Categories: ଜାତୀୟ

କୃଷି ଶ୍ରମିକ ଭାରତୀ ରସାୟନ ବିଜ୍ଞାନରେ ପିଏଚ୍‌ଡି

ଅମରାବତୀ,୨୧।୭:ସଫଳତାର ଦୁଇଟି ମୂଳ ସୂତ୍ର, ମନୋବଳ ଓ କଠିନ ପରିଶ୍ରମ। ବହୁ ବାଧା, ବିଘ୍ନ ପରେ ଆନ୍ଧ୍ରପ୍ରଦେଶର ସାକେ ଭାରତୀ ନିଜ ଆଶା ପୂରଣ କରିବାରେ ସଫଳ ହୋଇଛନ୍ତି। ବର୍ତ୍ତମାନଠାରୁ ଭାରତୀଙ୍କ ନାଁ ଆଗରେ ଲାଗିବ ଡକ୍ଟର। କାରଣ ଦିନ ମଜୁରିଆ ଭାବେ କାମ କରୁଥିବା ଭାରତୀ ଶ୍ରୀ କ୍ରିଷ୍ଣା ଦେବରାଜ ୟୁନିଭର୍ସିଟିରୁ ରସାୟନ ବିଜ୍ଞାନରେ ପିଏଚ୍‌ଡି ଲାଭ କରିଛନ୍ତି। ଆନ୍ଧ୍ରପ୍ରଦେଶ ନାଗୁଲାଗୁଡ୍ଡମ ଗ୍ରାମରେ ଭାରତୀଙ୍କ ଘର। ନିମ୍ନ ମଧ୍ୟବିତ୍ତ ପରିବାରର ଭାରତୀଙ୍କ ପଢ଼ା କ୍ଷେତ୍ରରେ ବହୁ ସମସ୍ୟା ଉଭା ହୋଇଥିଲେ ବି ସେ ହାର୍‌ ମାନି ନାହାନ୍ତି। ଭାଇ, ଭଉଣୀଙ୍କ ଭିତରେ ଭାରତୀ ସବୁଠୁ ବଡ଼। ସରକାରୀ ସ୍କୁଲ ଓ କଲେଜରେ ତାଙ୍କ ପାଠପଢ଼ା। ଘରର ଆର୍ଥିକ ସମ୍ବଳ ଅନୁସାରେ ବିବାହ ବେଳକୁ ସେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଏହାପରେ ଘରଲୋକ ସମ୍ପର୍କୀୟ ମାମୁଙ୍କ ସହ ତାଙ୍କ ବାହାଘର କରିଦେଲେ। ବାହାଘର ପରେ ପରିବାର ଚଳାଇବା ଓ ପାଠ ପଢ଼ା ପ୍ରତି ଥିବା ଆଗ୍ରହକୁ ପୂରା କରିବା ପାଇଁ ଭାରତୀଙ୍କୁ ଜଣେ ଦିନ ମଜୁରିଆ ଓ ଜଣେ ଛାତ୍ରୀ ଭାବେ ଦୁଇଟି ଭୂମିକା ତୁଲାଇବାକୁ ପଡ଼ୁଥିଲା। କିନ୍ତୁ ମା’ ହେବା ପରେ ଭାରତୀଙ୍କ ପକ୍ଷେ ଦୁଇଟି ଯାକ କାମ କରିବା ସମ୍ଭବପର ନ ଥିଲା। ଫଳରେ ତାଙ୍କୁ ଏସ୍‌ଏସ୍‌ବିଏନ୍‌ ଡିଗ୍ରୀ ଏବଂ ପିଜି କଲେଜରେ ପାଠ ପଢ଼ା ଅଧାରୁ ବନ୍ଦ କରିବାକୁ ପଡ଼ିଥିଲା। କିଛି ବର୍ଷରେ ପିଲା ବଡ଼ ହୋଇଯିବା ପରେ ଭାରତୀ ପୁଣି ପଢ଼ା ଆରମ୍ଭ କରିଦେଲେ। ପ୍ରତିଦିନ ଭୋରୁ ଉଠି ଘରକାମ ସାରି ୩୦ କି.ମି. ଦୂର କଲେଜକୁ ପଢ଼ିବାକୁ ଯାଆନ୍ତି। ପଢ଼ା କ୍ଷେତ୍ରରେ ଭାରତୀଙ୍କୁ ତାଙ୍କ ସ୍ବାମୀ ଶିବପ୍ରସାଦ ସମସ୍ତ ପ୍ରକାର ସହଯୋଗ ଯୋଗାଇଥିବା ସେ କୁହନ୍ତି। ରସାୟନ ବିଜ୍ଞାନରେ ପିଜି ହାସଲ କରିସାରିବା ପରେ ଶିକ୍ଷକଙ୍କ ପରାମର୍ଶ କ୍ରମେ ଭାରତୀ ପିଏଚ୍‌ଡି ପାଇଁ ପଢ଼ାପଢ଼ି ଆରମ୍ଭ କଲେ। ଶିକ୍ଷା ବୃତ୍ତିକୁ ନେଇ ଥିବା ତାଙ୍କ ଆଗ୍ରହ ପାଇଁ ଅସୁବିଧା ପରେ ମଧ୍ୟ ଆଜି ସେ ସଫଳ ହୋଇଛନ୍ତି। ନିଜ ପରିବାର ଓ ଶିକ୍ଷକମାନଙ୍କ ସହଯୋଗ ଯୋଗୁ ଭାରତୀ ଏବେ ଡ.ଭାରତୀ ବୋଲାଇବାକୁ ଯାଉଥିବା କହିଛନ୍ତି। ଏହାଛଡ଼ା କଲେଜରୁ ମିଳୁଥିବା ମେଧାବୃତ୍ତି ମଧ୍ୟ ତାଙ୍କୁ ଅନେକାଂଶରେ ସାହାଯ୍ୟ କରିଥିବା ଭାରତୀ କହିଛନ୍ତି। ପିଏଚ୍‌ଡି ପରେ ଭାରତୀ ସ୍ଥାନୀୟ କଲେଜରେ ସହ ଗବେଷକ ଚାକିରି ପାଇଁ ପ୍ରୟାଶ ଆରମ୍ଭ କରିଛନ୍ତି।

Share