Categories: ବାଣିଜ୍ୟ

ନିଯୁକ୍ତି ସୃଷ୍ଟିରେ ଏଆଇ ବାଧକ

ଭୁବନେଶ୍ୱର, ୨୩।୭(ଅନୁରାଧା ମହାରଣା): କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ଏକ ବଡ଼ଧରଣର ରୋଜଗାର ସଙ୍କଟ ସୃଷ୍ଟି କରିବ ବୋଲି ସାରା ବିଶ୍ୱରେ ବିଭିନ୍ନ ସମୟରେ ଆଲୋଚନା ହେଉଛି। ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ଅର୍ଥନୈତିକ ସର୍ଭେରେ ମଧ୍ୟ ଏଆଇର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ ସର୍ଭେ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ସର୍ଭେରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଆଗାମୀ ବର୍ଷ ଏବଂ ଦଶନ୍ଧି ମଧ୍ୟରେ ଭାରତର ଉଚ୍ଚ ଅଭିବୃଦ୍ଧି ହାରରେ ଏଆଇ ସବୁଠାରୁ ବଡ ପ୍ରତିବନ୍ଧକ ହୋଇପାରେ। ସର୍ଭେରେ ଏହା ପରାମର୍ଶ ଦିଆଯାଇଛି ଯେ ଏହାର ମୁକାବିଲା ପାଇଁ ଭାରତ ସରକାର, ରାଜ୍ୟ ସରକାର ଏବଂ ବେସରକାରୀ କ୍ଷେତ୍ର ସହଭାଗିତାରେ କାର୍ଯ୍ୟ କରିବାକୁ ପଡ଼ିବ। ଆସନ୍ତା ଦଶନ୍ଧିରେ ଭାରତର ସେବା ରପ୍ତାନି ଧୀରେ ଧୀରେ ବିଲୁପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଏଭଳି ସ୍ଥିତିରେ କର୍ପୋରେଟ କ୍ଷେତ୍ରରେ ଏଆଇ କିପରି ଶ୍ରମକୁ ପ୍ରୋତ୍ସାହିତ କରିପାରିବ ସେଥିପ୍ରତି ଗୁରୁତ୍ୱାରୋପ କରାଯାଇଛି। ସର୍ଭେ ଅନୁସାରେ ଗତ ଦୁଇ ବର୍ଷ ମଧ୍ୟରେ ଆଇଟି କ୍ଷେତ୍ରରେ ନିଯୁକ୍ତିରେ ହ୍ରାସ ଘଟିଛି। ସର୍ଭେରେ ଏହା ଲେଖାଯାଇଛି ଯେ, ରୋଜଗାର କେବଳ ଆୟ ସୃଷ୍ଟି କରିବା ସହିତ ନୁହେଁ ବରଂ ପରିବାର ଏବଂ ସମ୍ପ୍ରଦାୟ ମଧ୍ୟରେ ସମ୍ମାନ, ଆତ୍ମବିଶ୍ୱାସ ସହିତ ମଧ୍ୟ ସମ୍ବନ୍ଧିତ। ସୂଚନା ଥାଉ କି, ଏକ ଏଆଇ ସକ୍ଷମ ଇକୋସିଷ୍ଟମକୁ ସୁନିଶ୍ଚିତ କରିବା ଏବଂ ଦେଶର ଯୁବପିଢ଼ିଙ୍କ ସହିତ ଏଆଇକୁ ସଂଯୋଗ କରିବା ପାଇଁ ସରକାର ଅନେକ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିମଧ୍ୟରୁ ମଧ୍ୟରେ ଫ୍ୟୁଚର ସ୍କିଲ୍ସ ପ୍ରାଇମ, ୟୁବାଇ ୟୁଥ ଫର ଉନ୍ନତି ଆଦି ରହିଛି। ୨୦୨୪ ମସିହାରେ ଭାରତ ଏଆଇ ମିଶନ ପାଇଁ ୧୦,୩୦୦ କୋଟି ଟଙ୍କା ବଜେଟ ଯୋଗାଇ ଦିଆଯାଇଛି।

Share