ବିଶ୍ୱତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ପାଇଁ ସହମତି

ରୋମ୍‌, ୧।୧୧: ବିଶ୍ୱ ତାପନ ପ୍ରାକ୍‌ ଶିଳ୍ପାୟନ ସ୍ତରଠାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଊର୍ଦ୍ଧ୍ୱରେ ସୀମିତ ରଖିବା ଆବଶ୍ୟକତା ଉପରେ ଜି-୨୦ ସମିଟ୍‌ରେ ୨୦ ସଦସ୍ୟ ରାଷ୍ଟ୍ର ସହମତ ହୋଇଛନ୍ତି। ୨୦୧୫ ପ୍ୟାରିସ୍‌ ଚୁକ୍ତିନାମାରେ ବିଶ୍ୱ ଉତ୍ତାପ ବୃଦ୍ଧିକୁ ୧.୫ ଡିଗ୍ରୀ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏହାକୁ କଡ଼ାକଡ଼ି ପାଳନ କରିବା ଉପରେ ଜି-୨୦ ବୈଠକରେ ଗୁରୁତ୍ୱ ଦିଆଯିବା ସହ କଠୋର ଶବ୍ଦରେ ଉଲ୍ଲେଖ କରାଯାଇଛି। ଗ୍ଲାସ୍‌ଗୋରେ ରବିବାରଠାରୁ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ ହୋଇଥିବାବେଳେ ଏହା ପୂର୍ବରୁ ଜି-୨୦ର ଉପରୋକ୍ତ ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ। ଏହି ୨୦ ଅର୍ଥନୀତି ସମୃଦ୍ଧ ରାଷ୍ଟ୍ର ପାଖାପାଖି ୮୦ ପ୍ରତିଶତ ଅଙ୍ଗାରକାମ୍ଳ ନିର୍ଗମନ କରିଥାନ୍ତି। ବିଶ୍ୱ ତାପନ କମାଇବା ଦିଗରେ କାର୍ଯ୍ୟ କରିବା ପାଇଁ ସେମାନଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିବାରୁ ଜଳବାୟୁ ପରିବର୍ତ୍ତନ ରୋକିବାରେ ଏହା ଯଥେଷ୍ଟ ସହାୟକ ହୋଇପାରିବ ବୋଲି କୁହାଯାଉଛି। ସମିଟ୍‌ର ଦ୍ୱିତୀୟ ଦିନରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘି ଜଳବାୟୁ ସମ୍ପର୍କରେ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିବା ସହ ପ୍ରତିପକ୍ଷମାନଙ୍କୁ ଲକ୍ଷ୍ୟ ଉଚ୍ଚ ରଖିବାକୁ ଆହ୍ବାନ ଦେଇଥିଲେ। ବିଶ୍ୱ ତାପନ ବୃଦ୍ଧି ୧.୫ ଡିଗ୍ରୀରେ ସୀମିତ ରଖିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଗଲେ ୨୦୩୦ ବେଳକୁ ଅଙ୍ଗାରକାମ୍ଳ ନିର୍ଗମନ ୫୦ ପ୍ରତିଶତ ହ୍ରାସ ପାଇବା ସହ ୨୦୫୦ ବେଳକୁ ଶୂନରେ ପହଞ୍ଚତ୍ପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଶନିବାରଠାରୁ ଆରମ୍ଭ ହୋଇଥିବା ଜି-୨୦ ସମିଟ୍‌ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇ କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ବିଶ୍ୱ ସମୁଦାୟର ସହଯୋଗାତ୍ମକ ଆଭିମୁଖ୍ୟ ଆବଶ୍ୟକ ବୋଲି କହିଥିଲେ। ଗରିବ ଦେଶଗୁଡ଼ିକୁ କୋଭିଡ୍‌ ଟିକା ଯୋଗାଇଦେବା ଲାଗି ବୈଠକରେ ଆହ୍ବାନ ଦିଆଯାଇଥିଲା। ଭାରତ ୨୦୨୨ ଶେଷ ସୁଦ୍ଧା ୫୦୦ କୋଟି ଡୋଜ୍‌ ପ୍ରସ୍ତୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଧନୀ ରାଷ୍ଟ୍ରଗୁଡ଼ିକରେ ୭୦% ଲୋକ ଟିକା ନେଇଥିବାବେଳେ ଗରିବ ଦେଶରେ ମାତ୍ର ୩%ଙ୍କୁ ଏହି ସୁଯୋଗ ମିଳିଛି। ନୈତିକତା ଦୃଷ୍ଟିରୁ ଏହା ଆଦୌ ଗ୍ରହଣୀୟ ନୁହେଁ । ତେଣୁ ଧନୀ ରାଷ୍ଟ୍ରଗୁଡ଼ିକ ଗରିବ ଦେଶକୁ ଅଧିକ ଟିକା ଯୋଗାଇଦେବା ଲାଗି ଦୁଇଗୁଣ ଉଦ୍ୟମ କରିବାକୁ ଇଟାଲୀ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଥିଲେ। ଜି-୨୦ ସଦସ୍ୟ ରାଷ୍ଟ୍ରଗୁଡ଼ିକର ୧୫% ସର୍ବନିମ୍ନ କର୍ପୋରେଟ୍‌ ଟିକସ ଯୋଜନାକୁ ମୋଦି ସ୍ବାଗତ କରିଥିଲେ।

Share