କୃଷି ଓ କୃଷକର ପର୍ବ ନୂଆଁଖାଇ

କୃଷିଭିତ୍ତିକ ପର୍ବ ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳରେ କାହିଁ କେଉଁ କାଳରୁ ପାଳନ କରାଯାଇ ଆସୁଛି। ନୂଆଁଖାଇରେ ନୂଆଁ ଶସ୍ୟର ପ୍ରଥମ ନୈବେଦ୍ୟକୁ ବିଭୁଙ୍କୁ ଅର୍ପଣ କରିବା ବେଳେ ଏମିତି ଯୁଗଯୁଗ ଧରି ମଣିଷସମାଜ ପାଇଁ ଅନ୍ନର ଅଭାବ ନ ଘଟୁ ବୋଲି କାମନା କରାଯାଏ। ଏଥିସହ ଯେଉଁମାନଙ୍କ ଦୂରଦୃଷ୍ଟିସଂପନ୍ନ କୌଶଳର ଫଳ ସ୍ବରୂପ କୃଷିକାର୍ଯ୍ୟର ପ୍ରୟୋଗ କରି ଶସ୍ୟ ଉତ୍ପାଦନ କରାଯାଇ ପାରୁଛି, ସେହି ପୂର୍ବପୁରୁଷମାନଙ୍କୁ ମଧ୍ୟ ଏ ଅବସରରେ ଯଥାମାନ୍ୟ ସ୍ମରଣ କରାଯାଇଥାଏ।
ନୂଆଁଖାଇ ପାଳନ ଖୁବ୍‌ ନିଆରା। କେଉଁ ଆବାହମାନ କାଳରୁ ଏହି ପର୍ବ ପାଳନ ହୋଇଆସୁଛି ଏହାର ସଠିକ ଐତିହାସିକ ବିବରଣୀ ପ୍ରଦାନ କରିବା ଏଯାଏଁ ସମ୍ଭବ ହୋଇନାହିଁ। ପୂର୍ବରୁ ଏହି ପର୍ବ ପାଳନ କୃଷକ ପରିବାର ମଧ୍ୟରେ ସୀମିତ ରହିଥିଲା। ସମୟ କ୍ରମେ ସମାଜର ସମସ୍ତ ବର୍ଗର ଲୋକ ଏହାକୁ ପାଳନ କରିବାକୁ ଲାଗିଲେ।
ପୂର୍ବରୁ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରୁଥିବାରୁ ନୂଆଁଖାଇ ପାଳନର ତିଥି ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନଭିନ୍ନ ହେଉଥିଲା। ଏପରିକି ରାଜରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମାନୁସାରେ ରାଜ ପୁରୋହିତମାନେ ନୂଆଁଖାଇର ଲଗ୍ନ ବାହାର କରୁଥିଲେ। ଫଳରେ ପ୍ରତିବର୍ଷ ଭାଦ୍ରବ ଶୁକ୍ଳପକ୍ଷର ବିଭିନ୍ନ ତିଥିରେ ଏହା ପାଳିତ ହେଉଥିଲା। ବିଭିନ୍ନ ଅଞ୍ଚଳରେ ଭିନ୍ନଭିନ୍ନ ଦିନରେ ନୂଆଁଖାଇ ପାଳନ ହେଉଥିବାରୁ ଏହା ସାମାଜିକ ସ୍ତରରେ ଏକ ଅସଙ୍ଗତ ସ୍ଥିତି ସୃଷ୍ଟି କରୁଥିଲା। ଫଳରେ ୧୯୯୧ରେ ସର୍ବସମ୍ମତିରେ ଗଣେଶ ଚତୁର୍ଥୀର ପରଦିନ ଅର୍ଥାତ୍‌ ଋଷି ପଞ୍ଚମୀ ତିଥିରେ ସମସ୍ତଙ୍କ ପାଇଁ ନୂଆଁଖାଇର ତିଥି ସ୍ଥିର କରାଗଲା।
