୧୩ବର୍ଷ ପିଲା ନିକଟରେ ଚିହ୍ନଟ ହେଲା ବ୍ଲାକ୍‌ ଫଙ୍ଗସ୍‌

ଅହମଦାବାଦ,୨୧।୫: କରୋନା ସଙ୍କଟ ମଧ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଏକ ନୂଆ ସମସ୍ୟା ଭାବେ ଉଭା ହୋଇଛି। ଦେଶର ଅନେକ ରାଜ୍ୟରେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଏହାକୁ ନେଇ ଏବେ ଲୋକେ ଚିନ୍ତାରେ ପଡ଼ିଯାଇଛନ୍ତି। ବୟସ୍କ ଓ ବୃଦ୍ଧଙ୍କ ପରେ ଏବେ ଏହା ଶିଶୁଙ୍କୁ ଆକ୍ରାନ୍ତ କରୁଥିବା ଦେଖିବାକୁ ମିଳିଛି। ଗୁଜରାଟ ଅହମଦାବାଦରେ ଜଣେ ୧୩ବର୍ଷର ଶିଶୁ ବ୍ଲାକ୍‌ ଫଙ୍ଗସ୍‌ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ରିପୋର୍ଟ ପଜିଟିଭ୍‌ ଆସିବା ପରେ ଶୁକ୍ରବାର ଅହମଦାବାଦ ସ୍ଥିତ ଏପଲ୍‌ ଚିଲ୍‌ଡ୍ରେନ୍‌ ହସ୍ପିଟାଲରେ ଉକ୍ତ ଶିଶୁଟିର ଅପରେଶନ୍‌ କରାଯାଇଛି। ତେବେ ୧୩ ବର୍ଷର ଶିଶୁ ନିକଟରେ ଦେଖାଦେଇଥିବା ବ୍ଲାକ୍‌ ଫଙ୍ଗସ୍‌ର ଏହା ପ୍ରଥମ ମାମଲା। ସୂଚନା ମୁତାବକ, ଉକ୍ତ ପିଲାଟି ପ୍ରଥମେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ମା’ ମଧ୍ୟ ସଂକ୍ରମିତ ହୋଇଥିଲେ। ହେଲେ କରୋନା ଯୋଗୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ କରୋନାରୁ ସୁସ୍ଥ ହେବାର ଦେଢ଼ ମାସ ପରେ ତାଙ୍କ ନିକଟରେ ଏହି ରୋଗ ଚିହ୍ନଟ ହୋଇଥିଲା। ତାଙ୍କ ନିକଟରେ ଅନ୍ୟ କୌଣସି ରୋଗ ନାହିଁ ବୋଲି ଚିକତ୍ସା କରୁଥିବା ଡାକ୍ତର କହିଛନ୍ତି। ତେବେ ଅପରେଶନ୍‌ ପରେ ଏବେ ପିଲାଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ଅଭିଷେକ ବସଁଲ କହିଛନ୍ତି।

Share