ମୃତ୍ୟୁକୋଷ୍ଠୀ ତିଆରି କରିପାରେ ଏଆଇ

ଆଇ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା ଆମକୁ ଦୁଃଖ ଓ ସୁଖ ଜଣାଇପାରେ, ମଜା କଥା ଶୁଣାଇପାରେ। କାହାର କେତେବେଳେ ମୃତ୍ୟୁ ହେବ ତାହା ବି କହିପାରେ, ଅର୍ଥାତ୍‌ ଜାତକ ତିଆରି କରିପାରେ। ଏହା ଦେଖାଇ ଦେଇଛନ୍ତି ଡେନ୍‌ମାର୍କର ଦଳେ ବୈଜ୍ଞାନିକ। ସେମାନେ ତିଆରି କରିଥିବା କୋଷ୍ଠୀର ନାମ ଲାଇଫ୍‌୨ଭେକ୍‌ (Life2Vec): ୨୦୧୬ରେ ସେମାନେ ଦଶ ଲକ୍ଷ ପାଖାପାଖି ୩୫ରୁ ୬୫ ବୟସର ଡାନିଶ୍‌ (ଡେନ୍‌ମାର୍କ ଅଧିବାସୀ)ମାନଙ୍କ ଜୀବନଯାତ୍ରାର ଟିକିନିଖି ବିବରଣୀକୁ ଭିତ୍ତି କରି ଏଆଇଠାରୁ ଉତ୍ତର ଚାହିଁଥିଲେ ଆଗାମୀ ୪ ବର୍ଷରେ, ୨୦୨୦ ବେଳକୁ କିଏ କିଏ ମୃତ୍ୟୁମୁଖରେ ପଡ଼ିଥିବେ। ନାଗରିକମାନଙ୍କ ଜୀବନର ଟିକିନିଖି ବିବରଣୀ ରଖୁଛି ଡେନ୍‌ମାର୍କ ସରକାରଙ୍କ ୧୯୬୬ରେ ପ୍ରତିଷ୍ଠିତ ରାଷ୍ଟ୍ରୀୟ ସଂସ୍ଥା ‘ଷ୍ଟାଟିଷ୍ଟିକ୍ସ ଡେନ୍‌ମାର୍କ’। ପୃଥିବୀରେ ଆଉ କୌଣସି ଦେଶ ନାଗରିକମାନଙ୍କ ଏପରି ତଥ୍ୟ ରଖିପାରିନାହାନ୍ତି। ଜଉମୁଦ ଦିଆହୋଇ ରଖାହୋଇଥିବା ଲାଇଫ୍‌୨ଭେକ୍‌ କୋଷ୍ଠୀକୁ ୨୦୨୦ରେ ଖୋଲି ଦେଖାଗଲା, ଯେଉଁମାନେ ମରିବେ ବୋଲି ସୂଚିତ କରାହୋଇଥିଲା, ସେମାନଙ୍କ ଭିତରୁ ୭୬% କ୍ଷେତ୍ରରେ ମୃତ୍ୟୁ ଘଟିଛି। ଜଣେ ମାର୍କିନ୍‌ ଓ ୭ ଜଣ ଡାନିଶ୍‌ ଗବେଷକଙ୍କ ନେତୃତ୍ୱ ନେଇଥିଲେ ଡାନିଶ୍‌ ବୈଜ୍ଞାନିକ ସୁନେ ଲେହମାନ୍ନ। ଏ କଥା ପ୍ରଥମେ ପ୍ରକାଶ କଲା ଫାଇନାନ୍‌ସିଆଲ୍‌ ଟାଇମ୍ସ ଓ ବ୍ଲୁମ୍‌ବର୍ଗ ଟର୍ମିନାଲ୍‌ରେ। ୨୦୧୯ର କାଉଣ୍ଟଡାଉନ୍‌ ଫିଲ୍ମରେ ଏକ କାଳ୍ପନିକ ଜାତକରେ ଅନୁରୂପ ଏକ ଗଣନା କରାଯାଇଥିଲା, ଯହିଁରେ ୨୬% କ୍ଷେତ୍ରରେ ସତ ଦେଖାହୋଇଥିଲା; ‘ରଟ୍ଟନ ଟମୋଟୋଜ୍‌’ ନାମକ ସିନେମା ଜଗତର ମୂଲ୍ୟାୟନକାରୀ ସଂସ୍ଥା ଏ ରେଟିଂ ଦେଇଥିଲା। ଡାନିଶ୍‌ ଅନୁଧ୍ୟାନର ସତ୍ୟତା ତ ୭୬%! ବୟସ ବାଛିଥିବା