Categories: ଫୁରସତ

ଏଆଇ ହ୍ୟୁମାନୋଏଡ ରୋବୋ: ଦେଖିବାକୁ ମଣିଷ ପରି, ହେଲେ ନୁହନ୍ତି ମଣିଷ…

ଦେଖିବାକୁ ମଣିଷ ପରି । କଥା ବି କୁହନ୍ତି ମଣିଷ ପରି । ଚେହେରାର ଭାବଭଙ୍ଗୀ ମଧ୍ୟ ମଣିଷ ପରି। ହେଲେ ପ୍ରକୃତରେ ଏମାନେ ମଣିଷ ନୁହନ୍ତି । ବରଂ ଏଆଇ ହ୍ୟୁମାନୋଏଡ ରୋବୋ । ଏମାନଙ୍କ ଭିତରେ ମଣିଷର ଏତେସବୁ ଦକ୍ଷତା ଭରି ରହିଛି ଯେ, ମଣିଷର ସ୍ଥାନ ନେବାରେ ବି ଏମାନେ ସକ୍ଷମ ହୋଇଛନ୍ତି। କେଉଁ ରୋବୋ ନାଗରିକତା ପାଇଛି ତ କିଏ ଚାକିରି କରୁଛି । ଜାଣିବା ସେମିତି କିଛି ଆଡଭାନ୍ସଡ ଏଆଇ ହ୍ୟୁମାନୋଏଡ ରୋବୋ ସମ୍ପର୍କରେ…

ନାଗରିକତା ପାଇଥିବା ରୋବୋ ସୋଫିଆ: ସାରା ପୃଥିବୀରେ ସେ ଶତାଧିକ କନଫରେନ୍ସରେ ନିଜର ବକ୍ତବ୍ୟ ପ୍ରଦାନ କରିଛି। ଲୋକଙ୍କ ମନରେ ଥିବା ନାନା ପ୍ରଶ୍ନର ଉତ୍ତର ବି ଦେଇଛି। ତା’ ଚେହେରାର ହାବଭାବ ଓ ଲୋକଙ୍କ ସହ ଭାବ ଆଦାନ ପ୍ରଦାନର ଶୈଳୀ ସବୁକିଛି ମଣିଷ ପରି। ହେଲେ ପ୍ରକୃତରେ ଏହା ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସୋସିଆଲ ହ୍ୟୁମାନୋଏଡ ରୋବୋ, ଯାହାର ନାଁ ‘ସୋଫିଆ’। ସମସ୍ତଙ୍କ ହୃଦୟ ଜିଣିପାରିଥିବା ଓ ଏକ ଦେଶର ନାଗରିତା ପାଇଥିବା ସୋଫିଆକୁ ହଂକଂ କମ୍ପାନୀ ହାନସନ୍‌ ରୋବୋଟିକ୍ସର ଡେଭିଡ ହାନସନ୍‌ ନିର୍ମାଣ କରିଛନ୍ତି। ସୋଫିଆର ଲୁକ୍‌ କିଛିଟା ହଲିଉଡ ଅଭିନେତ୍ରୀ ଆଡ୍ରି ହେପବର୍ନ ଏବଂ ପ୍ରାଚୀନ ମିଶରର ରାଣୀ ନେଫରଟିଟିଙ୍କ ପରି କରାଯାଇଛି। ଏହା ମଣିଷ ଚେହେରାର ଭାବଭଙ୍ଗୀକୁ ବୁଝିପାରେ, ତାକୁ ନକଲ କରିପାରେ, ମଣିଷ ପରି କଥାବାର୍ତ୍ତା କରିପାରେ। ତା’ସହ ମଣିଷର ଚେହେରା ତଥା ଲୋକଙ୍କୁ ଚିହ୍ନିବାର କ୍ଷମତା ବି ସୋଫିଆର ଅଛି। ମାନବ ଭିତରେ ପ୍ରେମ ଭାବନା ବି ସେ ଉତ୍ପନ୍ନ କରିପାରେ। ୨୦୧୬, ଫେବୃଆରୀ ୧୪ ତାରିଖ ତଥା ଭାଲେଣ୍ଟାଇନ୍ସ ଡେ’ରେ ଏହାକୁ ଆକ୍ଟିଭ କରାଯାଇଥିଲା। ମାର୍ଚ୍ଚ ୨୦୧୬ରେ ଟେକ୍ସାସ୍‌ ସହରରେ ପ୍ରଥମ କରି ଏହାକୁ ପ୍ରଦର୍ଶିତ କରାଯାଇଥିଲା। ଏହି ରୋବୋ ୫୦ରୁ ଊର୍ଦ୍ଧ୍ୱ ଚେହେରାର ଭାବ ପ୍ରଦର୍ଶିତ କରିବାରେ ସକ୍ଷମ। ସୋଫିଆ ମଧ୍ୟରେ ନ୍ୟୁରାଲ ନେଟଓ୍ବର୍କ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଅନ୍ତଃସ୍ଥାପିତ କରାଯାଇଛି। ତେଣୁ ଏଆଇ ମୋଡ୍‌ରେ ସେ ନିଜେ ନିଜକୁ ପରିଚାଳିତ କରିପାରେ। ଏହାକୁ ଏଭଳି ଭାବେ ପ୍ରୋଗ୍ରାମ କରାଯାଇଛି ଯେ, ଏହା ଲୋକଙ୍କ ସହ ବହୁତ ଭଲଭାବେ ଭାବର ଆଦାନପ୍ରଦାନ କରିପାରେ। ଫଳରେ ସେ ସାରା ପୃଥିବୀର ନାନା କନଫରେନ୍ସରେ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଛି। ପୃଥିବୀର ପ୍ରାୟ ସବୁ ଗଣମାଧ୍ୟମ ସୋଫିଆର ଉଣ୍ଟରଭ୍ୟୁ ନେଇଛନ୍ତି। ବଡ଼ ବଡ଼ ହାଇପ୍ରୋଫାଇଲ ଇଣ୍ଟରଭ୍ୟୁରେ ସୋଫିଆ ଚମତ୍କାର ଉତ୍ତର ଦେଇ ସମସ୍ତଙ୍କ ମନ ଜିଣିବାରେ ସକ୍ଷମ ହୋଇଛି। ସୋଫିଆ ମେଣ୍ଟାଲ ଥେରାପି ଦେବାରେ ବି ସକ୍ଷମ। ତେଣୁ କରୋନା ସମୟରେ ରୋଗୀଙ୍କ ସହ କଥା ବାର୍ତ୍ତା କରି ସଂକ୍ରମିତ ବ୍ୟକ୍ତିଙ୍କ ଏକୁଟିଆପଣକୁ ଦୂର କରିପାରିବ ବୋଲି କମ୍ପାନୀ ଏହାର ଉତ୍ପାଦନ ବଢ଼ାଇ କିଛି ହସ୍ପିଟାଲକୁ ଦେବାର ଯୋଜନା ବି କରିଥିଲା। ଯଦ୍ଦ୍ବାରା ସମାଜଠୁ ଦୂରରେ ଥିବା ରୋଗୀଙ୍କ ଏକଲାପଣ, ଚାପ ଓ ଅବସାଦକୁ ସେ ଦୂର କରିପାରିବ। ସ୍ବାସ୍ଥ୍ୟକର୍ମୀଙ୍କ ପରି ରୋଗୀଙ୍କ ସେବା ବି ଦେଇପାରିବ। ସୋଫିଆ ଭଲ ପେଣ୍ଟିଂ କରିପାରେ, ଶିକ୍ଷା ଉଦ୍ୟୋଗରେ ବି ସହାୟତା କରିପାରେ। ୨୦୨୧ରେ ସୋଫିଆ ତିଆରି କରିଥିବା ଏକ ସେଲ୍ଫ ପୋର୍ଟେଟ୍‌ ନିଲାମୀରେ ୭,୦୦୦୦୦ ଡଲାରରେ ବିକ୍ରି ହୋଇଥିଲା। ତେବେ ସୋଫିଆକୁ ନେଇ ବିବାଦ ବି କିଛି କମ୍‌ ନାହିଁ। ଯେମିତିକି ୨୦୧୬ରେ ସୋଫିଆର ନିର୍ମାତା ଏହାକୁ ପ୍ରଦର୍ଶିତ କରି ଡେମୋ ଦେଖାଇବାବେଳେ ତାକୁ ଏକ ପ୍ରଶ୍ନ କରିଥିଲେ ଯେ, ତୁମେ କ’ଣ ମାନବ ସମାଜକୁ ନଷ୍ଟ କରିବାକୁ ଚାହଁ? ତେବେ ଆଶ୍ଚର୍ଯ୍ୟର କଥା ସୋଫିଆ ଏହାର ଉତ୍ତରରେ କହିଥିଲା- ଠିକ୍‌ ଅଛି, ମୁଁ ମଣିଷଙ୍କୁ ନଷ୍ଟ କରିଦେବି। ଯାହାକୁ ନେଇ ସେତେବେଳେ ଅନେକ ବିବାଦ ହୋଇଥିଲା। ସେ ଯାହା ବି ହେଉ ୨୦୧୭, ଅକ୍ଟୋବରରେ ସାଉଦି ଆରବ ସୋଫିଆକୁ ନାଗରିକତା ପ୍ରଦାନ କରିଛି। ସୋଫିଆ ହେଉଛି କୌଣସି ଦେଶର ନାଗରିକତା ପାଇଥିବା ପୃଥିବୀର ଏକମାତ୍ର ରୋବୋ। ସୋଫିଆ ମୁମ୍ବାଇରେ ଆୟୋଜନ ହୋଇଥିବା ଏସିଆର ସବୁଠୁ ବଡ଼ ଟେକ୍‌ ଫେଷ୍ଟ୍‌ରେ ବି ସାମିଲ ହୋଇଥିଲା। ଏହିଦିନ ସୋଫିଆ ଶାଢ଼ି ପିନ୍ଧି ପୂରା ଭାରତୀୟ ମହିଳା ଲୁକ୍‌ରେ ଥିଲା। ଆଉ ସେ ‘ନମସ୍ତେ’ କହି ନିଜର ବକ୍ତବ୍ୟ ଆରମ୍ଭ କରିଥିଲା। ସେହିଦିନ ସେ ୧୫ ମିନିଟ ବକ୍ତବ୍ୟ ଦେବା ସହ ଲୋକଙ୍କ ପ୍ରଶ୍ନର ଉତ୍ତର ବି ଦେଇଥିଲା। ସୋଫିଆର ଫେସ୍‌ବୁକ୍‌, ଟୁଇଟର୍‌ ଭଳି ସୋସିଆଲ ମିଡିଆରେ ଆକାଉଣ୍ଟ ଓ ନିଜର ଏକ ଓ୍ବେବସାଇଟ୍‌ ବି ଅଛି।
ଦାଢିଥିବା ରୋବୋ ଜେମିନୋଏଡ ଡିକେ: ବାଦାମୀ ଆଖିକୁ ଫ୍ରେଞ୍ଚ କଟ୍‌ ଦାଢ଼ି। ତା’ସାଙ୍ଗ ସୁନ୍ଦର ହେୟାର ଷ୍ଟାଇଲ୍‌। ଦେଖିବାକୁ ପୂରାପୂରି ହ୍ୟାଣ୍ଡସମ୍‌ ମ୍ୟାନ୍‌ ପରି। ପ୍ରଥମ ଦେଖାରେ ପସନ୍ଦ କଲାଭଳି ପର୍ସନାଲିଟି। ହେଲେ ବାସ୍ତବିକ କଥା ଜାଣିଲେ ମୁ୍‌ଣ୍ଡ ଘୂରେଇଯିବ। କାରଣ ଏହି ହ୍ୟାଣ୍ଡସମ୍‌ ମ୍ୟାନ ପ୍ରକୃତରେ ଏକ ରୋବୋ, ଯାହାର ନଁା ଜେମିନୋଏଡ ଡିକେ। ଏହା ୟୁନିଭର୍ସିଟି ଅଫ୍‌ ଆଲବର୍ଗର ପ୍ର. ହେନେରୀ ସ୍କାର୍ଫଙ୍କର ଏକ ରୋବୋ ମଡେଲ। ଆଉ ଦେଖିବାକୁ ଅବିକଳ ହେନେରୀ ସ୍କାର୍ଫଙ୍କ ପରି। ଜାପାନର ଇଞ୍ଜିନିୟର