Categories: ଜାତୀୟ

ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ ଏହି ଯୁବକ

ଅହମଦାବାଦ,୧୯।୧: ଗୁଜରାଟର ଅହମଦାବାଦରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ନିଜକୁ ଗୁଗୁଲ୍‌ର ଏଚ୍‌ଆର୍‌ ମ୍ୟାନେଜର୍‌ କହି ୫୦ରୁ ଅଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ପରେ ସେମାନଙ୍କୁ ଧୋକା ଦେଇଥିଲେ। ପୋଳିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ଗିରଫ ଯୁବକ ଜଣଙ୍କ ନିଜକୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ(ଆଇଆଇଏମ) ଅହମଦାବାଦରୁ ପାସ୍‌ କରିଥିବା କହୁଥିଲେ। ଏହାସହ ବିବାହ ପାଇଁ ମ୍ୟାଟ୍ରିମୋନିଆଲ୍‌ ସାଇଟ୍‌ରେ ଭିନ୍ନ ଭିନ୍ନ ଆଇଡି ତିଆରି କରି ଯୁବତୀଙ୍କୁ ଠକୁଥିଲେ। ଏକ ଆଇଡିରେ ସେ ନିଜକୁ ଗୁଗୁଲର ଏଚ୍‌ଆର୍‌ ମ୍ୟାନେଜର୍‌ ମଧ୍ୟ ପରିଚୟ ଦେଇଥିଲେ। ଏଭଳି ପରିଚୟ ଦେଇ ସେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ। ଏହାପରେ ଯୁବତଙ୍କଠାରୁ ଟଙ୍କା ଠକି ନେଇ ଫେରାର ହୋଇଯାଉଥିଲେ। ଜଣେ ଯୁବତୀ ଏନେଇ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିବାରୁ ସତ ପଦାକୁ ଆସିଥିଲା। ସାଇବର ସେଲ୍‌ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ସନ୍ଦୀପ ଶମ୍ବୁନାଥ ମିଶ୍ର ବୋଲି ଜଣାପଡିଛି। ସେ ବିହାନ ଶର୍ମା, ଆକାଶ ଶର୍ମା ଭଳି ନାଁରେ ମ୍ୟାଟ୍ରିମୋନିରେ ପ୍ରୋଫାଇଲ୍‌ ପ୍ରସ୍ତୁତ କରିଥିଲେ। ଏହାସହ ୩୦ରୁ ଅଧିକ ସିମ୍‌ କାର୍ଡ, ୪ଟି ଫୋନ୍‌ ମଧ୍ୟ ସେ ବ୍ୟବହାର କରୁଥିଲେ।

Share