ନକଲି ଚେକ୍‌ରେ ଡିଏମ୍‌ଏଫ୍‌ ଆକାଉଣ୍ଟରୁ ୯.୬ କୋଟି ହଡ଼ପ ମାମଲା: ଆହୁଜା ଆଣ୍ଡ୍‌ ଆସୋସିଏଟ୍ସ ମାଲିକ ଗିରଫ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ରେ ଥିବା ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌)ର ଆକାଉଣ୍ଟରୁ ନକଲି ଚେକ୍‌ ଜରିଆରେ ୯.୬ କୋଟି ଟଙ୍କା ହଡ଼ପ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଛତିଶଗଡ ରାୟପୁରସ୍ଥିତ ରବିଗ୍ରାମ ଅଞ୍ଚଳର ଘନଶ୍ୟାମ ଆହୁଜା ଓରଫ ରିକି କିଙ୍ଗ୍ରାଣି (୩୦)। ଘନଶ୍ୟାମ ହେଉଛନ୍ତି ‘ଆହୁଜା ଆଣ୍ଡ୍‌ ଆସୋସିଏଟ୍‌ସ’ ଫାର୍ମର ମାଲିକ। ତାଙ୍କ ନିିକଟରୁ ଲାପଟପ୍‌, ମୋବାଇଲ, ପେନ୍‌ଡ୍ରାଇଭ, ଏଟିଏମ୍‌ କାର୍ଡ ଆଦି ଜବତ ହୋଇଛି। ଛତିଶଗଡରୁ ଘନଶ୍ୟାମଙ୍କୁ ଗିରଫ ପରେ ବିଳାଶପୁରସ୍ଥିତ ସିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ତାଙ୍କୁ ଇଓଡବ୍ଲ୍ୟୁ ଓଡ଼ିଶା ଆଣି ଗୁରୁବାର ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଥିଲା। ଜାମିନ ନାମଞ୍ଜୁର ପରେ ଘନଶ୍ୟାମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାପୂର୍ବରୁ ଗତ ଏପ୍ରିଲ ତୃତୀୟ ସପ୍ତାହରେ ମଧ୍ୟପ୍ରଦେଶରୁ ସହଯୋଗୀ ତଥା ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟରର ମାଲିକ ପୋମେଶ ତେମ୍ଭାରେଙ୍କୁ ଗିରଫ କରାଯାଇଥିବା ବେଳେ ସେ ଏବେ ଜେଲରେ ଅଛନ୍ତି।
ଠକେଇ ଜଣାପଡିବା ପରେ ବ୍ୟାଙ୍କର ଚିଫ୍‌ ମ୍ୟାନେଜର ସୁଜାତା କାନୁନ୍‌ଗୋ ଭଞ୍ଜପୁର ଥାନାରେ ଏତଲା ଦେଇଥିଲେ। ଏପ୍ରିଲ ୧୯ରେ ପୋଲିସ ମାମଲା (ନଂ.୯୫/୨୦୨୪) ରୁଜୁ କରିଥିଲା। ପରେ ଇଓଡବ୍ଲ୍ୟୁ ଏହାର ତଦନ୍ତ ଭାର ନେଇ ନିଜ ପକ୍ଷରୁ ଏକ ମାମଲା (ନଂ.୫/୨୦୨୪) ରୁଜୁ କରିଥିଲା। ଅଭିଯୁକ୍ତମାନେ ନକଲି ଚେକ୍‌ ଜରିଆରେ ଏହି ଟଙ୍କା ହଡ଼ପ କରିଥିଲେ। ଠକ ଗ୍ୟାଙ୍ଗ ଗତ ଏପ୍ରିଲ ୧୦ରେ ୨ଟି ନକଲି ଚେକ୍‌ ଜରିଆରେ ଡିଏମ୍‌ଏଫ୍‌ ଜମାଖାତାରୁ ୪.୫୨ କୋଟି ଓ ୧୮ ତାରିଖରେ ଆଉ ୨ଟି ନକଲି ଚେକ୍‌ ଜରିଆରେ ୫.୦୪ କୋଟି ଟଙ୍କା ଉଠାଇ ନେଇଥିଲେ। ମୋଟ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ଟଙ୍କା ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟର ଓ ଏସ୍‌କେ ଏଣ୍ଟରପ୍ରାଇଜେସ୍‌ ଆକାଉଣ୍ଟକୁ ଟ୍ରାନ୍ସଫର୍‌ ହୋଇଥିଲା। ପରେ ପିଟି କନ୍‌ଷ୍ଟ୍ରକ୍ସନ୍‌ ଆଣ୍ଡ୍‌ ସପ୍ଲାୟର ଆକାଉଣ୍ଟରୁ ଆହୁଜା ଆଣ୍ଡ୍‌ ଆସୋସିଏଟ୍‌ସର ଆକାଉଣ୍ଟକୁ ୬୩.୬୯ ଲକ୍ଷ ଯାଇଥିବା ବେଳେ ୧୧.୬୯ ଲକ୍ଷ ଏଟିଏମ୍‌ରୁ ଉଠାଯାଇଥିବା ଜଣାପଡିଥିଲା। ଗିରଫ ଭୟରେ ଅଭିଯୁକ୍ତ ଘନଶ୍ୟାମ ତାଙ୍କ ନାମକୁ ରାକେଶ କିଙ୍ଗ୍ରାଣି (ରିକି)କୁ ବଦଳାଇ ନୂଆ ଆଧାର କାର୍ଡ କରିଦେଇଥିଲେ। ଘନଶ୍ୟାମ ଏକ ବଡ଼ ଗ୍ୟାଙ୍ଗର ସଦସ୍ୟ ଥିବାବେଳେ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ତାଙ୍କର ର଼୍ୟାକେଟ ସକ୍ରିୟ ରହିଛି।