ବଜେଟ ଅଧିବେଶନ ପୂର୍ବରୁ ସବୁ ଦଳର ଚାଲିଛି ରଣନୀତି

ଭୁବନେଶ୍ବର,୨୦ା୨(ବ୍ୟୁରୋ): ରାଜ୍ୟ ସରକାର ୨୦୨୩-୨୪ ବର୍ଷ ପାଇଁ ବଜେଟ ଅଧିବେଶନ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଏହି ଅଧିବେଶନରେ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ନିଜର ରଣନୀତି ସଜାଡୁଛନ୍ତି। ତେବେ ଗୃହ ଭଲରେ କିପରି ଚାଲିବ ସେ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସୋମବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୃହକୁ ସୁରୁଖୁରୁରେ ଚଳାଇବାକୁ ଦେବା ପାଇଁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ। ଅପରପକ୍ଷରେ ରାଜ୍ୟର ସବୁଠାରୁ ବଡ ଚର୍ଚ୍ଚିତ ଘଟଣା ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଏବଂ ଆଇନଶୃଙ୍ଖଳା ସ୍ଥିତି କଥାକୁ ନେଇ ବିରୋଧୀ ସରକାରଙ୍କୁ ଘେରିବା ଲାଗି ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତେବେ କେଉଁ ପ୍ରସଙ୍ଗକୁ ମୂଳତଃ ଗୃହରେ ଉପସ୍ଥାପନା କରାଯିବ ସେ ନେଇ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବ। ଭାଜପା ବିଧାୟକ ଦଳ ବୈଠକ ସୋମବାର ଅପରାହ୍ନ ୪ଟା ସମୟରେ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଏଥିରେ କେଉଁସବୁ ପ୍ରସଙ୍ଗକୁ ମୁଖ୍ୟତଃ ଆଧାର କରି ଦଳ ଶାସକ ଦଳକୁ ଘେରିବ ସେନେଇ ଯୋଜନା କରିବ। ଏହାରି ଭିତରେ ନବ ଦାସ ହତ୍ୟାକାଣ୍ଡ ଘଟଣା ସାଙ୍ଗକୁ ଏହି ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ ସମୟରେ ବିରୋଧୀ ଦଳ ନେତା ଏବଂ ଜଣେ ମହିଳା ଆଇଆଇସିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମୁହାଁମୁହିଁ ସ୍ଥିତି ସାଙ୍ଗକୁ ଅରୂପ ପଟ୍ଟନାୟକ ଜୟନାରାୟଣଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଏବଂ ତିର୍ତ୍ତୋଲ ବିଧାୟକଙ୍କ ବିରୋଧରେ ତାଙ୍କ ବାନ୍ଧବୀଙ୍କ ଅଭିଯୋଗକୁ ଜୋର୍‌ଦାର ଭାବେ ଉଠାଇ ଶାସକ ଦଳକୁ ଭାଜପା ଟାର୍ଗେଟ କରିବାକୁ ଯୋଜନା କରୁଛି। ତେବେ ଏହାରି ଭିତରେ କଂଗ୍ରେସ ବିଧାୟକ ଦଳ ବୈଠକ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ। କଂଗ୍ରେସ ମଧ୍ୟ ଚାଷୀ ପ୍ରସଙ୍ଗ, ଆଇନଶୃଙ୍ଖଳା ପରିସ୍ଥିତି କଥାକୁ ଧରି ଶାସକ ଦଳକୁ ଟାର୍ଗେଟ କରିବାକୁ ଯୋଜନା କରିଛି। ତେବେ ଶାସକ ଦଳ ମଧ୍ୟ କେନ୍ଦ୍ର ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛି। କେନ୍ଦ୍ର ସରକାର ଚାଉଳ ଯେତିକି ଉଠାଇବା କଥା ସେହି ଧାର୍ଯ୍ୟ କମାଇ ଦେବା, କୋଭିଡ୍‌ ସମୟରୁ ଦେଉଥିବା ମାଗଣା ୫ କେଜି ଚାଉଳ ଦେବା ବନ୍ଦ କରିଦେବା ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗୁ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଛି। ତେବେ ଏନେଇ ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ବୋଲି ଦଳର ଜଣେ ବିଧାୟକ ସୂଚନା ଦେଇଛନ୍ତି।

Share