Categories: ଖେଳ

କିସ୍‌ ଓ ଏଫ୍‌ଆଇଭିବି ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୪।୧୨: ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘ (ଏଫ୍‌ଆଇଭିବି) ମଧ୍ୟରେ ସୋମବାର ସୁଇଜରଲାଣ୍ଡଠାରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି। କିସ୍‌ ପକ୍ଷରୁ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଏଫ୍‌ଆଇଭିବି ସଭାପତି ଆରି ଗ୍ରାକା ଏହି ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି। ବୁଝାମଣା ଅନୁସାରେ ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲର ପ୍ରସାର ନିମନ୍ତେ କିସ୍‌ ନୋଡାଲ୍‌ ଏଜେନ୍ସି ଭାବେ କାର୍ଯ୍ୟ କରିବ। କିସ୍‌ ଓ ଏଫ୍‌ଆଇଭିବି ମିଳିତ ଭାବେ ଭାରତ ଓ ଦକ୍ଷିଣ ଏସିଆରେ ବିଦ୍ୟାଳୟସ୍ତରରେ ଭଲିବଲର ପ୍ରସାର ଲକ୍ଷ୍ୟରେ କାର୍ଯ୍ୟ କରିବେ। ଏହା ସହିତ କିସ୍‌ ଭଲିବଲ୍‌ ତାଲିମ୍‌ ଓ ଅନ୍ୟ କ୍ରୀଡ଼ା ସମ୍ପର୍କିତ ଶିକ୍ଷା ସୁବିଧାର ନଲେଜ ହବ୍‌ରେ ପରିଣତ ହେବ। କୌଣସି ଶିକ୍ଷାନୁଷ୍ଠାନ ସହ ଏଭଳି ବୁଝାମଣା ହେବାରେ କିସ୍‌ ବିଶ୍ୱର ପ୍ରଥମ ଅନୁଷ୍ଠାନ। ଏଫ୍‌ଆଇଭିବି ଭଲିବଲ୍‌ ପାଇଁ ସମସ୍ତ କ୍ରୀଡ଼ା ଉପକରଣ ଯୋଗାଇ ଦେବ।
ବୁଝାମଣା ଅବସରରେ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘର ସଭାପତି ଆରି ଗ୍ରାକା କହିଲେ, ଭାରତ ଓ ଦକ୍ଷିଣ ଏସିଆରେ ଭଲିବଲ୍‌ ଓ ବିଚ୍‌ ଭଲିବଲର ପ୍ରସାର ନିମନ୍ତେ କିସ୍‌ ସହ ମିଶି କାମ କରିବାର ସୁଯୋଗ ମିଳିଲା। ଏହି ଉଦ୍ୟମ ଦ୍ୱାରା ଭଲିବଲ୍‌ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶ ଓ ବିଶେଷ କରି ପିଲାମାନଙ୍କୁ ଏକାଠି କରାଯାଇପାରିବ। କିସ୍‌କୁ ଏଥିପାଇଁ ନୋଡାଲ୍‌ ଏଜେନ୍ସି କରାଯାଇଥିବାରୁ ଗ୍ରାକା ଓ ଅନ୍ତର୍ଜାତୀୟ ଭଲିବଲ୍‌ ସଂଘକୁ ଅଚ୍ୟୁତ ଧନ୍ୟବାଦ ଜଣାଇଥିଲେ। ଏହା ଦ୍ୱାରା ଭାରତ ବିଶେଷ କରି ଓଡ଼ିଶାର ବାଳିକାମାନେ କିଭଳି ଅଧିକରୁ ଅଧିକ ଭଲିବଲ୍‌ ଖେଳିବେ ସେ ଦିଗରେ ଗୁରୁତ୍ୱ ଦିଆଯିବ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିଆସୁଛନ୍ତି। ତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ଆମେ ଏଭଳି କାର୍ଯ୍ୟ କରିପାରୁଛୁ ବୋଲି ଅଚ୍ୟୁତ କହିଥିଲେ।

Share