Categories: ବାଣିଜ୍ୟ

ଜିଏସିଏଲ୍‌ ସହ ବେଦାନ୍ତ ଆଲୁମିନିୟମର ବୁଝାମଣା

ଭୁବନେଶ୍ୱର,୩।୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଏବଂ ଗୁଜରାଟ ଆଲକାଲିସ୍‌ ଆଣ୍ଡ କେମିକାଲ୍ସ ଲିମିଟେଡ୍‌ (ଜିଏସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷକରି କଷ୍ଟିକ୍‌-କ୍ଲୋରିନ୍‌ ଏବଂ ଅନ୍ୟାନ୍ୟ ସହଯୋଗୀ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବ୍ୟବସାୟ ସୁଯୋଗ ଅନୁସନ୍ଧାନ ପାଇଁ ବେଦାନ୍ତ ଲିମିଟେଡ୍‌ (ଆଲୁମିନିୟମ୍‌ ବ୍ୟବସାୟ) ଜିଏସିଏଲ୍‌ ସହ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି। ଏପରିକି ଉଭୟ ବେଦାନ୍ତ ଆଲୁମିନିୟମ ଏବଂ ଜିଏସିଏଲ୍‌ ବ୍ୟବସାୟରେ ମୂଲ୍ୟ ଯୋଗ କରିବାର ସମ୍ଭାବନାକୁ ଏହି ଏମ୍‌ଓୟୁ ଲକ୍ଷ୍ୟ ରଖିଛି। ସେହିଭଳି ସମନ୍ବୟ ହାସଲ କରିବା ପାଇଁ ସେମାନଙ୍କର କୌଶଳ, ଶକ୍ତି ଏବଂ ସାଧାରଣ ବ୍ୟବସାୟ ଆଗ୍ରହ ଉପରେ ଆଧାର କରି କମ୍ପାନୀ ଏକ ସହଯୋଗୀ ଆଭିମୁଖ୍ୟ ଗ୍ରହଣ କରିଛି। ସେହି ଅନୁଯାୟୀ ଉଭୟ କମ୍ପାନୀ ସହଯୋଗର ସୁଯୋଗକୁ ଅଧିକ ବିସ୍ତୃତ ଭାବେ ଅନୁସନ୍ଧାନ କରିବାକୁ ଚାହାନ୍ତି; ଯଦ୍ଦ୍ବାରା ପାରସ୍ପରିକ ଲାଭଦାୟକ ଢଙ୍ଗରେ ଉତ୍ସଗୁଡିକ ଏକାଠି ହୋଇପାରିବ ଏହା ମଧ୍ୟ ବେଦାନ୍ତ ଆଲୁମିନିୟମ୍‌ର ଭୂଲମ୍ବ ଏକୀକରଣ ଦିଗରେ ପ୍ରୟାସ ସହିତ ସୁହାଇବ ବୋଲି କୁହାଯାଇଛି। ବିଶେଷକରି ଏହି ଏମ୍‌ଓୟୁ ସହ ଉଭୟ କମ୍ପାନୀ ମିଳିତ ଉଦ୍ୟୋଗ ପ୍ରକଳ୍ପ ଆକାରରେ କିମ୍ବା ପାରସ୍ପରିକ ଚୁକ୍ତିଭିତ୍ତିକ ବ୍ୟବସ୍ଥା ମାଧ୍ୟମରେ ବ୍ୟବସାୟିକ ସୁଯୋଗକୁ ମିଳିତ ଭାବେ ଅନୁସନ୍ଧାନ କରିବାକୁ ସହମତ ହୋଇଛନ୍ତି।

Share