କୃଷିଭିତ୍ତିକ ଗଣପର୍ବ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ପୁରପଲ୍ଲି ସବୁଠି ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥାନ୍ତି। ଏହି ପର୍ବ ଆଧୁନିକ ସମାଜକୁ ଅନେକ ବାର୍ତ୍ତା ଦେଇଥାଏ। ଦୈନନ୍ଦିନ ଜୀବନ, ବ୍ୟବହାର, ଐତିହ୍ୟ, ସଂସ୍କୃତି, ଚାଲିଚଳନ, ପରିଧାନ, ଖାଦ୍ୟପେୟ ଉପରେ ମାର୍ଗଦର୍ଶନ ଦେଇଆସୁଛି। ପରମ୍ପରା ସହିତ ନିବିଡ ଭାବେ ଜଡିତ ରହିଛି ଏହି ନିଆରା ପର୍ବ। ନୂଆଖାଇବା (ନବାନ୍ନ ଭକ୍ଷଣ) ଓ ପରେ ଛୋଟ ପିଲାମାନେ ବଡମାନଙ୍କୁ ମୁଣ୍ଡିଆ ମାରିବା (ନୂଅଁାଖାଇ ଜୁହାର) ଭଳି ପରମ୍ପରା ରହିଛି। ଏହି ପରମ୍ପରା କେବଳ ପରିବାର ଭିିତରେ ସୀମିତ ନ ଥାଏ। ପଡା, ଗ୍ରାମ, ଘରକୁ ଘର ବୁଲି ଜୁହାର ଭେଟ ହେବାର ବିଶେଷ ପରମ୍ପରା ରହିଛି। ମନ ଭିତରେ ଯାହା ଅଭିମାନ, ରାଗ ଥିଲେ ମଧ୍ୟ ପରିବାର ପରିଜନ ସମସ୍ତେ ଏହି ଦିନରେ ଭୁଲି ଯାଆନ୍ତି। ତେଣୁ ଏହାକୁ ଏକତାର ପର୍ବ ମଧ୍ୟ କୁହାଯାଏ। ନୂଅଁାଖାଇ ଆସିବା ପୂର୍ବରୁ ଗଁା, ସହର, ଦେବାଳୟଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ମହିଳାମାନେ ଘର ସଫେଇ କରିଥାନ୍ତିି। ପୂର୍ବରୁ ଚାଷ କରିଥିବା ଗ୍ରାମର ଝାଙ୍କର ନୂଆଁଖାଇ ଲାଗି କ୍ଷେତରେ ସରିଆ ଧାନ ପରିବାରକୁ ଆଣି ଦେଇଥାନ୍ତି। କେତେକ ସ୍ଥାନରେ ଚାଷୀମାନେ ଅମଳ କରିଥିବା ବେଳେ ବଜାରରେ ମଧ୍ୟ ଏହା ମିଳିଥାଏ। ଜାତି ଅନୁଯାୟୀ ଦେବୀ ପାଖରେ ନବାହ୍ନ ଲାଗି ଲଖାଇବା ଜଙ୍ଗଲ ପତ୍ର ସଂଗ୍ରହ କରନ୍ତି ନ ହେଲେ ବଜାରରୁ କିଣିନେଇଥାନ୍ତି। ବ୍ରାହ୍ମଣମାନେ ସର୍ଗିପତ୍ର, କୁଲତା ଜାତି ମହୁଲ ପତ୍ର, କ୍ଷତ୍ରିୟମାନେ କୁରେଇ ପତ୍ର ବ୍ୟବହାର କରିଥାନ୍ତି। ପୂର୍ବଦିନ ବନ୍ଧୁ ପରିଜନଙ୍କ ଘରକୁ ନୂଆଁଖାଇ ଭାର ଆସିବାର ପରମ୍ପରା ରହିଛି। ଏଥିରେ ନୂଅଁା ବସ୍ତ୍ର, ନଡିଆ, ପନିପରିବା, ଡାଲି, ଗୁଡ, ଚିନି, ସୁଜି, ଅଟା ପ୍ରଭୃତି ବ୍ୟଞ୍ଜନ ସାମଗ୍ରୀ ରହିଥାଏ। ଅତୀତରେ ଗଉଁତିଆ, ଜମିଦାରମାନେ ହଳିଆଙ୍କୁ ନୂଆଁଖାଇ ବେଭାର ଦେଉଥିଲେ। ପାଖ ପଡୋଶୀଙ୍କୁ ମଧ୍ୟ ଜାତିଭେଦ ନ କରି ଭାର ଆଦାନପ୍ରଦାନ କରୁଥିଲେ। ତେଣୁ ଭାଇଚାରାର ପର୍ବ ବୋଲି କୁହାଯାଇଥାଏ। ପ୍ରତ୍ୟେକ ପରିବାର ନିଜ ଇଷ୍ଟଦେବୀ ପାଖରେ ସ୍ବତନ୍ତ୍ର ପୂଜାର୍ଚ୍ଚନା କରନ୍ତି। ଧାର୍ଯ୍ୟ ସମୟ ଅନୁସାରେ ଘରେ ପୂଜା ହୋଇଥାଏ। ପରେ ଘରର ମୁରବୀ ନିଜ କ୍ଷେତକୁ ଯାଇଥାନ୍ତି। ସେଠାରେ ଦୁବ ଫଳ ଦିପ ଦେବା ପରେ କ୍ଷୀର ଢାଳି ଧରା ପୃଷ୍ଠକ ପୂଜା କରନ୍ତି। ଗୁହାଳ ଓ ଗୋରୁଙ୍କୁ ମଧ୍ୟ ପୂଜା କରାଯାଇଥାଏ।
– ଶୁଭାଶୀଷ ପାଢ଼ୀ, ସମ୍ବଲପୁର

Share