ଢେଙ୍କାନାଳ ଅଫିସ, ୧୬।୪ ରାଜ୍ୟରେ ଆରମ୍ଭ ହୋଇଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ। ଏହାର ପ୍ରଭାବ ପଡ଼ିଲାଣି ସଂରକ୍ଷିତ ଜଙ୍ଗଲର ଜୈବ ବିବିଧତା ଏବଂ ବନ୍ୟଜୀବନ ଉପରେ। ତାତି ସହି ନ ପାରି ଅହିରାଜ ଭଳି ବିଶାଳକାୟ ସରୀସୃପ ଜାତୀୟ ପ୍ରାଣୀ କଲବଲ ହେଉଛନ୍ତି। ଏଭଳି ବିଷଧର ସାପ ଜଙ୍ଗଲ ଛାଡ଼ି ଜନବସତି ମୁହଁା ହେବା ଢେଙ୍କାନାଳ ବନ ବିଭାଗର ଚିନ୍ତା ବଢ଼ାଇଛି।
ଢେଙ୍କାନାଳ ଜିଲାର ଜଳବାୟୁ ଅହିରାଜ ବଂଶ ବୃଦ୍ଧି ପାଇଁ ଅନୁକୂଳ ସାବ୍ୟସ୍ତ ହୋଇଛି। ଢେଙ୍କାନାଳ ଜିଲାର କପିଳାସ ଅଭୟାରଣ୍ୟ ସମେତ ଅନ୍ୟ ସଂରକ୍ଷିତ ଜଙ୍ଗଲରେ ଏମାନଙ୍କ ସଂଖ୍ୟା ଗତ କିଛିବର୍ଷ ହେଲା ଲଗାତର ବଢ଼ିବାରେ ଲାଗିଛି। ଅହିରାଜ ଭଳି ସାପଙ୍କ ବଂଶ ବଢ଼ିବା ଶୁଭସଙ୍କେତ ବୋଲି କୁହାଯାଉଥିଲେ ମଧ୍ୟ ଅସହ୍ୟ ଖରା ସେମାନଙ୍କ ଜୀବନଚକ୍ରକୁ ପ୍ରଭାବିତ କରୁଛି। ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଢେଙ୍କାନାଳ ଜିଲାର ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି। ଆଗାମୀ ଦିନରେ ପାରଦ ଆହୁରି ବଢ଼ିବା ସମ୍ଭାବନା ରହିଛି। ତାତି ପ୍ରଭାବରେ ଅଧିକାଂଶ ଜଙ୍ଗଲରେ ଏବେ ଗଛ ପତ୍ରଝଡ଼ା ଦେବା ଆରମ୍ଭ କଲେଣି। ସେହିପରି ବନ୍ୟ ପରିବେଶକୁ ଥଣ୍ଡା ରଖୁଥିବା ଘାସ ଏବଂ ବୁଦୁବୁଦିଆ ଗଛ ଶୁଖିବାରେ ଲାଗିଛି। ସାଧାରଣତଃ ଘାସ ଏବଂ ଘଞ୍ଚ ଜଙ୍ଗଲର ଶୀତଳ ପରିବେଶରେ ଅହିରାଜ, ଅଜଗର ବାସ କରିବାକୁ ଭଲ ପାଆନ୍ତି। ଏପରି କି ମିଳନ ସମୟରେ ସେମାନେ ଏଭଳି ସ୍ଥାନ ଖୋଜିବୁଲନ୍ତି। ଜଙ୍ଗଲରେ ଏଭଳି ପରିବେଶର ଅଭାବ ସେମାନଙ୍କୁ ଜନବସତି ମୁହଁା କରୁଥିବା ସର୍ପ ବିଶେଷଜ୍ଞମାନେ କହିଛନ୍ତି। ଅପରପକ୍ଷେ ଅହିରାଜ ଭଳି ଅତ୍ୟଧିକ ବିଷଯୁକ୍ତ ସାପଙ୍କ ଜନବସତିରେ ଉପସ୍ଥିତି ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ଏଭଳି ସାପକୁ ଦେଖିଲେ ଲୋକମାନେ ସାଧାରଣତଃ ଆକ୍ରମଣାତ୍ମକ ହୋଇଉଠୁଥିବାରୁ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, କପିଳାସ ଅଭୟାରଣ୍ୟରେ ବହୁ ସଂଖ୍ୟାରେ ଅହିରାଜ ପ୍ରଜାତିର ସାପ ଅଛନ୍ତି। ଘନଜଙ୍ଗଲ ଏବଂ ବୁଦୁବୁଦିଆ ଘାସଯୁକ୍ତ ଅଞ୍ଚଳରେ ସେମାନେ ରହିଥାଆନ୍ତି। ଗ୍ରୀଷ୍ମପ୍ରବାହ ସମୟରେ ଗଛ ପତ୍ରଝଡ଼ା ଦେବା ଏବଂ ଘାସ ମରିଯିବା କାରଣରୁ ପ୍ରବଳ ତାତିକୁ ସହ୍ୟ କରିବା ସେମାନଙ୍କ ପକ୍ଷେ କଷ୍ଟକର ହେଉଛି। ତେଣୁ ସେମାନେ ପାଣି ଥିବା ସନ୍ତସନ୍ତିଆ ଅଞ୍ଚଳ ଏବଂ ଅପେକ୍ଷାକୃତ ଥଣ୍ଡା ଜାଗାକୁ ପଳାଇ ଆସୁଛନ୍ତି। କପିଳାସ ଅଭୟାରଣ୍ୟକୁ ସୁରକ୍ଷିତ ରଖିବା, ସାପ ଏବଂ ଅନ୍ୟ ସରୀସୃପଙ୍କ ପାଇଁ ସହନଶୀଳ ପରିବେଶ ସୃଷ୍ଟି କରିବା ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଜିଲା ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।