ହିରୋଶୀ ଇଶୁଗୋରେ ଓ ତାଙ୍କ ଟିମ୍‌, ରୋବୋ ନିର୍ମାଣକାରୀ କମ୍ପାନୀ କୋକୋରୋ ଏବଂ ହେନେରୀ ଏକତ୍ର ଉକ୍ତ ରୋବୋକୁ ୨୦୧୧ରେ ତିଆରି କରିଛନ୍ତିି। ମେଟାଲିକ ସ୍କେଲିଟନ ଉପରେ ସିଲିକନ୍‌ର ଚର୍ମ ତା’ସହ ସତସତିକା କେଶର ଓ୍ବିଗରେ ବାସ୍ତବ ଲାଗୁଥିବା ଏହି ରୋବୋକୁ ତିଆରି କରିବା ଲାଗି ୯ ମାସ ଲାଗିଥିଲା। ଏହାର ଚେହେରା ଯେ କେବଳ ହେନେରୀଙ୍କ ପରି ତାହା ନୁହେଁ ରୋବୋର ଆଚାର ବ୍ୟବହାର ବି ହେନେରୀଙ୍କ ପରି। ହେନେରୀ ନିଜର କେଶ ବି ଏହି ରୋବୋର ଓ୍ବିଗ୍‌ ପାଇଁ ଦେଇଛନ୍ତି। ଏ ହେଉଛି ଚେହେରାରେ ଦାଢ଼ି ଥିବା ପ୍ରଥମ ରୋବୋ। ତେବେ ଜେମିନୋଏଡ୍‌ ଡିକେ ରୋବୋର ସବୁ ମୁଭ୍‌ମେଣ୍ଟ ଓ ଏକ୍ସପ୍ରେସନ୍‌ କମ୍ପ୍ୟୁଟର ମାଧ୍ୟମରେ ଜଣେ ବ୍ୟକ୍ତି
ଅପରେଟ୍‌ କରନ୍ତି, ଯେକି ମୋଶନ କ୍ୟାପ୍‌ଚର ସିଷ୍ଟମ ବ୍ୟବହାର କରି ଚେହେରାର ଭାବ ଓ ମୁଣ୍ଡର ମୁଭମେଣ୍ଟକୁ ଟ୍ରାକ୍‌ କରନ୍ତି। ମଣିଷ ଓ ରୋବୋ ମଧ୍ୟସ୍ଥ ପାରସ୍ପରିକ କ୍ରିୟାକୁ ଅଧ୍ୟୟନ କରିବା ଲାଗି ଏହାକୁ ତିଆରି କରାଯାଇଛି। ଖାସ୍‌କରି ରୋବୋ ମଣିଷକୁ ଭେଟିଲେ ମଣିଷର କ’ଣ ପ୍ରତିକ୍ରିୟା ହୁଏ ତାକୁ ଅଧ୍ୟୟନ କରିବା ଲାଗି ଏହାକୁ ତିଆରି କରାଯାଇଛି।
ସୁପର ରିୟଲିଷ୍ଟିକ ରୋବୋ ଜିଆ ଜିଆ: ଏଇ ରୋବୋକୁ ଦେଖିଲେ ତ ଯୁବକ ସବୁ ପ୍ରେମରେ ପଡ଼ିଯିବେ। କାରଣ ଏହା ଦେଖିବାକୁ ଜଣେ ସୁନ୍ଦରୀ ଯୁବତୀ ପରି। ସୁନ୍ଦର ପୋଷାକ, ଘଞ୍ଚ ଲମ୍ବା କଳା କେଶ ସାଙ୍ଗକୁ ଆଖି ଲାଖିଗଲା ଭଳି ଚେହେରା ଦେଖିଲେ କିଏ ବା କାହିଁକି ଭାବିବ ଏହା ଏକ ରୋବୋ ବୋଲି। ଆଉ ଏହି ରୋବୋକୁ ଚାଇନାର ୟୁନିଭର୍ସିଟି ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର ରିସର୍ଚ୍ଚ ଟିମ୍‌ ତିଆରି କରିଛନ୍ତି। ସୁନ୍ଦର ଚେହେରା, ସୁନ୍ଦର ଶରୀରର ଗଢ଼ଣ ସାଙ୍ଗକୁ ଏହାର ଜୀବନ୍ତ ଫେସିଆଲ ଏକ୍ସପ୍ରେଶନ ଏହାକୁ ବେଶି ଜୀବନ୍ତ କରାଏ। ଜିଆ ଜିଆ ରୋବୋରେ ଏସବୁ ସମ୍ଭବ ହୋଇଛି ସ୍ପିଚ ଜେନେରେଶନ ଆଲଗୋରିଦମ୍‌ ଓ ଫେସିଆଲ ରେକଗ୍‌ନିଶନ ଟେକୋ୍ନଲୋଜି ପାଇଁ। କ୍ଲାଉଡ ଟେକ୍ନୋଲୋଜି ଏହାର ସବୁ ଗତିବିଧିକୁ ନିୟନ୍ତ୍ରଣ କରିଥାଏ। ଏହା ହେଉଛି ଚାଇନାର ସୁପର ରିୟଲିଷ୍ଟିକ ରୋବୋ। ଏହା ମଣିଷଙ୍କ ସହ ସିଧାସଳଖ କଥାବାର୍ତ୍ତା କରିପାରେ। ପଚରାଯାଉଥିବା ପ୍ରଶ୍ନର ଉତ୍ତର ଦେଇପାରେ। ଥରେ ପ୍ରେସ୍‌ କନଫରେନ୍ସ ସମୟରେ ଜଣେ ଫଟୋଗ୍ରାଫର ବହୁତ ପାଖରୁ ଜିଆ ଜିଆର ଫଟୋ ଉଠାଉଥିବାରୁ ସେ କହିଥିଲା- ‘ଫଟୋ ଉଠାଇବାବେଳେ ମୋର ବେଶି ପାଖକୁ ଆସନ୍ତୁ ନାହିଁ। ମୋ ଚେହେରା ବେଶି ମୋଟା ଦେଖାଯିବ।’ ଏଥିରୁ ଅନୁମାନ କରିହେବ ଯେ ଉକ୍ତ ରୋବୋ କେତେ ଆଡଭାନ୍ସଡ। ଜିଆ ଜିଆର ଆଖି ମୁଭମେଣ୍ଟ ବହୁତ ଭଲ। ତା’ସହ କଥା କହିବାନୁଯାୟୀ ତା’ର ଓଠର ପରଫେକ୍ଟ ମୁଭମେଣ୍ଟ ବି ହୋଇଥାଏ। ଜିଆ ଜିଆକୁ ତିଆରି କରିବା ପାଇଁ ତିନି ବର୍ଷ ସମୟ ଲାଗିଥିଲା। ଏହାକୁ ତିଆରି କରିଥିବା ଟିମ୍‌ ଏହାର ଏକ ଡେଭଲପ୍‌ଡ ଭର୍ସନ ଜିଆ ଜିଆ ୨.୦ ଆଣିବାକୁ ବି ଚେଷ୍ଟା କରୁଛନ୍ତି, ଯେକି ହସିବା ସହ କାନ୍ଦି ମଧ୍ୟ ପାରୁଥିବ।
ଆମେକା: କର୍ନଓ୍ବାଲ୍‌ର ରୋବୋଟିକ୍ସ କମ୍ପାନୀ ଇଞ୍ଜିନିୟରଡ ଆର୍ଟସ୍‌ ଏହି ହ୍ୟୁମାନୋଏଡ ରୋବୋକୁ ତିଆରି କରିଛି। ଏହାର ବାଇନୋକୁଲାର ଆଇ ମାଉଣ୍ଟେଡ କ୍ୟାମେରା ଓ ବାଇନୌରାଲ ଇୟରମାଉଣ୍ଟେଡ ମାଇକ୍ରୋଫୋନ୍‌ ରୋବୋକୁ ଦେଖିବା, ଶୁଣିବା, ଚେହେରା ଚିହ୍ନିବା, ଭାବ ଓ ସ୍ବରକୁ ଚିହ୍ନିବାରେ ସାହାଯ୍ୟ କରିଥାଏ। ଆମେକା ନିଜର ମୁଣ୍ଡ, ବେକ, ହାତ, ବାହୁ, ଚେହେରା ଏଭଳିଭାବେ ହଲାଇପାରେ ଯେ, ତାହା ସତସତିକା ମଣିଷ ପରି ଲାଗେ। ଏମିତିକି ଆମେକା ଆଖି ପତା ବି