ଔଷଧ ଅଭାବ ନେଇ ଉତ୍ତେଜନା

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ୍‌ ଓ ଲାୟନ୍ସ କ୍ଲବ ବାଲେଶ୍ୱର ପକ୍ଷରୁ ମିଳିତ ଭାବେ ବୁଧବାର ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସ୍ଥାନୀୟ ଅଞ୍ଚଳରୁ ୩ଶହରୁ ଅଧିକ ରୋଗୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇଥିଲା। ବିଭିନ୍ନ ବିଭାଗରେ ରୋଗୀ ଚିକିତ୍ସିତ ହୋଇ ଔଷଧ ନ ପାଇବାରୁ ଉତ୍ତେଜନା ଦେଖାଦେଇଥିଲା। ପରେ ଚକ୍ଷୁ ବିଭାଗରେ ରୋଗୀମାନଙ୍କ ଆଖି ଠିକ୍‌ ଭାବେ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଗୋଗୀମାନଙ୍କୁ ଦିଆଯାଇଥିଲା।
ଅସ୍ଥିଶଲ୍ୟ, ଭେଷଜ, ସ୍ତ୍ରୀରୋଗ, ଦନ୍ତ ବିଭାଗର ଅଭିଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଲୋକଙ୍କ ଚିକିତ୍ସା କରିଥିଲେ। ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ସ୍ତ୍ରୀ ରୋଗ ବିଶେଷଜ୍ଞ ବେଣୁଧର ଭୋଇ ସ୍ବାସ୍ଥ୍ୟମେଳାରେ ଯୋଗଦେଇ ରୋଗୀଙ୍କ ଚିକିତ୍ସା କରିଥିଲେ। ସୁବର୍ଣ୍ଣରେଖା ବନ୍ଦର ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ସୁବର୍ଣ୍ଣରେଖା ବନ୍ଦର ଟାଟା କମ୍ପାନୀ ପକ୍ଷରୁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଏଭଳି ସ୍ବାସ୍ଥ୍ୟ କ୍ୟାମ୍ପ କରାଯିବା ସହିତ ଡଗରା ବେଳାଭୂମିର ସୌନ୍ଦର୍ଯ୍ୟକରଣ କରାଯିବ। ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଆଇଟିଆଇ ସ୍କୁଲ୍‌ ଖୋଲାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବାଲିଆପାଳ ତହସିଲଦାର ଓ ବିଡିଓ ଦାୟିତ୍ୱରେ ଥିବା ଅଧିକାରୀ ଦୀପକ ଦାସ, ଡଗରା ସରପଞ୍ଚ ସତ୍ୟାନନ୍ଦ ମହାନ୍ତି, ଏମ୍‌ପିଙ୍କ ପ୍ରତିନିଧି ମହେଶ୍ୱର ଜେନା ଏବଂ ବାଲେଶ୍ୱର ଲାୟନ୍ସ କ୍ଲବ ସଦସ୍ୟମାନେ ଉପସ୍ଥିତ ଥିଲେ। ତେବେ ଶିବିର ସମ୍ପର୍କରେ କେତେଜଣ ୱାର୍ଡ଼ ସଦସ୍ୟଙ୍କୁ ଅବଗତ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା।