ଲକ୍ଷ୍ନୌ,୧।୧: ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ଦିର ଉଦ୍ଘାଟନ କରିବେ। ଏଭଳିସ୍ଥିତିରେ ରାମଲାଲାଙ୍କ ପ୍ରତିମା ପାଇଁ ଆଗ୍ରାରେ ଜଣେ ମହିଳା ପୋଷାକ ତିଆରି କରୁଥିବା ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ଆଗ୍ରାର ଦୟାଲବାଗ ବାସିନ୍ଦା ଏକତା ନାମ୍ନୀ ଜଣେ ମହିଳା କହିଛନ୍ତି, ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ତାରିଖ ଘୋଷଣା ପରଠୁ ସେ ରାମଲାଲାଙ୍କ ରେଶମ ଏବଂ ପଶମ ବସ୍ତ୍ର ତିଆରି ଆରମ୍ଭ କରି ଦେଇଛନ୍ତି। ସେ ତିଆରି କରିଥିବା ବସ୍ତ୍ର ଉଦ୍ଘାଟନୀ ଦିନ ରାମଲାଲାଙ୍କୁ ପିନ୍ଧାଇବା ଲାଗି ଚୟନ କରାଯିବ ବୋଲି ସେ ଆଶା କରିଛନ୍ତି। ଏପରିକି ପ୍ରତିମା ପାଇଁ ସେ ଏକାଧିକ ବସ୍ତ୍ର ତିଆରି କରିଥିବା କହିଛନ୍ତି। ଜାନୁୟାରୀ ୨୨ରେ ମନ୍ଦିର ଟ୍ରଷ୍ଟକୁ ଏହି ଉପହାର ପ୍ରଦାନ କରିବେ ବୋଲି ଏକତା କହିଛନ୍ତି। ଏପରିକି ପ୍ରାଣପ୍ରତିଷ୍ଠା ଦେଖିବା ଲାଗି ସେ ଏବଂ ତାଙ୍କ ପରିବାର ଲୋକେ ଅଯୋଧ୍ୟା ଯିବା ଲାଗି ପ୍ରସ୍ତୁତି କରୁଛନ୍ତି।