Categories: ବାଣିଜ୍ୟ

କୃଷିଋଣ ପୋର୍ଟାଲ ଲୋକାର୍ପିତ

ଭୁବନେଶ୍ୱର,୨୧।୯: କୃଷକଙ୍କ ବିକାଶ ସମେତ କୃଷିକ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମିଳିତ ଭାବେ କୃଷି ଋଣ ପୋର୍ଟାଲକୁ ଲୋକାର୍ପିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ କିଷାନ କ୍ରେଡିଟ କାର୍ଡ (କେସିସି) ଘର ଘର ଅଭିଯାନ ଏବଂ ଓ୍ବେଦର ଇନ୍‌ଫର୍ମମେଶନ ନେଟ୍‌ଓ୍ବର୍କ ଡେଟା ସିଷ୍ଟମ (ଉଇଣ୍ଡସ)କୁ ଅନ୍ୟ ମନ୍ତ୍ରୀ ଓ ଅଧିକାରୀଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏ ନେଇ ସେ କହିଥିଲେ, ବ୍ୟାଙ୍କଗୁଡିକ ଦ୍ୱାରା ଘର ଘର ଅଭିଯାନ ସଫଳତାର ସହ କାର୍ଯ୍ୟ କରାଯିବ। ଏପରିକି କୃଷିକ୍ଷେତ୍ରର ବିକାଶ ଓ କୃଷକଙ୍କର ଉନ୍ନତି ଉଦେଶ୍ୟରେ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କାର ସହାୟତା ଯୋଗାଇ ଦେଉଛନ୍ତି।

କେସିସି ଜରିଆରେ କୃଷକ କିଭଳି ଅଧିକରୁ ଅଧିକ ଳାଭବାନ ହୋଇପାରିବେ ସେ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ବାରମ୍ବାର ସମୀକ୍ଷା ସହ ବିଭାଗୀୟ ଅଧିକାରୀଙ୍କୁ ଯୋଜନାର ଅଗ୍ରଗତି ଆଦି ବିଷୟରେ ବିଚାରବିମର୍ଶ କରିଥାନ୍ତି। ସେହିଭଳି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ୧,୪୦,୦୦୦ କୋଟି ବୀମା ରାଶି ପ୍ରଦାନ କରାଯାଇଥିବାବେଳେ ପ୍ରାୟ ୨୯.୦୦୦ କୋଟି ଟଙ୍କାର ପ୍ରିମିୟମ ସଂଗ୍ରହ କରାଯାଇଛି।

ସେହିପରି କେନ୍ଦ୍ର କୃଷିମନ୍ତ୍ରୀ ତୋମାର କହିଥିଲେ, ବିଗତ ୯ ବର୍ଷ ମଧ୍ୟରେ କେନ୍ଦ୍ର ସରକାର କୃଷକ ଓ କୃଷିକ୍ଷେତ୍ର ପାଇଁ ଅନେକ କିଛି କରିଥିବାବେଳେ ଆହୁରି ମଧ୍ୟ ବାକି ରହିଛି। ଏପରିକି ୨୦୧୩-୧୪ ଆର୍ଥିକ ବର୍ଷ ଅପେକ୍ଷା ୨୦୨୩-୨୪ ଆର୍ଥିକ ବର୍ଷରେ କୃଷି ଓ କୃଷକଙ୍କ ବିକାଶ ପାଇଁ କୃଷି ବଜେଟ ପ୍ରାୟ ୭ଗୁଣା ବୃଦ୍ଧି ପାଇଛି। ଅପରପକ୍ଷରେ ମନ୍ତ୍ରୀ ବିଭାଗର ସଫଳତା ଓ ଯୋଜନା ସହିତ ଉପରୋକ୍ତ ଯୋଜନାର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସିଇଓ ତଥା ଜେଏସ୍‌ (କ୍ରେଡିଟ) ରିତେଶ ଚୌହାନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଆଭିମୁଖ୍ୟ ଓ ସଫଳତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Share