Categories: ଜାତୀୟ

ଭାରତ ଉପରେ ମାଲେସିଆ-ଇଣ୍ଡୋନେସିଆର ସାଇବର ଷ୍ଟାଇକ୍‌

ଅହମ୍ମଦାବାଦ,୮।୭: ଦେଶରେ ଗତ କିଛି ଦିନ ହେଲା ନୁପୁର ଶର୍ମାଙ୍କ ବିବାଦୀୟ ମନନ୍ତବ୍ୟ ପରେ ହିଂସାକାଣ୍ଡ ଘଟିଚାଲିଛି। ଏଭଳି ସ୍ଥିତିରେ ମାଲେସିଆ ଏବଂ ଇଣ୍ଡୋନେସିଆର ମୁସଲମାନ ହ୍ୟାକରମାନେ ଭାରତ ବିରୋଧରେ ସାଇବର ଯୁଦ୍ଧ ଆରମ୍ଭ କରିଛନ୍ତି। ଦୁଇ ଦେଶର ହ୍ୟାକର ଗୋଷ୍ଠୀ ଡ୍ରାଗନ ଫୋର୍ସ ମାଲେସିଆ ଏବଂ ହ୍ୟାକ୍ଟିଭିଷ୍ଟ ଇଣ୍ଡୋନେସିଆ ଉଭୟ ଭାରତ ବିରୋଧରେ ସାଇବର ଷ୍ଟାଇକ୍‌ କରିଛନ୍ତି। ଏପରିକି ଉଭୟ ଗୋଷ୍ଠୀ ଭାରତ ଉପରେ ସାଇବର ଆକ୍ରମଣ କରିବା ପାଇଁ ବିଶ୍ୱର ମୁସ୍‌ଲିମ ହ୍ୟାକରଙ୍କୁ ନିବେଦନ କରିଛନ୍ତି। ହ୍ୟାକର ଗୋଷ୍ଠୀ ଭାରତର ୨ହଜାରରୁ ଅଧିକ ୱେବସାଇଟ ହ୍ୟାକ କରିଛନ୍ତି ବୋଲି ଅହମ୍ମଦାବାଦ ସାଇବର କ୍ରାଇମବ୍ରାଞ୍ଚ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ହ୍ୟାକରମାନେ ନୂପୁର ଶର୍ମାଙ୍କ ଘର ଏବଂ ବ୍ୟକ୍ତିଗତ ବିବରଣୀ ଅନ୍‌ଲାଇନ୍‌ରେ ଉଲ୍ଲେଖ କରିଛନ୍ତି। ଏତଦ୍‌ ବ୍ୟତୀତ ଆସାମର ଏକ ଆଞ୍ଚଳିକ ଚ୍ୟାନେଲର ଲାଇଭ ଟେଲିକାଷ୍ଟରେ ପାକିସ୍ତାନ ପତାକା ଦେଖାଯାଇଥିଲା। ଏପରିକି ହ୍ୟାକରମାନେ ମୁମ୍ବାଇର ଥାଣେ ପୋଲିସ ୱେବସାଇଟକୁ ହ୍ୟାକ କରିଥିବା ଜଣାପଡ଼ିଛି। ସେହିପରି ଆନ୍ଧ୍ରପ୍ରଦେଶ ପୋଲିସର ବ୍ୟକ୍ତିଗତ ବିବରଣୀ ମଧ୍ୟ ଦିଆଯାଇଛି। ଅନ୍‌ଲାଇନ୍‌ରେ ଲୋକଙ୍କ ଆଧାର କାର୍ଡ ଏବଂ ପ୍ୟାନ କାର୍ଡ ମଧ୍ୟ ଲିକ୍‌ ହୋଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଅବଗତ କରାଯାଇଛି। ଏ ସମ୍ପର୍କରେ ଅହମ୍ମଦାବାଦ ସାଇବର କ୍ରାଇମ ମାଲେସିଆ ଏବଂ ଇଣ୍ଡୋନେସିଆ ସରକାରଙ୍କୁ ଏକ ଚିଠି ଲେଖିଛି। ଏହି ଚିଠିରେ ଅହମ୍ମଦାବାଦ ସାଇବର କ୍ରାଇମ ଉଭୟ ଗୋଷ୍ଠୀ ପାଇଁ ଇଣ୍ଟରପୋଲ ଲୁକ୍‌ଆଉଟ ନୋଟିସ ଜାରି କରିବାକୁ ଉଲ୍ଲେଖ ରହିଛି।

Share