କେନ୍ଦ୍ର ସରକାର ୮୭୯୯୭୧୧୨୫୯ ନମ୍ବର ମଧ୍ୟ ଜାରି କରିଛନ୍ତି। ଏହି ନମ୍ବର ଦ୍ୱାରା ଲୋକମାନେ ଅଗ୍ନିପଥ ଯୋଜନା ସମ୍ପର୍କରେ ଉପଯୁକ୍ତ ତଥ୍ୟ ହାସଲ କରିପାରିବେ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆରମ୍ଭ କରିବାକୁ ଘୋଷଣା କରାଯାଇଛି। ଏହି ଯୋଜନା ଅଧୀନରେ, ଇଚ୍ଛୁକ ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯିବ। ଏହାକୁ ବିରୋଧ କରି ଛାତ୍ରମାନେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି। ଏହାସହ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି।

Share