Categories: ଜାତୀୟ

ଭାଜପା କର୍ମୀଙ୍କ ଝୁଲନ୍ତା ମୃତଦେହ ଜବତ, ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ

କୋଲକତା,୬।୫: ପଶ୍ଚିମବଙ୍ଗରେ ଜଣେ ଭାଜପା କର୍ମୀଙ୍କ ମୃତଦେହ ମିଳିବା ପରେ କୋଲକାତାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା କାଶିପୁର ଅଞ୍ଚଳରେ ଘଟିଛି। ଏଠାରେ ଭାଜପା କର୍ମୀ ଅର୍ଜୁନ ଚୌରସିଆଙ୍କ ମୃତଦେହ ଶୁକ୍ରବାର ଏକ ପରିତ୍ୟକ୍ତ ଘରେ ଝୁଲିଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାରେ ଟିଏମ୍‌ସି ନାଁରେ ହତ୍ୟା ଅଭିଯୋଗ ଆଣିଛି ଭାଜପା। ଏଥିସହ କୋଲକାତାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସ୍ବାଗତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।
କୋଲକାତା ଭାଜପା ସଭାପତି କଲ୍ୟାଣ ଚୌବେ କହିଛନ୍ତି, ଭାଜପା ଯୁବ ମୋର୍ଚ୍ଚା ଉପାଧ୍ୟକ୍ଷ ଅର୍ଜୁନ ଚୌରାସିଆଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ସେ ୨୦୦ ବାଇକ ରାଲି ଆୟୋଜନ କରିବାକୁ ଯୋଜନା କରିଥିଲେ ଏବଂ ସେ ବହୁତ ଦକ୍ଷ ଥିଲେ। ଆଜି ସକାଳେ ତାଙ୍କ ମୃତଦେହ ମିଳିଛି। ସୂଚନାଯୋଗ୍ୟ,ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ କୋଲକାତାରେ ଏକ ସ୍ବାଗତ କାର୍ଯ୍ୟକ୍ରମ ଥିଲା। ଅର୍ଜୁନଙ୍କ ମୃତଦେହ ମିଳିବା ପରେ ଶାହାଙ୍କ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ଆଜି ଶାହା ଅର୍ଜୁନଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

Share