ସ୍ତ୍ରୀ ମୋଟି, କାଳି ହୋଇଥିବାରୁ ଏମିତି କଲେ ସ୍ବାମୀ

ଅହମ୍ମଦାବାଦ, ୧୬।୩: ଜଣେ ସ୍ତ୍ରୀ ଦେଖିବାକୁ ମୋଟି, କାଳି ଏବଂ ଅସୁନ୍ଦର ଥିବାରୁ ସ୍ବାମୀ ତାଙ୍କୁ ଛାଡି ଦେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଗୁଜୁରାଟ ଅହମ୍ମଦାବାଦର ଘାଟଲୋଦିଆ ଅଞ୍ଚଳରେ। ଏ ନେଇ ମହିଳା ଜଣଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ, ସେ କାଳି, ମୋଟି ଏବଂ ଅସୁନ୍ଦର ହୋଇଥିବାରୁ ସ୍ବାମୀ ତାଙ୍କୁ ଛାଡି ଚାଲିଯାଇଛନ୍ତି।
୨୦୦୮ରେ ସେମାନଙ୍କର ବିବାହ ହୋଇଥିଲା। ବିବାହର ପ୍ରାୟ ୧ ମାସ ପରେ ପୁଅ ଘର ଝିଅ ଘର ଲୋକଙ୍କୁ ଯୌତୁକ ମାଗିବା ଆରମ୍ଭ କରିଦେଇଥିଲେ। ମାତ୍ର ଝିଅର ବାପଘର ଲୋକେ ଟଙ୍କା ଦେବାକୁ ଅସମର୍ଥ ଥିଲେ। ତେଣୁ ଶାଶୁଘର ଲୋକେ ବୋହୂ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଦେଇଥିଲେ।
ଆହୁରି ମଧ୍ୟ ମହିଳା କହିଛନ୍ତି, ସ୍ବାମୀ ତାଙ୍କୁ ସବୁବେଳେ ଅସୁନ୍ଦରୀ ବୋଲି କହୁଥିଲେ। ଏଥିସହ ତାଙ୍କ ପ୍ରେମିକା ପତଳୀ, ସୁନ୍ଦରୀ ଏବଂ ଗୋରି ବୋଲି ମଧ୍ୟ ସେ କହୁଥିଲେ। ଏହାକୁ ନେଇ ସ୍ତ୍ରୀ ଯେତେବେଳେ ବିରୋଧ କରୁଥିଲେ ସ୍ବାମୀ ତାଙ୍କୁ ମାଡ଼ ମାରୁଥିଲେ। ଏଥିସହ ଶ୍ୱଶୁର ଘର ଲୋକେ ମଧ୍ୟ ତାଙ୍କୁ ମାଡ଼ ମାରିବାକୁ ଉଶୁକାଉଥିବା ସେ ଅଭିଯୋଗକରେ ଦର୍ଶାଇଛନ୍ତି। ଏ ନେଇ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share