Advertisement

ଦେବଗଡ଼ରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଉ

ଦେବଗଡ଼,୭।୩(ଡି.ଏନ୍‌.ଏ.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଶିଳ୍ପବିହୀନ କୃଷିଭିତ୍ତିକ ଦେବଗଡ଼ ଜିଲାରେ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି କରିଛି। କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଶିକ୍ଷା, ସୁରକ୍ଷା ଓ ରୋଜଗାର ଦାବିରେ ସୋମବାର ଏବିଭିପି ପକ୍ଷରୁ ଛାତ୍ର ସମାବେଶ ଓ ରାଲି ଅନୁଷ୍ଠିତ ହୋଇଥିଲା। ଜିଲା ସଂଯୋଜକ ସୁଜିତ କୁମାର ଖଡିରତ୍ନଙ୍କ ନେତୃତ୍ୱରେ ସ୍ଥାନୀୟ ଶନି ମନ୍ଦିର ନିକଟ କଲ୍ୟାଣ ମଣ୍ଡପରୁ ଏବିଭିପି ପକ୍ଷରୁ ଏକ ରାଲି ନଗର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲା। ସେଠାରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ୧୯ ଦଫା ଦାବିନେଇ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ଉକ୍ତ କଲ୍ୟାଣ ମଣ୍ଡପରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ସଂଯୋଜକ ସୁଜିତ କୁମାର ଖଡ଼ିରତ୍ନ ସଭାପତିତ୍ୱ କରିଥିବାବେଳେ ସାଇ ସଂଦୀପ୍ତା ଜ୍ୟୋତିଷ ପରିଚାଳନା କରିଥିଲେ। ରାଜ୍ୟ ସମ୍ପାଦକ ଅରଜିତ ପଟ୍ଟନାୟକ ମୁଖ୍ୟଅତିଥି, ରାଜ୍ୟ ସହ ସମ୍ପାଦକ ଶ୍ୱେତାଂଶୁ ଶେଖର ବରେଇ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ବିଜୟ କୁମାର ଦେହୁରୀ, କୌଶିଷ ପ୍ରଧାନ, ନିକୁଞ୍ଜ ବିହାରୀ ପଣ୍ଡା, ଅବିନାଶ ମହାପାତ୍ର ମଞ୍ଚାସୀନ ଥିଲେ। ଶେଷରେ ସୌମ୍ୟରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କଂସର, ରିଆମାଲ, ବାରକୋଟ, ବୁଢ଼ାପାଳ, ସୁଗୁଡା ଅଞ୍ଚଳର ବିଭିନ୍ନ କଲେଜର ଛାତ୍ରୀଛାତ୍ରଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା କଲେଜର ଛାତ୍ରୀଛାତ୍ର ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share