କୃଷି ଓ ଆତ୍ମନିର୍ଭର ଭାରତ

ବିଚିତ୍ର ବିଶ୍ୱାଳ

କେବେ ଦିନେ କଥା ଥିଲା ‘ଚାଷ କାମ ଯାହାର, କେତେ ସୁଖ ତାହାର।’ କିନ୍ତୁ ଆଜି ଏହା ସମ୍ପୂର୍ଣ୍ଣ ଓଲଟି ଯାଇଛି। କେହି ଭୁଲ୍‌ରେ ବି ଚାଷକୁ ନିଜ ବୃତ୍ତି ଭାବେ ଆଦରି ନେବାକୁ ଚାହୁଁନାହାନ୍ତି। କାରଣ ଆମ ଦେଶରେ ଚାଷ ତଥା କୃଷି ବ୍ୟବସ୍ଥା ହିଁ ସବୁଠୁ ବେଶି ଅବହେଳିତ। ଯଦିଓ ଆମ ଅର୍ଥ ବ୍ୟବସ୍ଥାର କୃଷି ଏକ ପ୍ରମୁଖ ଆଧାର କିନ୍ତୁ ଅସଲରେ ଦୀର୍ଘ ବର୍ଷ ହେବ କୃଷିକୁ ସମ୍ପୂର୍ଣ୍ଣ ଉପେକ୍ଷିତ କରି ରଖାଯାଇଛି। ଆଜି ଚାଷୀ ଚାଷ ଛାଡ଼ି ସହରରେ ମୂଲିଆ ହେବାକୁ ପସନ୍ଦ କରୁଛି। କୃଷି ମନ୍ତ୍ରାଳୟର ତଥ୍ୟ ଅନୁସାରେ ୧୯୫୧ମସିହାରେ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ଥିଲା ୫୧ ପ୍ରତିଶତ, କିନ୍ତୁ ୨୦୧୧ ସୁଦ୍ଧା ଆମ ଅର୍ଥବ୍ୟବସ୍ଥାକୁ କୃଷି କ୍ଷେତ୍ରର ଅବଦାନ ହେଉଛି ମାତ୍ର ୧୯ ପ୍ରତିଶତ। ୨୦୧୯-୨୦ ଅର୍ଥନୈତିକ ସର୍ବେକ୍ଷଣର ତଥ୍ୟ ଅନୁସାରେ ଏହି ପ୍ରତିଶତ ଆହୁରି କମି ୧୬.୫ ପ୍ରତିଶତରେ ପହଞ୍ଚତ୍ଛି। ୧୯୫୧ରେ କୃଷି କ୍ଷେତ୍ରରେ ୭୦ ପ୍ରତିଶତ ଶ୍ରମ ଶକ୍ତି ନିୟୋଜିତ ଥିବାବେଳେ ସଂପ୍ରତି ଏହା କମି କମି ୪୨.୩୯ ପ୍ରତିଶତରେ ପହଞ୍ଚିଛି। ଯେଉଁ ଶ୍ରମଶକ୍ତି ବି ଏବେ କୃଷି କ୍ଷେତ୍ରରେ ଅଛନ୍ତି, ସେମାନେ ନିଜ ଇଚ୍ଛାନୁସାରେ ନାହାନ୍ତି। ସେମାନଙ୍କ ପାଖରେ ଆଉ କୌଣସି ବେଉସା ନାହିଁ ବୋଲି ସେମାନେ କୃଷି କାମକୁ ଆଦରି ପଡ଼ିରହିଛନ୍ତି। ଗୋଟେ କୃଷିପ୍ରଧାନ ଦେଶ ପାଇଁ ଏହାଠାରୁ ବଳି ଦୁର୍ଭାଗ୍ୟର ବିଷୟ ଆଉ କ’ଣ ଥାଇପାରେ।
କୃଷି କ୍ଷେତ୍ରର ଏପରି ନିମ୍ନ ଗତିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, କୃଷି କ୍ଷେତ୍ରର ବିକାଶ ପାଇଁ ଯାହା କରାଯିବା କଥା ଓ ଯେପରି ଇଚ୍ଛାଶକ୍ତିର ସହିତ କରାଯିବା କଥା ତାହା ଆଦୌ ବି କରାଯାଇନାହିଁ। ସରକାର ପରେ ସରକାର ବଦଳିଛନ୍ତି, କିନ୍ତୁ ସମସ୍ତେ କୃଷି କ୍ଷେତ୍ର ପାଇଁ କେବଳ ଭାଷଣ ଦେଇଛନ୍ତି। ଅସଲ କାମ କେବେ ବି ହୋଇନାହିଁ। ନଚେତ୍‌ ଆଜି ଗତ ୧୫ ବର୍ଷ ମଧ୍ୟରେ ଆମ ଦେଶର ତିନି ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଆତ୍ମହତ୍ୟା କରି ନ ଥାନ୍ତେ। ଏହା ସ୍ପଷ୍ଟ ଯେ, ବିଗତ ଅନେକ ବର୍ଷ ହେବ ଆମ ସରକାର କୃଷି ଅପେକ୍ଷା ଉଦ୍ୟୋଗ କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଏକ ବିଶ୍ଲେଷଣ ଅନୁସାରେ ୨୦୧୭-୧୮ରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ମୋଟ୍‌ ବ୍ୟୟ ୧୪୬୩୮୮ କୋଟି ଟଙ୍କା ହୋଇଥିବା ବେଳେ ଏହି ସମୟସୀମା ମଧ୍ୟରେ କେବଳ କର୍ପୋରେଟ୍‌ମାନଙ୍କୁ ୨୦୩୯୮୩ କୋଟି ଟଙ୍କାର ଶୁଳ୍କ ରିହାତି ଦିଆଯାଇଛି। ଏଥିରୁ ସରକାରଙ୍କର କୃଷି କ୍ଷେତ୍ର ପ୍ରତି ଥିବା ବୈମାତୃକ ମନୋଭାବର ସ୍ପଷ୍ଟ ସୂଚନା ମିଳୁଛି। ଗତ ବର୍ଷ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସରକାର କର୍ପୋରେଟ୍‌ ଶୁଳ୍କରେ ୧୦ ପ୍ରତିଶତ କମ୍‌ କରିଥିଲେ, ଯାହାଦ୍ୱାରା କର୍ପୋରେଟ୍‌ମାନଙ୍କୁ ୧.୪୫ ଲକ୍ଷ କୋଟି ଟଙ୍କାର ଲାଭ ମିଳିଥିଲା। ଅନ୍ୟପକ୍ଷରେ ଦେଖିଲେ ୨୦୧୯ରେ ଉଦ୍ୟୋଗ କ୍ଷେତ୍ରରେ ୨୫.୫୮ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଥିବାବେଳେ, ଏପରି ଦୁଃସ୍ଥିତି ସତ୍ତ୍ୱେ ବି କୃଷି କ୍ଷେତ୍ରରେ ୪୨.