Categories: ଜାତୀୟ

ନିଶ ମୋଡ଼ିବାରୁ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼

ଅହମ୍ମଦାବାଦ,୨୬।୫: ନିଶ ମୋଡ଼ିବା କାରଣରୁ ୨୨ ବର୍ଷୀୟ ଦଳିତ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ଅହମ୍ମଦାବାଦ ଗ୍ରାମୀଣ ଅଞ୍ଚଳ ବିରାମଗାମ ତାଲୁକାର କରାକଠାଲ ଗାଁରେ ଘଟିଛି ଏଭଳି ଘଟଣା। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଏହି ଘଟଣାକୁ ନେଇ ଟୁଇଟରରେ ‘ସୁରେଶ ନିଶ୍ଚେ ନିଶ ରଖିବ’ ଟ୍ରେଣ୍ଡ କରୁଛି। ଏହାକୁ ଏପର୍ଯ୍ୟନ୍ତ ୧୨ ହଜାରରୁ ଊର୍ଦ୍ଧ୍ୱ ଟୁଇଟ୍‌ ହୋଇସାରିଲାଣି।

ରବିବାର ରାତିରେ ଘଟିଥିବା ଘଟଣାକୁ ନେଇ ୬ ଜଣ ନାମଧାରୀଙ୍କ ସମେତ ୧୦ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୀଡ଼ିତଙ୍କୁ ଶିବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ପୋଲିସ ଅଧିକାରୀ କହିଛନ୍ତି।

ପୀଡ଼ିତ ହେଉଛନ୍ତି କାରାକଠାଲ ଗାଁର ବାସୀନ୍ଦା ସୁରେଶ ବାଘେଲା। ଅଭିଯୋଗ ପତ୍ରରେ ସୁରେଶ ଦର୍ଶାଇଛନ୍ତି, ରବିବାର ରାତି ପ୍ରାୟ ୧୦ରେ ମୋତେ ଧାମା ଭାଇ (ଅଭିଯୁକ୍ତ) କଲ କରି ନିଶ କାହିଁକି ରଖିଛୁ ବୋଲି ପଚାରିଥିଲେ। କିଛି ସମୟରେ ଧାମା ଭାଇଙ୍କ ସମେତ ୧୦ ଜଣ ଲୁହା ରଡ ଓ ବାଡ଼ି ଧରି ପହଞ୍ଚିଥିଲେ ମୋ ଘରେ। ସେମାନେ ଗାଳିଗୁଲଜ କରିବା ସହ ମୋତେ ମାଡ଼ମାରି ନିର୍ଯାତନା ଦେଇଥିଲେ। ଏହାପରେ ମୋତେ ଶିବ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସହ ମୋର କୌଣସି ଶତୃତା ନାହିଁ।

Share