ଭୁବନେଶ୍ୱର, ୨୬।୮ (ବ୍ୟୁରୋ):କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ (କିସ୍) ଏବଂ ନାଭି ଓ୍ବେଲ୍ଫେୟାର ଓ ଓ୍ବେଲ୍ନେସ୍ ଆସୋସିଏଶନ (ନଓ୍ବା) ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। କିସ୍ ପକ୍ଷରୁ କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ନଓ୍ବା ପକ୍ଷରୁ ଏହାର ସଭାପତି କାଲା ହରିକୁମାର ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ବୁଝାମଣା ଅନୁଯାୟୀ, କିସ୍ ଓ ନଓ୍ବା ମିଳିତ ଭାବେ ଜନଜାତି ଶିଶୁଙ୍କ କଲ୍ୟାଣ, ଆତ୍ମନିର୍ଭରତା, ମହିଳା ସଶକ୍ତୀକରଣ, ଶୈକ୍ଷିକ ବିନିମୟ କାର୍ଯ୍ୟକ୍ରମ ଆଦିର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବେ। କିସ୍ର ଜନଜାତି ଛାତ୍ରୀଛାତ୍ରଙ୍କ କଲ୍ୟାଣ ଓ ଆକାଂକ୍ଷାର ପ୍ରୋତ୍ସାହନ ନିମନ୍ତେ ନଓ୍ବା ଆବଶ୍ୟକ ସହାୟତା ଯୋଗାଇ ଦେବ। ସେହିପରି କିଟ୍ ମାଧ୍ୟମରେ କିସ୍ ନୌସେନା ପରିବାରର ପିଲାଙ୍କୁ ଉଚ୍ଚତର ବୈଷୟିକ ଶିକ୍ଷା ଯୋଗାଇଦେବ। ଉପସ୍ଥିତ କିଟ୍ ଓ କିସ୍ର ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇ ହରିକୁମାର କହିଲେ, ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିବାର କ୍ଷମତା ଶିକ୍ଷାର ରହିଛି। ପ୍ରତ୍ୟେକ ପରିବାର ଓ ସମାଜର ମୂଳଦୂଆ ହେଉଛି ଶିକ୍ଷା। ସକରାତ୍ମକ ପରିବର୍ତ୍ତନ ଆଣିବାରେ ଛାତ୍ରୀଛାତ୍ରଙ୍କ କ୍ଷମତା ରହିଛି। ତେଣୁ ସବୁବେଳେ ଧୈର୍ଯ୍ୟର ସହ ସକାରାତ୍ମକ ମନୋଭାବ ରଖିଲେ ପ୍ରତ୍ୟେକ ଆଶା ଠିକ୍ ସମୟରେ ପୂରଣ ହୋଇ ପାରିବ ବୋଲି ସେ କହିଥିଲେ। ସେହିପରି ଶିକ୍ଷା ଶିଶୁର ତୃତୀୟ ନୟନ ବୋଲି ଡ. ସାମନ୍ତ କହିଥିଲେ। ଶିକ୍ଷା ପରିବାର, ସମାଜ, ରାଜ୍ୟ ଓ ଦେଶ ବିକାଶର ମୂଳ ଆଧାର। ଜନଜାତି ପିଲାଙ୍କ କଲ୍ୟାଣ ନିମନ୍ତେ କିସ୍ ସହ ବୁଝାମଣାପତ୍ର ସ୍ବାକ୍ଷର କରିଥିବାରୁ ସେ ହରିକୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କିଟ୍ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଉପସ୍ଥିତ ଥିଲେ।