ଇମ୍ରାନ୍‌ଙ୍କ ଫାଇନାଲ ଫାଇଟ୍‌

ଇସ୍‌ଲାମାବାଦ,୯ା୪: ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ଶନିବାର ହେବ ଭାଗ୍ୟ ପରୀକ୍ଷା। ଫାଇନାଲ ଫାଇଟର ସାମ୍ନା କରିବେ ଇମ୍ରାନ୍‌ । ସ୍ଥାନୀୟ ସମୟ ୧୦ଟାରେ ନ୍ୟାଶନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ।

ପାକିସ୍ତାନ ସୁପ୍ରିମକୋର୍ଟ ଉପବାଚସ୍ପତିଙ୍କ ପଦକ୍ଷେପକୁ ଅସାମ୍ବିଧାନିକ ଦର୍ଶାଇ ଖାରଜ କରିବାର ଦିନକ ପରେ ବିରୋଧୀ ଦଳଗୁଡ଼ିକ ନ୍ୟାଶନାଲ ଆସେମ୍ବ୍ଲି ସେକ୍ରେଟାରିଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିଛନ୍ତି। ଇତିମଧ୍ୟରେ ନୂଆ ସରକାର ଗଠନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଇମ୍ରାନ୍‌ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇ ନ ପାରିଲେ ଅନାସ୍ଥା ଭୋଟ ଜରିଆରେ ବିଦା ହେବାରେ ସେ ହେବେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ। ଏହା ପରେ ବିରୋଧୀ ମେଣ୍ଟ ପକ୍ଷରୁ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ୍‌ ଲିଗ୍‌ (ନଓ୍ବାଜ୍‌) ଅଧ୍ୟକ୍ଷ ଶେହଓ୍ବାଜ୍‌ ଶରିଫ୍‌ଙ୍କୁ ପ୍ରଧାନମନ୍ତ୍ରୀ ବଛାଯିବ। ତେବେ ଶେହଓ୍ବାଜ୍‌ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିପାରିବେ। ତା’ପରେ ଦେଶରେ ସାଧାରଣ ନିର୍ବାଚନ ହେବ। ୩୪୨ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ମ୍ୟାଜିକ୍‌ ନମ୍ବର ୧୭୨ ହୋଇଥିବାବେଳେ ବିରୋଧୀ ତହିଁରୁ ଅଧିକ ଏମ୍‌ପିଙ୍କ ସମର୍ଥନ ହାସଲ କରିଥିବା ଦାବି କରିଛନ୍ତି। ଇମ୍ରାନ୍‌ ତାଙ୍କ ସରକାରର ପତନ ଘଟାଇବା ପାଇଁ ବିଦେଶୀ ଷଡ଼ଯନ୍ତ୍ର କାମ କରିଥିବା ଅଭିଯୋଗ ଆଣିଥିବା ବେଳେ ଅବସରପ୍ରାପ୍ତ ସେନା ଅଧିକାରୀ ଲ୍ୟୁଟ୍‌ନାଣ୍ଟ ଜେନେରାଲ ତାରିକ୍‌ ଖାନ୍‌ଙ୍କ ଅଧ୍ୟକ୍ଷତାରେ ଏହାର ତଦନ୍ତ ଲାଗି ଏକ କମିଶନ ଗଠନ କରାଯାଇଛି।

Share