କୃଷିନୀତିରେ ପରିବର୍ତ୍ତନ ଯୋଜନା

ଅନୁଗୋଳ ଅଫିସ, ୬ା୫

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ପଡ଼ୁଛି। ଏଥିଯୋଗୁ କିଛି ବର୍ଷ ହେଲା ଖରିଫ ଋତୁରେ କୃଷି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏପରି କି ଫସଲ ଅମଳରେ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ବଦଳୁଥିବା ପାଣିପାଗକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ୁଥିବାବେଳେ ଏହାର ମୁକାବିଲା ନିମନ୍ତେ କୃଷିନୀତିରେ କିଛିଟା ପରିବର୍ତ୍ତନ ଯୋଜନା କରୁଛି ଅନୁଗୋଳ ଜିଲା କୃଷି ବିଭାଗ। ଚଳିତ ଖରିଫ ଋତୁରେ ପୂର୍ବାପେକ୍ଷା ଅଧିକ ଜମିରେ ଅଣଧାନ ଚାଷ ଉପରେ ବିଭାଗ ଗୁରୁତ୍ୱ ଦେଉଛି। ଏ ନେଇ ଜିଲାସ୍ତରୀୟ ଷ୍ଟ୍ରାଟେଜି କମିଟିରେ ଆଲୋଚନା ପରେ ଯୋଜନା ଆଗକୁ ବଢ଼ିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ପ୍ରକାଶ ଯେ, ୨୦୨୧-୨୨ ଖରିଫ ଋତୁରେ ୮୬ ହଜାର ହେକ୍ଟର ଜମିରେ ଫସଲ ଅମଳ କରିବାକୁ ଅନୁଗୋଳ ଜିଲା କୃଷି ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ନିଅଣ୍ଟିଆ ବର୍ଷା କାରଣରୁ ୨୨ ହଜାର ହେକ୍ଟର ଜମି ପଡ଼ିଆ ରହିଗଲା। ଯେଉଁମାନେ ଖାଲୁଆ ଜମିରେ ଫସଲ କରିଥିଲେ, ସେମାନେ ମଧ୍ୟ ଆଶାନୁରୂପ ଫସଲ ପାଇପାରି ନ ଥିଲେ। ଯେଉଁ କେତେକ ସ୍ଥାନରେ ବିଳମ୍ବରେ ଧାନ ବେଉଷଣ ହୋଇଥିଲା, ସେହି ଫସଲକୁ ବିଳମ୍ବିତ ବର୍ଷା ସୁହାଇଥିଲା। ତଥାପି ଧାନ ଅମଳ ଧାର୍ଯ୍ୟଲକ୍ଷ୍ୟ ଛୁଇଁପାରି ନ ଥିଲା। ତେଣୁ ବିଗତ କିଛି ବର୍ଷର ପାଣିପାଗକୁ ଲକ୍ଷ୍ୟ କରି ଜିଲା କୃଷି ବିଭାଗ ପକ୍ଷରୁ ଚଳିତ ଖରିଫ କୃଷିନୀତିରେ ପରିବର୍ତ୍ତନ ଅଣାଯିବାର ଯୋଜନା କରାଯାଇଛି। ଏହି ସମୟରେ ଧାନଚାଷ ସହ ଅଣ ଖରିଫ ଫସଲ କରିବାକୁ ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏ ନେଇ ଜିଲାସ୍ତରୀୟ ଷ୍ଟ୍ରାଟେଜି କମିଟିରେ ଆଲୋଚନା କରାଯିବ। ଏହାପରେ ଆସନ୍ତା ୧୧ ତାରିଖରେ ଝାଡ଼ସୁଗୁଡ଼ାରେ ହେବାକୁ ଥିବା ଜୋନାଲସ୍ତରୀୟ କମିଟିରେ ପ୍ରସ୍ତାବ ରଖାଯିବ। ପରେ ରାଜ୍ୟ ସରକାରଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ। ସେଠାରୁ ଅନୁମୋଦନ ମିଳିଲେ ଜିଲାରେ ପାଖାପାଖି ୫ ହଜାର ହେକ୍ଟର ଖରିଫ ଚାଷ ଜମିରେ ଅଣ ଖରିଫ ଚାଷ କରାଯିବ। ତେବେ ଚଳିତବର୍ଷ ଠିକ୍‌ ସମୟରେ ମୌସୁମୀବାୟୁ ଆସିବ ଓ ବର୍ଷା ସ୍ବାଭାବିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରୁଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସ୍ଥିତି ବଦଳିଯିବାର ଅନେକ ନଜିର ରହିଛି। ତେଣୁ ଧାନରୁ ଅଣଧାନ ଚାଷକୁ ଯିବା ପାଇଁ ଚାଷୀମାନଙ୍କ ଏକ କର୍ମଶାଳା କରାଯିବ ବୋଲି ଜିଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି।

Share