କମୁଛି ଚାଷ ଜମି, ବଢୁଛି ଘରବାରି

ପାରଳାଖେମୁଣ୍ଡି,୧୨ା୬ (ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଗୁଡିକରେ ଚାଷ ଜମି ପରିମାଣ କମି କମି ଯାଉଥିବା ବେଳେ ଘରବାରି ବଢୁଥିବାର ପରିଲିକ୍ଷିତ ହେଉଛି। ଜମିମାଫିଆ ତଥା ଦଲାଲମାନେ ସହରାଞ୍ଚଳର ଆଖପାଖରେ ଥିବା ଚାଷ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇ ଚାଲିଥିବା ବେଳେ ଏବଂ ଏବେ ନଜର ଗ୍ରାମାଞ୍ଚଳ ଉପରେ ରହିଛି। ଅନ୍ୟପକ୍ଷରେ ଚାଷୀମାନଙ୍କୁ ପ୍ରୋତ୍ସାହନ ଠିକ ମିଳୁନଥିବାରୁ ଚାଷୀମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି। ଠିକ ସମୟରେ ଦଲାଲ ତଥା ଜମିମାଫିଆମାନେ ସୁଯୋଗ ଉଣ୍ଡି ଜମିଗୁଡିକୁ ଶସ୍ତା ଦରରେ କ୍ରୟ କରି ଘରବାରି ତଥା ପ୍ଲଟ ଆକାରରେ ଚଢାଦରରେ ବିକ୍ରି କରୁଥିବାର ଜଣାପଡିଛି। ଏହି ଘଟଣା ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରବନ୍ଧ ଅଞ୍ଚଳରେ ଦେଖିବାକୁ ମିଳିଛି।
ଗାରବନ୍ଧ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳୀ ଭାବେ ପରିଚିତ ଥିବା ବେଳେ ଗ୍ରାମକୁ ଲାଗିଥିବା ଚାଷ ଜମିଗୁଡିକ ବର୍ତ୍ତମାନ ବେସରକାରୀ ଭାବେ ଚଢା ମୂଲ୍ୟ ରହିଛି। ଏହି ଅଞ୍ଚଳରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଉର୍ବର ଚାଷ ଜମିଗୁଡିକୁ କ୍ରୟ କରି ପ୍ଲଟ ଆକାରରେ ବହୁମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଏହି ଜମି ଗୁଡିକୁ ରାତାରାତି ବିଭିନ୍ନ ମେସିନ ସାହାଯ୍ୟରେ ସମତଳ କରିଦେବା ସହ ପ୍ଲଟିଂ କରି ବିକ୍ରି କରୁଛନ୍ତି। ଏକଦା ଏହି ଗାରବନ୍ଧ ଗ୍ରାମାଞ୍ଚଳର ଧାନଠାରୁ ଆରମ୍ଭ କରି ପନିପରିବା ଚାଷ ପାଇଁ ବେଶ ଖ୍ୟାତି ରହିଥିଲା। ହେଲେ କେତେ ବର୍ଷ ହେଲା ଧାନ, ପନିପରିବା ଚାଷ ତଥା ଉତ୍ପାଦନ କ୍ଷେତ୍ର କମିବାରେ ଲାଗିଛି। ବିଭିନ୍ନ ସମସ୍ୟା ତଥା ପ୍ରୋତ୍ସାହନ ଅଭାବରୁ ଚାଷ ଜମି ଥିବା ଲୋକେ ଚାଷବାସ ପ୍ରତି ମୁହଁ ଫେରାଇ ନେଉଛନ୍ତି। ନିଜ ନିଜ ଚାଷ ଜମିକୁ କମ ମୂଲ୍ୟରେ ଏହି ଜମିମାଫିଆଙ୍କୁ ବିକ୍ରି କରି ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇ ଅକଥନୀୟ ଅତ୍ୟାଚାରର ଶିକାର ହେବା ସହିତ ମୃତ୍ୟୁମୁଖରେ ପଡ଼ୁଥିବା ଦୃଷ୍ଟାନ୍ତ ରହିଛି। ଏପଟେ ଜମିମାଫିଆମାନେ ପ୍ଲଟିଂ କରି ରାତାରାତି ମାଲାମାଲ ହେଉଛନ୍ତି। ଏହି ଚାଷଜମି ଗୁଡିକୁ ଘରବାରିରେ ପରିବର୍ତ୍ତନ ପାଇଁ କିପରି ଅନୁମତି ଦିଆଯାଉଛି ତାହାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିୟମ ମୁତାବକ ଚାଷ ଜମିଗୁଡିକୁ ଘରବାରି ପରିବର୍ତ୍ତନ ପାଇଁ ବିଭିନ୍ନ ସରକାରୀ ନିୟମାବଳୀ ରହିଛି। ହେଲେ କମ ଦିନରେ ଚାଷ ଜମିରୁ ଘରବାରି ପଟ୍ଟା କିପରି ହେଉଛି ଏବଂ ଜମିମାଫିଆମାନେ କିପରି ପ୍ଲଟିଂ କରି ବିକ୍ରିବଟା କରୁଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।