ରବିବାର ଖୋଲାରହିବ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ବର, ୨୭ା୬(ସୁନିତ୍‌ ମିଶ୍ର): ରାଜ୍ୟରେ ବିଭିନ୍ନ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି, ଜିଲାପାଳ ଏବଂ ଜିଲା ଆହାର ସମିତିର ସଭାପତିଙ୍କୁ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ଅଛି। ସେଥିମଧ୍ୟରୁ ୫୮ ଟିରେ ରାତିରେ ଖାଦ୍ୟ ପରିବେଷଣ ସୁବିଧା ରହିଛି। ଏସବୁ ଆହାର କେନ୍ଦ୍ରଗୁଡ଼ିକ ଯୋଗୁ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଣ୍ଟମାନେ ଉପକୃତ ହୋଇଥାଆନ୍ତି। ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହେଉଛନ୍ତି। ତେବେ ରବିବାର ଏହି ଆହାର କେନ୍ଦ୍ରଗୁଡ଼ିକ ବନ୍ଦ ରହୁଥିବାରୁ ରୋଗୀଙ୍କ ପରିବାର ଲୋକ ବା ଆଟେଣ୍ଡାଣ୍ଟମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ରଗୁଡ଼ିକୁ ରବିବାର ଖୋଲା କରିବାକୁ ଅନୁରୋଧ କରିଥିଲେ। ସରକାରୀ ଡାକ୍ତରଖାନାକୁ ରୋଗୀମାନେ ସବୁଦିନ ଆସୁଥିବାରୁୁ ସପ୍ତାହରେ ୬ ଦିନ ପରିବର୍ତ୍ତେ ୭ ଦିନ ଆହାର କେନ୍ଦ୍ର ଖୋଲା ରଖିବା ଉପରେ ଧ୍ୟାନ ଦେବାକୁ କହିଥିଲେ। ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ମଧ୍ୟ ସେହିସବୁ ଆହାର କେନ୍ଦ୍ରଗୁଡ଼ିକୁ ଖୋଲା ରଖିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

Share