୩୯ ପ୍ରତିଶତ ଶ୍ରମଶକ୍ତି ନିୟୋଜିତ ଥିଲେ। ସଂପ୍ରତି କରୋନା ମହାମାରୀ ସମୟରେ ଔଦ୍ୟୋଗିକ କ୍ଷେତ୍ରର ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ସ୍ଥିତିରେ ପହଞ୍ଚିଛି। କୋଟି କୋଟି ଲୋକ ନିଯୁକ୍ତି ହରେଇଛନ୍ତିି। ଏଥିରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ଆମ ଦେଶର ବେକାରି ସମସ୍ୟାର ସମାଧାନ କୃଷି କ୍ଷେତ୍ରର ସୁଧାର ଉପରେ ହିଁ ବହୁଳ ଭାବେ ନିର୍ଭର କରୁଛି।
କୃଷି କ୍ଷେତ୍ରକୁ ଅବହେଳା କରି ଔଦ୍ୟୋଗିକ କ୍ଷେତ୍ରକୁ ପ୍ରାଧାନ୍ୟ ଦେବା କାମ ସ୍ବାଧୀନତା ସମୟରୁ ହିଁ ଆରମ୍ଭ ହୋଇଛି। ଇଂରେଜମାନେ ଜାଣିଥିଲେ ଯେ, ଭାରତୀୟ କୃଷି ବ୍ୟବସ୍ଥା ଆତ୍ମନିର୍ଭରଶୀଳ ହୋଇଗଲେ, ସେମାନେ ଆଉ ଦୁନିଆ ଉପରେ ରାଜ୍‌ କରିପାରିବେନି। ତେଣୁ ଯାଉ ଯାଉ ସେମାନେ ଭାରତର କୃଷିକୁ ବରବାଦ୍‌ କରିବାର କାମ ଆରମ୍ଭ କରିଦେଇଗଲେ, ଯାହାକୁ ଆମ ସ୍ବାଧୀନ ଦେଶର ସରକାର ମନ ଧ୍ୟାନ ଦେଇ ପାଳନ କଲେ ଓ ତା’ର ପରିଣାମ ଆମ କୃଷି ବ୍ୟବସ୍ଥା ଓ କୃଷକମାନେ ଏବେ ଭୋଗୁଛନ୍ତି। ସ୍ବାଧୀନତା ପରେ ଦ୍ୱିତୀୟ ପଞ୍ଚବାର୍ଷିକ ଯୋଜନାରେ ଆମର ସମସ୍ତ ଧ୍ୟାନ କେବଳ ଔଦ୍ୟୋଗୀକରଣ ଓ ସହରୀକରଣ ଉପରେ ହିଁ କେନ୍ଦ୍ରିତ ଥିଲା। ପରିଣାମ ସ୍ବରୂପ କୃଷି ବ୍ୟବସ୍ଥା ପଛକୁ ରହିଗଲା। ଆମ ଦେଶର ଚାଷୀମାନେ ନିଜ ବୁଦ୍ଧି ବଳରେ ଯାହା ବି କରୁଥିଲେ, ତାହା ବି ସରକାରଙ୍କ କୃଷି ନୀତି ଯୋଗୁ ଆହୁରି ଖରାପ ହୋଇଗଲା। ସବୁଜ ବିପ୍ଳବ ନାଁରେ ଆମ ଦେଶର ଆତ୍ମନିର୍ଭର କୃଷି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବଜାର ନିର୍ଭରଶୀଳ କରିବାର ବ୍ୟବସ୍ଥା ଆରମ୍ଭ କରାଗଲା; ଯାହାର ମଙ୍ଗ ଧରିଲେ ଖୋଦ୍‌ ସରକାର। ଧୀରେ ଧୀରେ ଆମ ଦେଶର ଚାଷୀମାନଙ୍କ ହାତରୁ ବିହନ ଓ ଜ୍ଞାନ କୌଶଳ ହଜିଯିବାକୁ ଲାଗିଲା। ଚାଷୀ ମାନେ ବଜାର ନ ଗଲେ ଚାଷ କରିବାକୁ ସକ୍ଷମ ହୋଇପାରିଲେ ନାହିଁ। ଆଜିର ପରିସ୍ଥିତିକୁ ଦେଖିଲେ ବୁଝିହେଉଛି ଯେ, ଆମ ଦେଶର ଚାଷ ବ୍ୟବସ୍ଥା ଏବେ ସମ୍ପୂର୍ଣ୍ଣ ଭାବେ କମ୍ପାନୀଙ୍କ ନିୟନ୍ତ୍ରଣରେ। ସବୁଜ ବିପ୍ଳବ ଯୋଗୁ ଆମର ସିନା ଉପତ୍ାଦନରେ ଉନ୍ନତି ଆସିଲା କିନ୍ତୁ ଆମ ଆତ୍ମନିର୍ଭରଶୀଳ ସ୍ବୟଂସମ୍ପୂର୍ଣ୍ଣ କୃଷି ବ୍ୟବସ୍ଥା ଏକଦମ୍‌ ଭୁଶୁଡ଼ି ପଡ଼ିଲା। ଆଜି ଚାଷ ଅତ୍ୟନ୍ତ ଖର୍ଚ୍ଚାନ୍ତ କାମ ହୋଇପଡ଼ିଛି। ଚାଷୀକୁ ବିହନଠାରୁ ଆରମ୍ଭ କରି ସବୁକିଛି କିଣିବାକୁ ପଡ଼ୁଛି। ନିଜ ଘରର ବିହନ ନାହିଁ, ଗୋବର ଖତ ନାହିଁ। ହଳ ଲଙ୍ଗଳ ନାହିଁ କି ଜମିର ଉର୍ବରତା ବି ନାହିଁ। ଅତ୍ୟଧିକ ପରିମାଣର ରାସାୟନିକ ପ୍ରୟୋଗ ଯୋଗୁ ଜମି ସବୁ ବନ୍ଧ୍ୟା ହୋଇଗଲାଣି। ନଦୀ ଜଳ ଓ ଭୂତଳ ଜଳ ବିଷାକ୍ତ ହୋଇଗଲାଣି। ସବୁ କିଛି କିଣିବାକୁ ପଡ଼ୁଥିବାରୁ ଓ ଚାଷରେ ଖର୍ଚ୍ଚ ଅତ୍ୟଧିକ ବଢ଼ିଯାଇଥିବାରୁ ଆଜି ଆମ ଦେଶର ଚାଷୀମାନେ ଋଣଗ୍ରସ୍ତ ହୋଇପଡ଼ିଛନ୍ତି; ଯାହା ସେମାନଙ୍କୁ ଆତ୍ମହତ୍ୟା ଦିଗରେ ବାଟ କଢ଼ାଉଛି। କୃଷି କ୍ଷେତ୍ରରେ ଏହି ସବୁ ପରିବର୍ତ୍ତନର ସବୁଠାରୁ ଅଧିକ ଲାଭ ପାଇଛନ୍ତି କୃଷି କ୍ଷେତ୍ରରେ ଜଡ଼ିତ ଥିବା କମ୍ପାନୀମାନେ। କିନ୍ତୁ ଚାଷୀ ତଳିତଳାନ୍ତ ହୋଇଗଲାଣି। ତଥାପି ସରକାର ଚେତୁନାହାନ୍ତି ଯେ, ଏବେ ବି ବଜାର ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଛନ୍ତି ଓ ସରକାରଙ୍କ କୃଷି ନୀତି ଚାଷୀ ଅପେକ୍ଷା ଅଧିକ କମ୍ପାନୀ ଉପଯୋଗୀ ବୋଲି ବାରମ୍ବାର ପ୍ରମାଣିତ ହେଉଛି। ବିଶ୍ୱ ବାଣିଜ୍ୟ ସଂଗଠନର ଚୁକ୍ତି ଅନୁସାରେ ଭାରତ କୃଷି କ୍ଷେତ୍ରରୁ ସବ୍‌ସିଡ୍‌ କମ୍‌ କରି ଚାଲୁଥିବା ବେଳେ ଅନ୍ୟ ବିକଶିତ ଦେଶମାନେ ନିଜ ଚାଷୀ ମାନଙ୍କୁ ପାଖାପାଖି ନବେ ପ୍ରତିଶତ ସବ୍‌ସିଡ୍‌ ଦେଉଛନ୍ତି। କିନ୍ତୁ ଆମ ଦେଶର କଥା ଆସିଲେ ସେମାନେ ଆମ ସରକାରଙ୍କୁ ସବ୍‌ସିଡ୍‌ ହ୍ରାସ କରିବାକୁ ଉପଦେଶ ଦେଉଛନ୍ତି। ଆମ ସରକାର ବି ସୁନା ପିଲା ପରି ତାହା ପାଳନ କରୁଛନ୍ତି।
ଗୋଟିଏ ପଟେ ଆଜି କୃଷି କ୍ଷେତ୍ରରେ ଖର୍ଚ୍ଚ ବହୁତ ବଢ଼ିଥିବା ବେଳେ କୃଷକକୁ ତା’ର ଉତ୍ପାଦନର ଉଚିତ ମୂଲ୍ୟ ମିଳୁନି। ଅନ୍ୟ ସମସ୍ତ ଦ୍ରବ୍ୟର ମୂଲ୍ୟ ଘୋଡ଼ା ଦୌଡ଼ ପରି ବୃଦ୍ଧି ଘଟିଥିବା ବେଳେ କୃଷିଜାତ ଦ୍ରବ୍ୟର ମୂଲ୍ୟ ଗେଣ୍ଡା ଚାଲି ପରି ବଢ଼ୁଛି। ଏଥିରେ ଚାଷୀଟିଏ ଆଜିର ମହଙ୍ଗା ସମୟରେ ବଞ୍ଚିତ କିପରି?
ସମୟ ଥିଲା, ଆମ ଦେଶର ଆତ୍ମନିର୍ଭରଶୀଳ କୃଷିକୁ ଅତ୍ୟନ୍ତ ବଡ଼ ତଥା ମହାନ୍‌ କାମ ଭାବେ ପରିଗଣିତ କରାଯାଉଥିଲା। ଲୋକମାନେ ଚାକିରିକୁ ନିକୃଷ୍ଟ କହି କୃଷି କର୍ମକୁ ଉତ୍କୃଷ୍ଟ ମାନ୍ୟତା ଦେଉଥିଲେ। କିନ୍ତୁ ଆଜି କାହାଣୀ ସମ୍ପୂର୍ଣ୍ଣ ବଦଳି ଯାଇଛି। କୃଷିକୁ ଆଜି ସବୁଠାରୁ ନିକୃଷ୍ଟ କର୍ମ ଭାବେ ଗଣାଯାଉଛି। ଗାଁ ଗହଳିରେ ଆମେ ଦେଖୁଛେ ଯେ, କୃଷି କାମ କରୁଥିବା ଲୋକକୁ କିପରି ହେୟ ଦୃଷ୍ଟିରେ ଦେଖାଯାଉଛି। ଏପରି କି ଅତ୍ୟନ୍ତ ଛୋଟ ବ୍ୟବସାୟ କରୁଥିବା ବା ଅତି ଛୋଟ ଚାକିରି କରିଥିବା ଲୋକକୁ ବି ତା’ ଠାରୁ ଉଚ୍ଚ ମାନ୍ୟତା ଦିଆଯାଉଛି।
ଆଜି ଆମେ ଦେଖୁଛେ ଯେ, କରୋନା ମହାମାରୀର ବିପତ୍ତି ସମୟରେ ଅନ୍ୟ ସମସ୍ତ କ୍ଷେତ୍ର ଆଣ୍ଠେଇ ପଡ଼ିଥିବା ବେଳେ, କୃଷି କ୍ଷେତ୍ର ହିଁ ଆଜି ଆମକୁ ସାହା ହୋଇଛି। ଦୀର୍ଘ ଦିନର ଲକ୍‌ଡାଉନ୍‌ ସମୟରେ ଆମ କୃଷି କ୍ଷେତ୍ର ଓ କୃଷକ ଭାଇମାନେ ହିଁ ଆମ ପେଟକୁ ଦାନା ଯୋଗାଇଛନ୍ତି। ସରକାର ଆଜି ଯେଉଁ ମାଗଣା ଚାଉଳ ଓ ଗହମ ବାଣ୍ଟି ଲୋକମାନଙ୍କ ଜୀବନ ବଞ୍ଚେଇଲେ ବୋଲି ବାହାବା ନେଉଛନ୍ତି ତାହା ତ ଆମ କୃଷି କ୍ଷେତ୍ରରୁ ଓ ଆମ କୃଷକ ଭାଇମାନଙ୍କର ପରିଶ୍ରମରୁ ହିଁ ଆସିଛି। ୨୦୨୦-୨୧ର ପ୍ରଥମ ତିନି ମାସରେ ଜି.