ଗବେଷକମାନେ କହନ୍ତି, ୩୫ରୁ କମ୍‌ ବୟସର ଲୋକଙ୍କ ଭିତରେ ମୃତ୍ୟୁ ଆଶଙ୍କା ପ୍ରାୟ ନାହିଁ ଏବଂ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ଭିତରେ ମୃତ୍ୟୁ ଆଶଙ୍କା ବହୁତ ବେଶି। ଏଭଳି ବଛା ହୋଇଥିବା ପ୍ରତ୍ୟେକ ମଣିଷ ଜୀବନରେ ଯାହା ଯାହା ଘଟିଯାଇଛି ପୂରା କାହାଣୀକୁ ଗୋଟିଏ ଲମ୍ବା ବାକ୍ୟରେ ଲେଖିହେବ ବୋଲି ଏଆଇ ଆଲ୍‌ଗୋରିଦିମ୍‌ ତିଆରି କରିଥିବା ସୁନେ ଲେହମାନ୍ନ କହନ୍ତି। ଏଆଇ ଲଗାଇ ତିଆରି କରାହୋଇଥିବା ଜାତକରେ ଥିଲା ୨୦୧୬ ଜାନୁଆରୀ ୧ ପରେ ୪ ବର୍ଷ ଭିତରେ କିଏ କିଏ ମରିପାରନ୍ତି। ଏପରି ଚିହ୍ନଟ କରାହୋଇଥିବା ନାମ ଭିତରୁ ୭୬ ପ୍ରତିଶତଙ୍କ କ୍ଷେତ୍ରରେ ଠିକ୍‌ ଥିଲା। ଅର୍ଥାତ୍‌ ଅବଧାନ ବା ଜ୍ୟୋତିଷ ତିଆରି କରୁଥିବା ଜାତକଠାରୁ ଏଆଇ ଜାତକ ବେଶି ବୈଜ୍ଞାନିକ।
ଏ ଅନୁଧ୍ୟାନରେ ସମ୍ପୃକ୍ତ ଲୋକଙ୍କୁ ଗବେଷଣାର କାରଣ କୁହାଯାଇନଥିଲା; ଏପରି କହିବାଟା ଦାୟିତ୍ୱହୀନତାର ଉଦାହରଣ ହୋଇଥା’ନ୍ତା। କ’ଣ କ’ଣ ଆୟୁଷକୁ କମାଇଥାଏ ବା ବଢ଼ାଇଦିଏ ସେସବୁର ଉଦାହରଣ ବି ପ୍ରକାଶ କରାଯାଇନାହିଁ, ଅନୁମାନ କରାଯାଉଛି ଡାକ୍ତରମାନଙ୍କଠୁ ସେସବୁ କାରଣ (ଫାକ୍ଟର) ନିଆଯାଇଛି। ସାଧାରଣ ଲୋକର ଚିନ୍ତାରେ ବିପର୍ଯ୍ୟୟ ହିଁ ମଣିଷକୁ ଅଳ୍ପାୟୁ କରିଥାଏ, ଆଉ ସବୁ କାରଣ ମଣିଷକୁ ଜଳ ଜଳ ଦିଶେନାହିଁ। ଯେଉଁସବୁ ଫ୍ୟାକ୍ଟରକୁ ଅନୁଧ୍ୟାନରେ ଭର୍ତ୍ତି କରାଯାଇଥିଲା, ସେଗୁଡ଼ିକ ଭିତରୁ ଅଳ୍ପାୟୁ ହେବାର କେତେକ କାରଣ ଜଣାଅଛି, ଯଥା (୧) ପୁରୁଷ ଭାବେ ଜନ୍ମ, (୨) ମାନସିକ ରୋଗ, (୩) ଦକ୍ଷତା ଦରକାର କରୁଥିବା ବୃତ୍ତି ଓ (୪) ସ୍ବଳ୍ପ ରୋଜଗାର। ଆଉ କ’ଣ କ’ଣ ସ୍ବାସ୍ଥ୍ୟକୁ ଖରାପ କରେ ତାହା ବି ଥିଲା, ଯଥା କର୍କଟ ରୋଗର ବିଭିନ୍ନ ସ୍ତର। ଗବେଷଣାକୁ ଗୁପ୍ତ ରଖିବାର କାରଣ ଇନ୍‌ସ୍ୟୁରାନ୍ସ କମ୍ପାନୀ ଭଳି କର୍ପୋରେଶନମାନେ ଯେପରି ଏ ମଡେଲ୍‌ ନ ଜାଣନ୍ତୁ, କାରଣ ସେମାନେ ବୀମାଭୁକ୍ତ ହେବାକୁ ଯାଉଥିବା ଲୋକଙ୍କ ଉପରେ ଲାଗୁ କରିଦେବେ। ଗବେଷକମାନଙ୍କ ଉଦ୍ଦେଶ୍ୟ ଲୋକେ ମରଣ ଆସନ୍ନ ଜାଣିଗଲେ ସାଙ୍ଗେ ସାଙ୍ଗେ ପ୍ରତିକାର ବ୍ୟବସ୍ଥା କରିପାରିବେ।
