ଚାନ୍ଦବାଲି,୧୯।୧୧(କିଷାନ ପାତ୍ର):ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର କ୍ଷତିପୂରଣ ପ୍ରଦାନ ପାଇଁ ଘୋଷଣା କରିବା ପରେ ଏବେ ଚାଷୀଙ୍କୁ ଶୋଷଣ କରାଯାଉଥିବା ଦେଖିବାକୁ ମିଳିଛି। କ୍ଷତିପୂରଣ ବାବଦରେ ହେକ୍ଟର ପିଛା ୮,୫୦୦ ଟଙ୍କା ଘୋଷଣା ପରେ କିଛି ସରକାରୀ କର୍ମଚାରୀ ଏହାର ଫାଇଦା ଉଠାଉଛନ୍ତି। ରବିବାର ଚାନ୍ଦବାଲି ବ୍ଲକ ଅଧୀନ ଭାଟପଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମ୍ୟ କୃଷି କର୍ମଚାରୀ ଚାଷୀଙ୍କଠାରୁ ଜମି ଅନ୍ଲାଇନ କରିବା ପାଇଁ ୫ ଶହ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। କେଉଁ ଆଧାରରେ ୫ଶହ ଟଙ୍କା ନେଉଛନ୍ତି ବୋଲି ଚାଷୀମାନେ ପ୍ରଶ୍ନ କରିବାରୁ ସେମାନଙ୍କୁ ନାଲି ଆଖି ଦେଖାଇବା ସହ ଜମି ଅନ୍ଲାଇନ୍ କରିବେ ନାହିଁ ବୋଲି ସେ କହୁଥିବାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଏ ସମ୍ପର୍କରେ ଗ୍ରାମ୍ୟ କୃଷି କର୍ମଚାରୀ ଭଗବତୀ କିସାନଙ୍କୁ ପଚାରିବାରୁ ସେ ଟଙ୍କା କେବେ ନେଇନାହାନ୍ତି, ଖାଲି ମାଗିଥିଲେ ବୋଲି କହିଛନ୍ତି। ବ୍ଲକ କୃଷି ଅଧିକାରିଣୀ ଲିପ୍ସା ପ୍ରିୟଦର୍ଶିନୀ କହିଛନ୍ତି, ଏହି ବିଷୟରେ ଭିଏଲ୍ଡବ୍ଲ୍ୟୁଙ୍କୁ କଲ୍ କରି କୁହାଯାଇଛି। ତହସିଲଦାରଙ୍କୁ ନେଇ ଏକ କମିଟି କରି ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ।