Categories: ଜାତୀୟ

ଅହମଦାବାଦ୍‌ ସିରିଏଲ୍‌ ବିସ୍ଫୋରଣ, ୪୯ ଦୋଷୀ ସାବ୍ୟସ୍ତ-୨୮ ଦୋଷମୁକ୍ତ…

ଅହମଦାବାଦ୍‌, ୮।୨ : ଅହମଦାବାଦ୍‌ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଗୁଜୁରାଟ ସ୍ପେଶାଲ କୋର୍ଟ ରାୟ ଦେଇଛନ୍ତି। ବିସ୍ଫୋରଣ ମାମଲାରେ ୪୯ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ସହିତ, ୭୭ ଅଭିଯୁକ୍ତଙ୍କ ମଧ୍ୟରୁ ୨୮ ଜଣଙ୍କୁ ନିର୍ଦ୍ଦୋଷ ବୋଲି କହି ଖଲାସ କରିଛନ୍ତି। ଅହମ୍ମଦାବାଦରେ ୨୦୦୮ ଜୁଲାଇ ୨୬ରେ ହୋଇଥିବା ସିରିଏଲ ବିସ୍ଫୋରଣରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଅମ୍ବାଲାଲ ପଟେଲ ଏହି ରାୟ ପ୍ରଦାନ କରିଛନ୍ତି। ଅହମ୍ମଦାବାଦର ୨୦ ଟି ସ୍ଥାନରେ ୨୧ ଟି ବିସ୍ଫୋରଣରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ୨୮ ଜଣ ଅଭିଯୁକ୍ତ ୭ଟି ରାଜ୍ୟର ଭିନ୍ନ ଭିନ୍ନ ଜେଲରେ ରହିଛନ୍ତି।

ଏହି ବିସ୍ଫୋରଣରେ ୫୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୪୬ ଜଣ ଆହତ ହୋଇଥିଲେ।

ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ୯୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରାଯାଇଥିଲା। ଯେଉଁଥିରେ ୬୦୦୦ ଡକ୍ୟୁମେଣ୍ଟାରୀ ପ୍ରମାଣ ରହିଥିଲା। ଏହି ସମୟରେ ୯ ଜଣ ବିଚାରପତି ବଦଳିଛନ୍ତି। ଏଥି ସହିତ, ୧,୧୧୭ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା।

ଏହି ମାମଲାରେ ଅହମ୍ମଦାବାଦରେ ୧୯ ଟି ଏବଂ କଲୋଲରେ ଗୋଟିଏ ମାମଲା ପଞ୍ଜିକୃତ ହୋଇଥିଲା। ବୋମା ତିଆରି କରିଥିବା ନେଇ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ରହିଥିବା କୋର୍ଟରେ କୁହାଇଥିଲା। ଯେଉଁ ଗାଡିରେ ବୋମା ଲଗାଯାଇଥିଲା ସେହି ଗାଡିଗୁଡ଼ିକ ଅଭିଯୁକ୍ତଙ୍କ ଦ୍ୱାରା ନିଆଯାଇଥିବାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଥିଲା। ଅପରାଧୀମାନେ ସରକାରଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଦେଶଦ୍ରୋହ ଏବଂ ଆତଙ୍କ ସୃଷ୍ଟି କରିବାର ପ୍ରମାଣ ମଧ୍ୟ ରହିଥିଲା। ରାଜ୍ୟର ଶାନ୍ତି ଭଙ୍ଗ କରିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଖରାପ କରିବା ପାଇଁ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସାବ୍ୟସ୍ତ ହୋଇଥିଲା।

ତେବେ ପ୍ରତିପକ୍ଷ ଆଇନଜୀବୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ମିଥ୍ୟା ଅଭିଯୋଗ କରି ମାମଲା କରାଯାଇଛି । ଏହି ଅପରାଧରେ ଅଭିଯୁକ୍ତମାନେ ସମ୍ପୃକ୍ତ ନ ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ମିଥ୍ୟା ପ୍ରମାଣ ତିଆରି କରାଯାଇଥିବା ପ୍ରତିପକ୍ଷ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଥିଲେ।

Share