ତେବେ ଭାଦ୍ରବ ମାସରେ ଧାନ ପାଚୁ ନ ଥିବା ସତ୍ତ୍ୱେ ଏହି ମାସରେ ନୂଆଁଖାଇ ଅନୁଷ୍ଠିତ କରାଯିବାର ଏକ ସାମାଜିକ ମହତ୍‌ ଉଦ୍ଦେଶ୍ୟ ନିହିତଥିବା ଜଣାଯାଏ। ନୂଆଁଖାଇ ନ ସରିବା ଯାଏଁ ନୂଆଁଧାନକୁ ବ୍ୟବହାର କରିବା ସଂପୂର୍ଣ୍ଣ ନିଷିଦ୍ଧ ବୋଲି ସାଧାରଣରେ ଗ୍ରହଣ କରାଯାଏ। ଅର୍ଥନୈତିକ ଦୃଷ୍ଟିରୁ ସମାଜରେ ବିଭିନ୍ନ ସ୍ତରର ଲୋକ ବାସ କରୁଥିବାରୁ ପ୍ରାୟ ପରିବାର ପ୍ରତିପୋଷଣ ପାଇଁ ଉତ୍ପାଦିତ ଶସ୍ୟ ଉପରେ ନିର୍ଭର କରୁଥିଲେ। ତେଣୁ ସବୁ ଜମିର ଧାନ ପାଚିବା ଯାଏଁ ଅପେକ୍ଷା କଲା ଭଳି ସମ୍ବଳ ଅନେକ ଲୋକଙ୍କ ନ ଥିବାରୁ ସମସ୍ତଙ୍କ ସୁବିଧା ଦୃଷ୍ଟିରୁ ଭାଦ୍ରବ ଶୁକ୍ଳପକ୍ଷକୁ ନୂଆଁଖାଇର ଉପଯୁକ୍ତ ସମୟ ଭାବେ ଗ୍ରହଣ କରାଯାଇଆସୁଛି। ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ଆଗଭଳି ସହଜରେ ପାଚିଲା ଧାନ ମିଳୁ ନ ଥିଲେ ମଧ୍ୟ ନୂଆଁଖାଇ ତିଥିରେ ନୂଆଁଧାନ ନ ମିଳିବା ଭଳି ସ୍ଥିତି ଏଯାଏଁ ଆସିନାହିଁ।
ସାଧାରଣତଃ ନୂଆଁଖାଇ ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ। ନୂଆଁଖାଇର ପୂର୍ବଦିନକୁ ‘ଉପାସ’ ବୋଲି କୁହାଯାଏ। ଏହି ଦିନ ଗାଁର ଝାଙ୍କର (ଦେବୀ ପୂଜକ) ଉପବାସ ରହି ନିର୍ଦ୍ଦିଷ୍ଟ ଲଗ୍ନରେ ଜମିକୁ ଯାଇ ବିଧି ଅନୁସାରେ ଧାନିକେଣ୍ଡାକୁ ପୂଜାପାଠ କରିବା ପରେ କ୍ଷୀର ଢାଳି ଥା’ନ୍ତି। ଏହା ପରେ ମାଟି ଦେବତାକୁ କୃତଜ୍ଞତା ଅର୍ପଣ ପୂର୍ବକ ପାଚିଲା ଧାନକେଣ୍ଡା ସଂଗ୍ରହ କରି ଗାଁକୁ ଆଣିଥା’ନ୍ତି। ନୂଆଁ ଧାନକେଣ୍ଡାକୁ ଗ୍ରାମଦେବୀ ପୀଠରେ ପୂଜାଅର୍ଚ୍ଚନା ପରେ ଗାଁର ସମସ୍ତ ପରିବାରକୁ କିଛିକିଛି ଧାନକେଣ୍ଡା ବଣ୍ଟନ କରିଥା’ନ୍ତି। ଆଗରୁ ନିଜେ ସଂଗ୍ରହ କରିଆଣିଥିବା ନୂଆଁ ଧାନକେଣ୍ଡାରେ ଝାଙ୍କର ଦେଇଥିବା ଧାନକେଣ୍ଡାକୁ ମିଶାଇ ନୂଆଁକୁଣ୍ଡା ପ୍ରସ୍ତୁତ କରାଯାଏ। ଦ୍ବିତୀୟ ଦିବସ ହେଉଛି ନୂଆଁଖାଇ ପର୍ବର ମୁଖ୍ୟ ଦିନ। ଏହି ଦିନ ପାଇଁ ବହୁ ପୂର୍ବରୁ ଘରଦ୍ୱାର ଲିପାପୋଛା କରାଯାଇ ଘରେ ବ୍ୟବହାର ହେଉଥିବା ସମସ୍ତ ଲୁଗାପଟା, ଆସବାବପତ୍ର ଆଦି ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀକୁ ସଫା କରାଯାଇଥାଏ। ପରିବାରର ଯିଏ ଯେଉଁଠି ରହୁଥିଲେ ମଧ୍ୟ ନୂଆଁଖାଇ ପାଇଁ ସମସ୍ତେ ଘରକୁ ଫେରି ଆସିଥାନ୍ତି। ଏହିଦିନ ସମସ୍ତେ ନୂଆଁ ଲୁଗା ପରିଧାନ କରିଥା’ନ୍ତି। ପରିବାରର ମୁଖ୍ୟ ମଧ୍ୟ ଶୁଦ୍ଧପୂତ ହୋଇ ଠିକ୍‌ ଲଗ୍ନରେ ଇଷ୍ଟଦେବୀ ଓ ଘରର ପିତୃପୁରୁଷଙ୍କୁ ସ୍ମରଣ କରି କୁରେଇ କିମୱା ମହୁଳ ଆଦି ପତ୍ରରେ ନୂଆଁଧାନରେ ପ୍ରସ୍ତୁତ ନୂଆଁ କୁଣ୍ଡାକୁ ନୈବେଦ୍ୟ ଭାବରେ ଅର୍ପଣ କରିଥାନ୍ତି। ଏହା ପରେ ପୂର୍ବ ଦିଗକୁ ମୁହଁ କରି ଭୂମି ଉପରେ ବସିଥିବା ସମସ୍ତଙ୍କୁ ପରିବାରର ବୟସ୍କା ମହିଳା ଫୁଲ ଚନ୍ଦନ ଦେଇ ବନ୍ଦାପନା କରିଥା’ନ୍ତି। ବନ୍ଦାପନା ପରେ ଘରର ମୁରବିଙ୍କ ଦ୍ୱାରା କ୍ଷୀର, ମହୁ, ଗୁଡ଼ ଆଦିର ମିଶ୍ରଣରେ ପ୍ରସ୍ତୁତ ନୂଆଁଧାନ କୁଣ୍ଡାକୁ ବଣ୍ଟନ କରାଯାଏ। ସମସ୍ତଙ୍କୁ ନୂଆଁ କୁଣ୍ଡା ଦେଇ ସାରିଲା ପରେ ଘରର ମୁରବି ନିଜେ ନୂଆଁ ପ୍ରସାଦ ଧରି ହରିବୋଲ ଡାକ ପକାନ୍ତି।ଏହା ପରେ ଉପସ୍ଥିତ ସମସ୍ତେ ହରିବୋଲ କହି ସାମୂହିକ ନୂଆଁ ଅନ୍ନ ସେବନ କରିଥାନ୍ତି। ନୂଆଁଖିଆ ସରିଲା ପରେ ଆରମ୍ଭ ହୁଏ ଜୁହାର ଭେଟ। ଛୋଟମାନେ ନିଜଠୁ ବଡ଼ ସମସ୍ତଙ୍କୁ ପାଦ ଛୁଇଁ ଜୁହାର କରନ୍ତି। ବଡ଼ମାନେ ଅତି ଆଦରରେ ସାନମାନଙ୍କୁ ସ୍ନେହ ଶ୍ରଦ୍ଧା ସହ ଆଶୀର୍ବାଦ ଦିଅନ୍ତି। ପାରିବାରିକ ଜୁହାର ଭେଟ ପରେ ସାମୂହିକ ଭୂରି ଭୋଜନ ସଂପନ୍ନ ହୁଏ। ଏହା ପରେ ଅସଲ ଜୁହାର ଭେଟ ହୁଏ ଗାଁ ଦାଣ୍ଡରେ। ମନ୍ଦିର ମଣ୍ଡପ, ଛକମାନଙ୍କରେ ଗାଁ ସାରା ଲୋକ ସମବେତ ହୋଇ ଜୁହାର ଭେଟ ହୋଇଥାନ୍ତି। ଏହି ସମୟରେ ବିଭିନ୍ନ ଖେଳ କୌତୁକ ସହ ଭଜନ, କୀର୍ତ୍ତନ, ଘୁମୁରା, ନାଚ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ସବୁଠାରୁ ବଡ଼ କଥା ହେଲା, ଜୁହାର ଭେଟ ସମୟରେ ପୂର୍ବରୁ ନିଜ ନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ଭେଦଭାବକୁ ସମସ୍ତେ ସଂପୂର୍ଣ୍ଣ ଭୁଲି ଯାଇଥାନ୍ତି।
ନୂଆଁଖାଇର ତୃତୀୟ ଦିବସକୁ ‘ନୂଆଁଖାଇ ବାସି’ କୁହାଯାଏ। ପୂର୍ବଦିନର ବଳକା ବାସିପିଠାକୁ ଏହି ଦିନ ଖାଇବାର ପରମ୍ପରା ରହିଛି। ବାସିଦିନ ମୁଖ୍ୟତଃ ମାଛ, ମାଂସ ଆଦି ଆମିଷ ଭୋଜନକୁ ପ୍ରାଧାନ୍ୟ ଦିଆଯାଏ। ବାସି ଅବସରରେ ସମ୍ପର୍କୀୟ ପରିବାରମାନଙ୍କୁ ଘରକୁ ଡାକି ଆମିଷ ଭୋଜନରେ ଆପ୍ୟାୟିତ କରାଯାଏ। ଏହି ଭେଟ୍‌ଘାଟ କାର୍ଯ୍ୟକ୍ରମ ପ୍ରାୟ ମାସେ ପର୍ଯ୍ୟନ୍ତ ଲାଗି ରହିଥାଏ।