ମିଟ୍‌ମିଟ୍‌ କରିପାରେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ଏହାକୁ ତିଆରି କରାଯାଇଥିବାରୁ ଏହା ମଣିଷ ପରି ମୁଭମେଣ୍ଟ କରେ, କଥା କହେ ଓ ରାଗଠୁ ଆରମ୍ଭ କରି ଖୁସି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଭାବ ପ୍ରକାଶ କରିପାରେ। ଇଞ୍ଜିନିୟରର୍ଡ ଆର୍ଟ ଅନୁଯାୟୀ ଏହାକୁ ରିସେପ୍ସନରେ ଅଭିନନ୍ଦନ ଜ୍ଞାପନ କରିବା, ପ୍ରଡକ୍ଟ ଟେଷ୍ଟିଂ ଲାବ୍‌ ଆଦିରେ ବ୍ୟବହାର କରିହେବ।
ନାଦିନ୍‌ ରୋବୋ: ଆଖି, ନାକ, କାନଠୁ ଆରମ୍ଭ କରି ହାତ, କେଶ, ଚର୍ମ ସବୁ କିଛି ମଣିଷ ପରି। ନିରିଖେଇ ଦେଖିଲେ ବି ଜାଣି ହେବନି ଯେ, ଏହା ମଣିଷ ନୁହେଁ ରୋବୋ ବୋଲି। ଉକ୍ତ ରୋବୋର ନାଁ ହେଉଛି ନାଦିନ୍‌। ନାଦିନ୍‌ ହେଉଛି ତା’ର ସୃଷ୍ଟିକର୍ତ୍ତା ପ୍ର. ନାଦିଆ ମାଗ୍ନେନଟ୍‌ ଥଲମନ୍‌୍‌ଙ୍କର ଏକ ମଡେଲ ରୋବୋ। ଆଉ ଦେଖିବାକୁ ଅବିକଳ ପ୍ର. ନାଦିଆଙ୍କ ପରି। ତେଣୁ ଯେ କେହି ନାଦିନ୍‌କୁ ନାଦିଆଙ୍କ ଯାଆଁଳା ଭାବି ନେବେ। ହେଲେ ନାଦିନ୍‌ ଏକ ସୋସିଆଲ ରୋବୋ। ଅର୍ଥାତ୍‌ ନାଦିନ୍‌ କାହା ସହିତ ଦେଖା ହେଲେ ଅଭିନନ୍ଦନ ଜଣାଇଥାଏ, ଆଖି ସହ ଆଖି ମିଶାଇ କଥା ବି ହୁଏ। କଥାହେବାବେଳେ ଆଖି ଓ ଅଙ୍ଗଭଙ୍ଗୀରେ ତା’ର ଭାବ ବ୍ୟକ୍ତ ହୁଏ। ଆଉ ଯାହା ବି ବାର୍ତ୍ତାଳାପ ହୁଏ ତାକୁ ସେ ମନେ ରଖେ। ତା’ସହ ପଚରାଯାଉଥିବା ପ୍ରଶ୍ନର ସେ ବିଭିନ୍ନ ଭାଷାରେ ଉତ୍ତର ଦେବାରେ ବି ସେ ସକ୍ଷମ। କେବଳ ସେତିକି ନୁହେଁ ପୂର୍ବରୁ ଦେଖା ହୋଇଥିବା ଲୋକଙ୍କୁ ପରେ ଭେଟିଲେ ବି ସେ ଚିହ୍ନି ପାରେ। ସେହି ବ୍ୟକ୍ତି ସମ୍ବନ୍ଧିତ ସବୁ ତଥ୍ୟ ଓ ଘଟଣା ମନେ ରଖିପାରେ। ଏହି ସବୁ ବିଶେଷତ୍ୱ ପାଇଁ ନାଦିନ୍‌ ସିଙ୍ଗାପୁରର ଏକ ଏଆଇଏ ବୀମା କମ୍ପାନୀରେ ଗ୍ରାହକ ସେବା ଏଜେଣ୍ଟ ଭାବେ କାମ ବି କରିଛି। ଫଳରେ ସେ ଗ୍ରାହକ ସେବା ଏଜେଣ୍ଟ ଭାବେ କାମ କରିଥିବା ପୃଥିବୀର ପ୍ରଥମ ରୋବୋ ଭାବେ ବେଶ୍‌ ପରିଚିତ। ୨୦୧୩ରେ ଜାପାନର କୋକୋରୋ କମ୍ପାନୀ ଦ୍ୱାରା ନାଦିନ୍‌ ନିର୍ମିତ ହୋଇଥିଲା। ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜି ୟୁନିଭର୍ସିଟିର ଇନ୍‌ଷ୍ଟିଚ୍ୟୁଟ ଫର ମିଡିଆ ଇନୋଭେଶନ୍‌ରେ ବିକଶିତ କରାଯାଇଥିବା ନାଦିନ୍‌ର ସଫ୍ଟଓ୍ବେରରେ ଭାବନାକୁ ଦେଖାଇବା, ସ୍ବାଭାବିକଭାବେ କହିବା, କିଛି ଇଙ୍ଗିତ ବା ଇଶାରାକୁ ବୁଝିବା ସହ ଘଟଣାର ତଥ୍ୟକୁ ମନେରଖିବାର କ୍ଷମତା ଅଛି। ଏହାକୁ ପୃଥିବୀର ସବୁଠାରୁ ଅଧିକ ବାସ୍ତବ ଲାଗୁଥିବା ହ୍ୟୁମାନୋଏଡ ରୋବୋ ଭାବେ ଗଣନା କରାଯାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜି ୟୁନିଭର୍ସିଟିକୁ ଗସ୍ତ କଲାବେଳେ ନାଦିନ୍‌ ସହ କଥାବାର୍ତ୍ତା ବି ହୋଇଥିଲେ।
ଜୁଙ୍କୋ ଚିହିରା ରୋବୋ: ୫ ଫୁଟ୍‌ ୫ ଇଞ୍ଚ୍‌ ଉଚ୍ଚତାର ଏହି ରୋବୋ ଦେଖିବାକୁ ୨୬ ବର୍ଷୀୟା ଜାପାନୀ ମହିଳା ପରି। ବେଶ୍‌ ବାସ୍ତବ ଲାଗୁଥିବା ଏହି ରୋବୋ ଏକ ଆଣ୍ଡ୍ରୋଏଡ ରୋବୋ, ଯାହାକୁ ତୋଶିବା କମ୍ପାନୀ ତିଆରି କରିଛି। ଟୋକିଓର ଟୁରିଷ୍ଟ ଇନଫର୍ମେସନ୍‌ ସେଣ୍ଟରରେ ଏହା ଫୁଲ୍‌ ଟାଇମ୍‌ କାମ କରୁଛି। ପୂର୍ବରୁ ଏହି ରୋବୋ କେବଳ ସ୍କ୍ରିପ୍ଟେଡ ପ୍ରିସେଟ୍‌ ସ୍ପିଚ୍‌ ଦ୍ୱାରା ଭାବର ଆଦାନ ପ୍ରଦାନ କରୁଥିଲା। କିନ୍ତୁ ୨୦୧୭ରେ ଏହା ମଧ୍ୟରେ ସ୍ପିଚ ରିକଗ୍‌ନିସନ୍‌ କ୍ଷମତା ଦିଆଗଲା। ଏବେ ଏହା ପର୍ଯ୍ୟଟକଙ୍କ ପ୍ରଶ୍ନର ଉତ୍ତର ନିଜେ ଦେଇ ପାରୁଛି। ଏହା ଟୁରିଜମ୍‌ ଓ ସର୍ଭିସ ଇଣ୍ଡଷ୍ଟ୍ରିରେ କାମ କରିବା ଛଡା ଆଗାମୀ ଦିନରେ ବୟସ୍କ ବ୍ୟକ୍ତିଙ୍କ ହେଲ୍‌ଥ କେୟାର କାମରେ ନିୟୋଜିତ ହେବାର ଯୋଜନା ରହିଛି।

 

Share