Categories: ବାଣିଜ୍ୟ

ଏଆଇ ନିଯୁକ୍ତି: ୭ ବର୍ଷରେ ସୃଷ୍ଟି ହେବ ୧୩.୫କୋଟି ଚାକିରି, ସୁଯୋଗ ପାଇବେ ଭାରତୀୟ ଯୁବପିଢି

ନ୍ୟୁୟର୍କ,୨୦।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବହୁ କଳ୍ପାଜଳ୍ପନା ଲାଗି ରହିଛି। ଏଆଇ ଯୋଗୁ ଅନେକ କ୍ଷେତ୍ରରେ ବହୁ ସଂଖ୍ୟାରେ ଛଟେଇ ହେବାର ଆଶଙ୍କା କରାଯାଉଛି। କୁହାଯାଉଛି କି, ବିଶ୍ୱରେ ୭୫ନିୟୁତ ଲୋକ ଚାକିରି ହରାଇବେ। ବିଶେଷଜ୍ଞଙ୍କ ଅନୁସାରେ ଏଆଇ କେବଳ ଆଇନଜୀବୀ, ଲେଖକ ଏବଂ କଳାକାରଙ୍କୁ ପ୍ରଭାବିତ କରିନାହିଁ ବରଂ ଅନେକ ସେକ୍ଟରରେ ଥିବା କର୍ମଚାରୀଙ୍କୁ ପ୍ରଭାବିତ କରିଛି ଯେଉଁ କମ୍ବାନୀଗୁଡିକ ବୈଷିୟକ ମେସିନ ଦ୍ୱାରା ପରିଚାଳିତ କରାଯାଉଛି।

ତେବେ ଖୁସିର କଥା ଏହା ଯେ, ଆଗାମୀ ଭବିଷ୍ୟତରେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଯୋଗୁ ୧୩.୫କୋଟି ନୂଆ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି। ଦୁନିଆର ଶୀର୍ଷ କମ୍ପାନୀଗୁଡିକ କହିଛନ୍ତି ଯେ, ଆଗକୁ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାରେ ପାରଦର୍ଶୀ ହୋଇଥିବା ୮.୫କୋଟି ଦକ୍ଷ ଯୁବପିଢି ଖୋଜା ପଡିବେ। ତେବେ ଏହି ସୁଯୋଗର ଫାଇଦା ନେବାକୁ ଯୁବପିଢିମାନେ ବର୍ତ୍ତମାନଠାରୁ ନିଜେ ବୈଷୟିକ ଜ୍ଞାନ ଆହରଣ କରିବା ଉଚିତ୍‌। ଭାରତ ପରି ଦେଶମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ ଯେଉଁଥିରେ ଯୁବପିଢିଙ୍କ ସଂଖ୍ୟା ବହୁତ ଅଧିକ।

ଆଇବିଏମର ପ୍ରୋଗ୍ରାମ ଡେଭଲପମେଣ୍ଟ ହେଡ ସଞ୍ଜୀବ ମେହେଟ୍ଟା କହିଛନ୍ତି, ୨୦୩୦ ସୁଦ୍ଧା ବୈଷୟିକ ଜ୍ଞାନରେ ପାରଦର୍ଶୀ ଯୁବପିଢିଙ୍କ ଅଭାବ ଦେଖାଦେବ। କୃତ୍ରିମ ବୁଦ୍ଧିମତାର ସଠିକ ରୂପାନ୍ତର ହେଲେ ଦେଶର ଶ୍ରେଷ୍ଠ ୫୦୦କମ୍ପାନୀରେ ୨୫ ରୁ ୩୦ହଜାର ଲୋକ ନିଯୁକ୍ତି ପାଇବେ।

Share