ବୈଷ୍ଣବ ମେହେର
ସିନାପାଲି, ନୂଆପଡ଼ା
ମୋ:୯୭୭୭୭୫୩୯୩୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

ସ୍ବାଧୀନତା ସଂଗ୍ରାମରେ ଲୁଣିଆ ଗୁଳିକାଣ୍ଡ

ଭଦ୍ରକ ସବ୍‌ଡିଭିଜନରେ ହୋଇଥିବା ଲୁଣିଆ ଗୁଳିକାଣ୍ଡ ସ୍ବାଧୀନତା ସଂଗ୍ରାମର ଏକ ଅଭୁଲା ସ୍ମୃତି। ୧୯୪୨ ସେପ୍ଟେମ୍ବର ୧୬ରେ ତତ୍କାଳୀନ ବାଲେଶ୍ୱର ଜିଲାରେ ଘଟିଥିବା ଏହି ଦୁଃଖଦ...

ବୁଲ୍‌ଡୋଜର ନ୍ୟାୟ ଉପରେ ସୁପ୍ରିମ୍‌ ବ୍ରେକ୍‌

ଗତ କିଛି ବର୍ଷ ଧରି ବୁଲ୍‌ଡୋଜର ଦେଶରେ ଆତଙ୍କର ଏକ ପ୍ରତୀକରେ ପରିଣତ ହୋଇଯାଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାନା, ଗୁଜରାଟ ଆଦିରେ ସେଠାକାର ସରକାରଗୁଡ଼ିକ ତଥାକଥିତ...

ଜନସାଧାରଣଙ୍କ କୋର୍ଟରେ ବଲ୍‌

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ୧୩ ସେପ୍ଟେମ୍ବରରେ ଦିଲ୍ଲୀ ଅବକାରୀ ନୀତି ନେଇ ମନି ଲ2ଣ୍ଡରିଂ ଅଭିଯୋଗ ସଂକ୍ରାନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ମାମଲାରେ...

ଏଇ ଭାରତରେ

୮୭ ବର୍ଷ ବୟସରେ କର୍ମଚଞ୍ଚଳ ଡ. ମାୟା ଟଣ୍ଡନ। ସେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି କରିବା ସହ ଦୁର୍ଘଟଣାରେ ପ୍ରାଥମିକ ଚିକିତ୍ସା ଯୋଗାଇ...

‘ନଅ ହାତିଆ ଶାଢ଼ି’ର ସ୍ରଷ୍ଟା

ସ୍ତକର ଇଂଲିଶ୍‌ ନାମ ‘ନାଇନ୍‌ ୟାର୍ଡ ସାରିଜ୍‌’। ଏହାର ଓଡ଼ିଆ ମର୍ମାନୁବାଦ କଲେ କୁହାଯାଇପାରିବ ‘ନଅ ହାତିଆ ଶାଢ଼ି’। ଲେଖିକା ପ୍ରଶାନ୍ତି ରାମ ସିଙ୍ଗାପୁରରେ ରହୁଥିବା...

ମୃତ୍ୟୁକୋଷ୍ଠୀ ତିଆରି କରିପାରେ ଏଆଇ

ଆଇ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଦୁଃଖ ଓ ସୁଖ ଜଣାଇପାରେ, ମଜା କଥା ଶୁଣାଇପାରେ। କାହାର କେତେବେଳେ ମୃତ୍ୟୁ ହେବ ତାହା...

ଏବେ ଅନିଚ୍ଛୁକ

ବର୍ତ୍ତମାନ ଭାରତର ପ୍ରମୁଖ ରାଜନୈତିକ ଶକ୍ତି ହେଉଛି ଭାରତୀୟ ଜନତା ପାର୍ଟି (ଭାଜପା)। ରାଜନୈତିକ ଫାଇଦା ପାଇଁ ଆଦର୍ଶକୁ ସାମୟିକ ଭାବେ ବିରାମ ଦେବାରେ ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri