କର୍ମଚାରୀ ଅଭାବରୁ କୃଷି ଯୋଜନା ଦିଗହରା

ଏରସମା,୧୦ା୭ (ଦୀପ୍ତି ଖଣ୍ଡୁଆଳ): ଏରସମା ବ୍ଲକ ମୁଖ୍ୟାଳୟସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ବିଶେଷକରି କର୍ମଚାରୀ ଅଭାବ କାରଣରୁ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ।
ଏରସମା ବ୍ଲକ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ଏଠାକାର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ। ବ୍ଲକ ଅନ୍ତର୍ଗତ ୨୫ଟି ପଞ୍ଚାୟତର ଚାଷୀଙ୍କୁ କୃଷି କାର୍ଯ୍ୟ ସମ୍ପର୍କରେ
ଯଥା ସମୟରେ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବା ପାଇଁ ବ୍ଲକ ମୁଖ୍ୟାଳୟରେ ରହିଛି କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର। ଏଠାରେ ଜଣେ ବ୍ଲକ କୃଷି ଅଧିକାରୀ(ବିଏଓ)ଙ୍କ ସହ ଦୁଇଟି ସହକାରୀ କୃଷି ଅଧିକାରୀ (ଏଏଓ) ପଦବୀ ରହିଛି। ମାତ୍ର ସେଥିରୁ ଏଏଓ ପଦବୀଦ୍ୱୟ ଖାଲିପଡିଛି। ପୂର୍ବରୁ ଏହି ବ୍ଲକର ୨୫ଟି ପଞ୍ଚାୟତରେ ୨୫ଜଣ ଗ୍ରାମ୍ୟ କୃଷି କର୍ମକର୍ତ୍ତା (ଭିଏଡବ୍ଲ୍ୟୁ) କାର୍ଯ୍ୟ କରୁଥିଲେ। ଏବେ ଭିଏଡବ୍ଲ୍ୟୁ ପଦବୀକୁ ଖସାଇ ୧୦ ମଧ୍ୟରେ ସୀମିତ କରାଯାଇଛି। ସେଥିରୁ ୫ଟି ପଦବୀ ଖାଲିପଡ଼ିଛି। ଏଭଳିସ୍ଥିତିରେ ଜଣେ ଭିଏଡବ୍ଲ୍ୟୁଙ୍କୁ ୫ଟି ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି। ଫଳରେ କୃଷି କାର୍ଯ୍ୟ କିପରି ପରିଚାଳନା କରାଯାଉଥିବ ତାହା ସହଜରେ ଅନୁମେୟ। ଏଠାରେ ଭୂମିହୀନ, କୃଷିଋଣ ଓ କୃଷି ଭିତ୍ତିଭୂମିର ବିକାଶ (ବଳରାମ ଯୋଜନା)କୁ ଉଦାହରଣ ଭାବେ ନିଆଯାଇପାରେ। ଯେଉଁମାନେ ଭାଗଚାଷୀ, କ୍ଷୁଦ୍ରଚାଷୀ ବା ନାମମାତ୍ର ଚାଷୀ ସେମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ। ୪ରୁ ୧୦ ଜଣ ସମଭାବାପନ୍ନ ଚାଷୀ ଜେଏଲ୍‌ବି ଦଳ(ଜଏଣ୍ଟ ଲାଇବଲିଟି ଗ୍ରୁପ୍‌) ଗଢି ଏହି ଯୋଜନାରେ ସାମିଲ ହୋଇପାରିବେ। ସେମାନଙ୍କୁ ସରକାର ପ୍ରତିବର୍ଷ ୫୦,୦୦୦ ଅର୍ଥ ବିନା ସୁଧରେ ଋଣ ସହାୟତା କରିବେ। ମାତ୍ର ବ୍ଲକରେ କୃଷି କର୍ମଚାରୀ ଅଭାବରୁ ଏହି ଯୋଜନାର ସଫଳ ରୂପାୟନ ହୋଇପାରୁନାହିଁ। ଚଳିତ ବର୍ଷ ବ୍ଲକରେ ମାତ୍ର ୫୯ଟି ଦଳକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା ପାଇଁ ଦିଆଯାଇଛି। ଏଥିସହ ଉପକୂଳବର୍ତ୍ତୀ ଅଞ୍ଚଳରେ ଉପତ୍ାଦନ ବୃଦ୍ଧି କରିବା ପାଇଁ ମୃତ୍ତିକାର ପୋଷକତତ୍ୱ ପରୀକ୍ଷା କରାଯିବାର ମଧ୍ୟ ଯୋଜନା ରହିଛି। ଏଟିଏମ୍‌ (ଏଗ୍ରିକଲଚର ଟେକ୍ନୋଲୋଜି ମ୍ୟାନେଜର)ଙ୍କ ଦ୍ୱାରା ଚଳିତ ବର୍ଷ ୧୨୫୦ଟି ମୃତ୍ତିକାର ପୋଷକତତ୍ତ୍ୱ ପରୀକ୍ଷା ପାଇଁ ସଂଗ୍ରହ କରାଯିବାକୁ ନିର୍ଦ୍ଦେଶ ଆସିଛି। ଜୁଲାଇ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାତ୍ର ୩୦୦ଟି ମୃତ୍ତିକା ପରୀକ୍ଷଣ ପାଇଁ ସଂଗ୍ରହ କରାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲାସ୍ତରୀୟ ବିଭାଗୀୟ ବୈଠକରେ ଖରିଫ ଋତୁ ଆରମ୍ଭରେ ଖରାଟିଆ ଧାଡିବୁଣା ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଏ ସମ୍ପର୍କରେ କେନ୍ଦ୍ରର ବିଏଓ ସୌଭାଗ୍ୟ ମହାନ୍ତିଙ୍କୁ ପଚାରିବାରୁ, କର୍ମଚାରୀ ନିଯୁକ୍ତି ଉଚ୍ଚ ପଦାଧିକାରୀଙ୍କ ଉପରେ ନିର୍ଭର କରେ। ବଳରାମ ଯୋଜନା ଉପରେ ସେ କହିଥିଲେ, ପୋଷ୍ଟର, ହୋର୍ଡିଂ ଓ ଡାକବାଜି ଯନ୍ତ୍ର ଦ୍ୱାରା ବଳରାମ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଛୁ। ଏଥିସହ ପୋଷକତତ୍ତ୍ୱ ପରୀକ୍ଷଣ ନିମନ୍ତେ ଅଧିକ ମୃତ୍ତିକା ସଂଗ୍ରହ କରିବା ପାଇଁ ଉଦ୍ୟମ କରାଯାଉଛି। ଧାନବୁଣା ସମ୍ପର୍କରେ ମହାନ୍ତି କହିଛନ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବାପରେ ପଦକ୍ଷେପ ନିଆଯିବ।