Categories: ଜାତୀୟ

‘କୃଷି ଆଇନ ଅଗଣତାନ୍ତ୍ରିକ’

ନୂଆଦିଲ୍ଲୀ,୧୦ା୧୨(ପି.ଟି): କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ବୁଧବାର ଚାଷୀ ଆନ୍ଦୋଳନ ଚତୁର୍ଦ୍ଦଶ ଦିନରେ ପହଞ୍ଚତ୍ଥିବାବେଳେ ବିରୋଧୀ ଦଳ ନେତାମାନେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ୩ ବିବାଦୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ ହଟାଯାଉ ବୋଲି ସେମାନେ ଦାବି କରିଛନ୍ତି।
ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଆଣିଥିବା ଫାର୍ମର୍ସ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ଡ କମର୍ସ (ପ୍ରୋଟେକ୍ସନ ଆଣ୍ଡ ଫାସିଲିଟି) ଆକ୍ଟ, ଫାର୍ମର୍ସ (ଏମ୍ପାଓ୍ବାରମେଣ୍ଟ ଆଣ୍ଡ ପ୍ରୋଟେକ୍ସନ) ଏଗ୍ରିମେଣ୍ଟ ଅନ୍‌ ପ୍ରାଇସ୍‌ ଆସ୍ୟୁରାନ୍ସ ଆଣ୍ଡ ଫାର୍ମ ସର୍ଭିସେସ୍‌ ଏବଂ ଏସେନ୍ସିଆଲ କମୋଡିଟିଜ୍‌ (ଆମେଣ୍ଡମେଣ୍ଟ) ଆକ୍ଟ, ୨୦୨୦କୁ ନେଇ ଦେଶବ୍ୟାପୀ ଅଚଳାବସ୍ଥା ଲାଗିରହିଛି। ଏନେଇ ବିରୋଧୀ ଦଳଗୁଡ଼ିକର ୫ ଜଣ ନେତାଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି। ପ୍ରତିନିଧି ଦଳରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର, ସିପିଆଇଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଏବଂ ଡିଏମ୍‌କେ ନେତା ଟିକେଏସ୍‌ ଏଲାନ୍‌ଗୋଭାନ ସାମିଲ ଥିଲେ। ସେମାନେ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିଲେ। ସେଥିରେ ଉଲ୍ଲେଖ କରିଥିଲେ, ରାଷ୍ଟ୍ରପତି ସମ୍ବିଧାନର ରକ୍ଷକ ଭାବେ ଭାରତର ଅନ୍ନଦାତାଙ୍କ ଦାବି ପୂରଣ ନେଇ ସରକାରଙ୍କୁ ବୁଝାନ୍ତୁ। ଏକଜିଦିଆ ହେଲେ ଚଳିବ ନାହିଁ। ନୂଆ କୃଷି ଆଇନ ସଂସଦରେ ଅଗଣତାନ୍ତ୍ରିକ ଭାବେ ଗୃହୀତ ହୋଇଥିଲା। ଏଥିପାଇଁ ଆବଶ୍ୟକ ଆଲୋଚନା କିମ୍ବା ଭୋଟିଂ କରାଯାଇ ନ ଥିଲା। ଏହି ଆଇନ ଯୋଗୁ ଦେଶର ଖାଦ୍ୟ ନିରାପତ୍ତା ବିପନ୍ନ ହୋଇଛି। ଭାରତୀୟ କୃଷି ସଂସ୍କୃତି ଧ୍ୱଂସ ହୋଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ଉଚ୍ଛେଦ ହେବା ସହ ଭାରତୀୟ କୃଷି ଓ ବଜାର ଘରୋଇ କର୍ପୋରେଟ ପାଖରେ ବନ୍ଧା ପଡ଼ିଥିବାରୁ ଏହାକୁ ଉଚ୍ଛେଦ କରାଯାଉ।

Share