ଡି.ପି. ବିଯୁକ୍ତ ୨୪ ପ୍ରତିଶତ ହୋଇଥିବା ବେଳେ, କୃଷି କ୍ଷେତ୍ରରେ ୩.୪ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଏହା କୃଷି ତଥା ଚାଷର ପ୍ରାକୃତିକ ଶକ୍ତି ଯେ, ସକଳ ଝଡ଼ଝଞ୍ଜା ଓ ପ୍ରତିକୂଳତା ସତ୍ତ୍ୱେ ବି ତାହା ତିଷ୍ଠି ରହିଛି ଓ କେବଳ ଆମ ଜୀବନ ବଞ୍ଚାଉନି ଆମ ଅର୍ଥନୀତିକୁ ବି କାନ୍ଧ ଦେଉଛି। ଏବେ ସରକାରଠାରୁ ଆରମ୍ଭ କରି ବଜାର ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି କୃଷି କ୍ଷେତ୍ର ଉପରେ। କିନ୍ତୁ ଦେଖିବା କଥା ଯେ, ଏତେ ସବୁ ସତ୍ତ୍ୱେ ବି ସରକାରଙ୍କର କ’ଣ କୃଷି କ୍ଷେତ୍ର ଉପରେ ଶୁଭ ଦୃଷ୍ଟି ପଡ଼ିବ! ସରକାର ଆମ ଦେଶର କୃଷକ ଭାଇମାନଙ୍କର ଲାଭ କଥା ଦେଖିବେ ନାଁ କମ୍ପାନୀଙ୍କ ପାଇଁ କୃଷି କ୍ଷେତ୍ରର ବେକ ମୋଡ଼ିଦେବେ!
ଆଜି ଯେତେବେଳେ କୃଷି କ୍ଷେତ୍ରର ବିକାଶ କରିବାର ଓ କୃଷକମାନଙ୍କର ଆୟକୁ ଦୁଇ ଗୁଣ କରିବାର ଭାଷଣ ମରାଯାଉଛି, ସେତେବେଳେ ପ୍ରଥମେ ଦେଖିବା କଥା କୃଷି କ୍ଷେତ୍ରର କିପରି ଢାଞ୍ଚାଗତ ପରିବର୍ତ୍ତନ ଆଣି ହେବ, ଯେପରି ଚାଷୀମାନେ ବଜାର ନିର୍ଭରଶୀଳ ନ ହୋଇ ଆତ୍ମନିର୍ଭରଶୀଳ ହେବେ। ଖୁସିର କଥା ଯେ, ଚଳନ୍ତି ସରକାର ଭାଷଣରେ ପଛେ ହେଉ ଆତ୍ମନିର୍ଭରଶୀଳ ଭାରତର ସ୍ଲୋଗାନ ଦେଇଛନ୍ତି। କିନ୍ତୁ ସରକାର ପ୍ରଥମେ କୃଷି ବ୍ୟବସ୍ଥାକୁ ଆତ୍ମନିର୍ଭରଶୀଳ କରାନ୍ତୁ। କାରଣ ପରାଧୀନ ତଥା ବଜାର ନିର୍ଭରଶୀଳ କୃଷି ବ୍ୟବସ୍ଥାକୁ ବଜାୟ ରଖି କେବେ ବି ଭାରତକୁ ଆତ୍ମନିର୍ଭରଶୀଳ କରିହେବ ନାହିଁ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