ଜେନେରେଟିଭ୍‌ ଏଆଇ ସପକ୍ଷରେ ଯେତେ ଭଲ କାରଣ ଅଛି, ସେତିକି ଖରାପ କାରଣ ବା ଡ୍ରବାକ୍‌ ଅଛି। ଏଆଇ ତିଆରି ପ୍ରବନ୍ଧ ଛତୁ ଫୁଟିବା ଭଳି ବ୍ୟାପିଲାଣି। ବହୁତ ପ୍ରବନ୍ଧ ବାଜେ। ଆମେ ଯେତେବେଳେ ନିମ୍ନମାନର ଏଆଇ ପାଠ ପାଉ ବଡ଼ ଖରାପ ଲାଗେ। ଏଆଇ ବିସ୍ଫୋରକ ସ୍ଥିତିରେ ପହଞ୍ଚତ୍ଗଲାଣି, ପ୍ରବଞ୍ଚନାର କାରଣ ହୋଇଗଲାଣି, ଯଥା ଶୈକ୍ଷିକ ପରୀକ୍ଷାରେ ଲଗାଇ ପରୀକ୍ଷକଙ୍କୁ ଠକିବା, ସୂକ୍ଷ୍ମ କଳାର କାଳ ହେବା, ଆମ ମୁହଁ ବଦଳରେ ଏଆଇ ଛବି ଚହଲିବା। ବହୁକ୍ଷେତ୍ରରେ ଲାଭ ବି ମିଳିଲା, ଯଥା ସ୍କ୍ରିନ୍‌ଶଟ୍‌ ବା ଛବି ଭିତରୁ ପାଠ କାଢ଼ିବା। ଆଗରୁ ମୋତେ ଛବି ଭିତରେ ଲେଖାଥିବା କଥାଟାକୁ ଟାଇପ୍‌ ବା ଲେଖିବାକୁ ପଡୁଥିଲା, ଏବେ ଏଆଇ ଲେଖାକୁ ଛବିରୁ ଅଲଗା କରିଦେଉଛି। ପିଲାଙ୍କ ପାଇଁ ମନଛୁଆଁ (ଫାଣ୍ଟାସି) ଗପ ଓ କ୍ୟାରେକ୍ଟର ତିଆରି କରିପାରୁଛି, କଳ୍ପନାର ଖେଳ ତିଆରି କରିବାରେ ମାହିର। କେତେକ କ୍ଷେତ୍ରରେ ଏଆଇ ବାଜେ ପ୍ରବନ୍ଧଟିଏ ଲେଖିଦେଇଛି, ତାକୁ ବି ଏକ ଚିଠା ବା ଡ୍ରାଫ୍ଟ ରୂପେ ଗ୍ରହଣ କରିହେବ। ଯାହା କଳ୍ପନାରେ ଆସୁଛି, ସେ କଥା ପଚାରିଦେଲେ ଏଆଇ ଦିଗ୍‌ଦର୍ଶନ ଦେଉଛି- ଭେଗ୍‌ ବା ଅସ୍ପଷ୍ଟ ବା ଅବିକଶିତ ଧାରଣାକୁ ପୂର୍ଣ୍ଣତା ଦେଇପାରୁଛି। ଏଯାଏ ତ ଆମେ ଏଆଇକୁ କିପରି ପୂର୍ଣ୍ଣପ୍ରାଣରେ ବ୍ୟବହାର କରିହେବ ତା’ ଜାଣିନାହୁଁ। ଦିନକୁ ଦିନ ଏଆଇର ନୂଆ ନୂଆ କ୍ଷମତା ଆବିଷ୍କାର କରୁଛୁ। ଚାଟ୍‌ବଟ୍‌ ଯେତେବେଳେ ବାହାରିଲା ଆମେ ପିଲାଳିଆ ଖେଳ ବୋଲି ଭାବିଥିଲୁ, ଏବେ ତାହାର କ୍ଷମତା ଅଳ୍ପ ବହୁତେ ଜାଣିଗଲା ପରେ ଚାଟ୍‌ଜିପିଟି ବାହାରିଲା। ଗୁଗୁଲ ସର୍ଚ୍ଚ ଇଞ୍ଜିନ ଖୋଲି ରଚନା ବା ଚିତ୍ର ଖୋଜିବା ଛାଡ଼ିଦେଲୁଣି, ଏଆଇ ଲଗାଇ ମାଗିଲେ ସର୍ଚ୍ଚ ଇଞ୍ଜିନ ଭଳି ଗୁଡ଼ାଏ ପାଠର ଶୀର୍ଷକ ଦେଖାଉ ନାହିଁ, ପ୍ରଥମେ ଗୋଟିଏ ସାର୍ଥକ ସାରାଂଶ ରୂପ ଯୋଗାଉଛି, ଯେଉଁଠୁ ଆମେ ଆହୁରି ଭଲ କରିପାରିବା। ବୈଜ୍ଞାନିକ ପ୍ରବନ୍ଧ ବା ଗବେଷଣା ଲେଖା ପ୍ରକାଶ କରିବାକୁ ହେଲେ ପ୍ରଥମେ ଏଆଇ ଲେଖାଟିକୁ ଭିତ୍ତିଭୂମି ରୂପେ ବା ପ୍ରଥମ ପ୍ରଚେଷ୍ଟା (ଚିଠା ବା ଡ୍ରାଫ୍ଟ) ଭାବେ ଗ୍ରହଣ କଲେ ତହିଁରୁ ବହୁତ ସାହାଯ୍ୟ ମିଳେ। ଟେକ୍ନୋଲଜି କମ୍ପାନୀଗୁଡ଼ିକ କହନ୍ତି, ମଣିଷର ତ ସବୁ ପରିସ୍ଥିତିର ସାମ୍ନା କରିବାର କ୍ଷମତା ଅଛି, ତାକୁ ଏଆଇ ପରିବର୍ଦ୍ଧିତ କରିପାରେ। କମ୍ପାନୀଗୁଡ଼ିକ ଟେକ୍ନୋଲଜିରେ ଛଙ୍କା ବା ଫିଲ୍‌ଟର ଲଗାଇ ସ୍ପାମ୍‌ର ସମ୍ଭାବନା କମାଉଛନ୍ତି। ଦରକାର ପଡ଼ିଲେ ନିୟନ୍ତ୍ରଣ କରିବାର, ଏବଂ ନୂଆ ଅଭ୍ୟାସ (ହାବିଟ୍‌) ଶିଖିବାର ସାମର୍ଥ୍ୟ ମଣିଷର ଅଛି, ଏଆଇ ଯେତେ ଖରାପ କାମ କରିପାରେ, ତାକୁ ବୈଜ୍ଞାନିକମାନେ ସମୟକ୍ରମେ ସଂଶୋଧନ କରିପାରିବେ।
ମାନବିକ ମୂଲ୍ୟବୋଧ ମୁଖ୍ୟ ଭୂମିକା ନେଲେ ଏଆଇ କରିପାରୁଥିବା ଗଣ୍ଡଗୋଳିଆ ପରିସ୍ଥିତିରେ ସୁଧାର ଆଣିହେବ। ଏଆଇ ତିଆରି କରୁଥିବା କୋଷ୍ଠୀ ପଢ଼ି କେଉଁଠି କେଉଁଠି ସୁଧାରିବାର ଅବସର ବା ସୁଯୋଗ ଅଛି ତା’ ଉପରେ ମଣିଷ ଜୋର୍‌ ଦେବ ଓ ଦୀର୍ଘାୟୁ ହେବାର ଉପାୟ ଖୋଜିବ। ପରିବେଶରେ ପ୍ରତିଟି ଜୀବନ ବିଛୁଡ଼ି ବା ଫୋପଡ଼ା ହୋଇପଡ଼ିଛି, ତାହାର ଟ୍ରାଜେକ୍ଟରି ବା ଫୋପଡ଼ା-ମାର୍ଗ ଉପରେ ଲାଇଫ୍‌୨ଭେକ୍‌ ଭଳି ଭବିଷ୍ୟବାଣୀ କରି ଲୋକଙ୍କୁ ଆଗରୁ ଜଣାଇଲେ ପ୍ରତିକାର ବ୍ୟବସ୍ଥା କରିହେବ ତଥା ଏଆଇ ବ୍ୟବହାର କରି ମୃତ୍ୟୁର ଆଗମନ ପ୍ରକ୍ରିୟାକୁ ଓ ବୁଦ୍ଧିର ହ୍ରାସ(କଗ୍ନିସନ୍‌ ଲସ୍‌) ପ୍ରକ୍ରିୟାକୁ ରୋକିବାର ବ୍ୟବସ୍ଥା କରିହେବ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

ମହାକାଶରେ ମଣିଷ

ଖ୍ରୀଷ୍ଟପୂର୍ବ ୩୯୯ରେ ଗ୍ରୀକ୍‌ ଦାର୍ଶନିକ ସକ୍ରେଟିସ୍‌ କହିଥିଲେ, ”ମଣିଷ ପୃଥିବୀ ଉପରୁ ବାୟୁମଣ୍ଡଳର ଶୀର୍ଷ ଭାଗକୁ କିମ୍ବା ତା’ଠାରୁ ଅଧିକ ଉପରକୁ ଯାଇପାରିଲେ ହିଁ ସେ...

ଲୋକଙ୍କ ସରକାରରେ ରାଜ୍ୟର ‘ସୁଭଦ୍ରା’ ହେବେ ସଶକ୍ତ ଓ ଆତ୍ମନିର୍ଭର

ଓଡ଼ିଶାର ସାମାଜିକ ନ୍ୟାୟ ଇତିହାସରେ ଆଜି ଏକ ଗୌରବମୟ ଦିନ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଜି ରାଜ୍ୟର ମହିଳାମାନଙ୍କ ପାଇଁ ସୁଭଦ୍ରା...

ଗୁଣିର ଶିକାର

ଏକବିଂଶ ଶତାବ୍ଦୀରେ ମଣିଷ ବିଜ୍ଞାନ ପ୍ରଯୁକ୍ତିରେ ଅନେକ ଆଗେଇଯିବା ସତ୍ତ୍ୱେ ଅନ୍ଧବିଶ୍ୱାସ, ଗୁଣିଗାରେଡ଼ି ଓ ଡାହାଣୀ ଭଳି ଧାରଣାକୁ ଛାଡ଼ିପାରୁନାହିଁ। ଏଭଳି ମାନସିକତାର ଗମ୍ଭୀରତା ବିଷୟରେ...

ଏଇ ଭାରତରେ

ମଣିଷ ମରିବା ପରେ ହିଁ ପିଣ୍ଡଦାନ ଶ୍ରାଦ୍ଧ ଆଦି କର୍ମ କରାଯାଏ। କିନ୍ତୁ ବଞ୍ଚିଥିବା ଲୋକଙ୍କର ଶ୍ରାଦ୍ଧ କରିବା କଥା କେବେ ଶୁଣିଛନ୍ତି! କିନ୍ତୁ ଏମିତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri