ପ୍ରାୟ ୪.୪ ବିଲିୟନ ଲୋକ ରହୁଥିବା ସହରଗୁଡ଼ିକ ବିନାଶକାରୀ ଜଳବାୟୁଜନିତ ଘଟଣାର ସାମ୍ନା କରୁଛନ୍ତି ଓ ଅତ୍ୟଧିକ ବିପଦରେ ରହିଛନ୍ତି। ସମୁଦ୍ର ପତ୍ତନ ବୃଦ୍ଧି ଏବଂ ବନ୍ୟା ପରିସ୍ଥିତି ନ୍ୟୁୟର୍କ ସହର ଏବଂ ଜାକର୍ତ୍ତା ଭଳି ଉପକୂଳବର୍ତ୍ତୀ ମେଗାସିଟିଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏହା ବ୍ୟତୀତ ପ୍ରତିବର୍ଷ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟର ସହରଗୁଡ଼ିକୁ ଗମ୍ଭୀର ଗ୍ରୀଷ୍ମପ୍ରବାହ ପ୍ରଭାବିତ କରୁଛିି। ଏହା ବାରମ୍ବାର ଘଟିବା ସହ ତୀବ୍ର ହେବାର ଅନୁମାନ କରାଯାଉଛି। ଅନେକ ସହରାଞ୍ଚଳରେ ରହୁଥିବା ଜନସମୁଦାୟ ଜଳବାୟୁଜନିତ ସ୍ବାସ୍ଥ୍ୟ ଏବଂ ଅର୍ଥନୈତିକ ବିପଦର ସମ୍ମୁଖୀନ ହେଉଛନ୍ତି। ବାୟୁ ପ୍ରଦୂଷଣ ଏବଂ ପ୍ରାକୃତିକ ବିପର୍ଯ୍ୟୟ ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଅତି ଗମ୍ଭୀର ହୋଇପାରେ, ଯଦ୍ଦ୍ବାରା ସେଠାରେ ଅଧିକ ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯିବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ଏବେ ଆମେ ସମ୍ମୁଖୀନ ହେଉଥିବା ବ୍ୟାପକ ଆହ୍ବାନକୁ ସହରଗୁଡ଼ିକ ଆହୁରି ବଢ଼ାଇଦେଉଛି। କାରଣ ବିଶ୍ୱରେ ମୋଟ କାର୍ବନ ନିର୍ଗମନର ୭୦% ସହରଗୁଡ଼ିକରୁ ହେଉଛି ଏବଂ ସେସବୁ ବୈଶ୍ୱିକ ଶକ୍ତିର ୭୮% ଉପଯୋଗ କରୁଛନ୍ତି। ଏହି ପ୍ରତିଶତ ଦ୍ରୁତ ସହରୀକରଣ ଦ୍ୱାରା ଆହୁରି ବୃଦ୍ଧି ପାଇପାରେ। ୟୁଏନ୍ ହାବିଟାଟ୍ ଅନୁଯାୟୀ, ୨୦୫୦ ସୁଦ୍ଧା ସହରାଞ୍ଚଳର ଜନସଂଖ୍ୟା ୬୮% ବୃଦ୍ଧି ପାଇବାର ସମ୍ଭାବନା ରହିଛି।
ଏହା ସ୍ପଷ୍ଟ ଯେ, ଜଳବାୟୁ ପରିବର୍ତ୍ତନକୁ ରୋକିବାରେ ସହରଗୁଡ଼ିକ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବେ। ଏ ଦିଗରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ସହରଗୁଡ଼ିକୁ ଅତ୍ୟଧିକ ସହଯୋଗ କରିପାରେ ଏବଂ ଜଳବାୟୁଜନିତ ଅତ୍ୟନ୍ତ ଜଟିଳ ଘଟଣାଗୁଡ଼ିକୁ ଦୂର କରିବା ସହ ସେଥିରୁ ରକ୍ଷା କରିବା ପାଇଁ ସୁଯୋଗ ସୃଷ୍ଟି କରିପାରେ। ଯଦି ନୈତିକତାର ଦୃଷ୍ଟିକୋଣରୁ ଏଆଇକୁ ଦାୟିତ୍ୱର ସହ ବିକାଶ ଓ ପ୍ରୟୋଗ କରାଯାଏ, ତେବେ ଏହା ସହରାଞ୍ଚଳର ଜଳବାୟୁ ଜନିତ ବିପର୍ଯ୍ୟୟକୁ ରୋକିବା ସହ ବିଜ୍ଞାନ ଆଧାରିତ ନିରନ୍ତର ବିକାଶକୁ ଅଧିକ ତ୍ୱରାନ୍ବିତ କରିବ। ଏହା ନୂତନତ୍ୱକୁ ବାଟ ଦେଖାଇବ ଓ ସବୁଠାରୁ ଅସୁରକ୍ଷିତ ସମୁଦାୟକୁ ପ୍ରାଥମିକତା ଦେବା ଲାଗି ଆମକୁ ସୁଯୋଗ ଦେବ। କିନ୍ତୁ ପ୍ରଥମ ପଦକ୍ଷେପ ହେଉଛି, ଜଳବାୟୁ ସମସ୍ୟା ମୁକାବିଲା କରିବାର କ୍ଷମତା ଥିବା ସହରଗୁଡ଼ିକ ପାଇଁ ଏକ ସାଧନ ଭାବେ ଏଆଇର ସମ୍ଭାବ୍ୟ ପ୍ରୟୋଗ ବିଷୟରେ ବୁଝାମଣାକୁ ଉନ୍ନତ କରିବାକୁ ହେବ। ଉଦାହରଣ ସ୍ବରୂପ, ବିପୁଳ ପରିମାଣର ତଥ୍ୟ ପରିଚାଳନା କରିବାର ଆହ୍ବାନ ହିଁ ଭବିଷ୍ୟତର ଜଳବାୟୁ ପରିସ୍ଥିତିକୁ ଠିକ୍ ଭାବରେ ମଡେଲିଂ କରିବା ଏବଂ ଯୋଜନାବଦ୍ଧ ନିଷ୍ପତ୍ତି ନେବାରେ ଏକ ପ୍ରମୁଖ ପ୍ରତିବନ୍ଧକ ବୋଲି ବିଚାର କରିବାକୁ ହେବ। ସୌଭାଗ୍ୟବଶତଃ ଏଆଇର ଶକ୍ତି ମାଧ୍ୟମରେ ମୂଳ ଢାଞ୍ଚା ଏବଂ ଭୌଗୋଳିକ ବିଶ୍ଳେଷଣ ଆମ ସହରଗୁଡ଼ିକୁ ଏକ ନୂତନ ଢଙ୍ଗରେ ଦୃଶ୍ୟମାନ କରାଇବାରେ ସାହାଯ୍ୟ କରିପାରେ।
ଅତ୍ୟଧିକ ପରିବର୍ତ୍ତନଶୀଳ ପାଣିପାଗ ଧାରାକୁ ସାମ୍ନା କରୁଥିବା ମହାନଗର ନିଗମଗୁଡ଼ିକର କଥା ବିଚାର କରନ୍ତୁ ।
ସମୟ, ଐତିହାସିକ ଜଳବାୟୁ ତଥ୍ୟ ଏବଂ ଏଆଇ ଚାଳିତ ପୂର୍ବାନୁମାନ କ୍ଷମତାକୁ ନେଇ ସରକାରଗୁଡ଼ିକ ବିପର୍ଯ୍ୟୟ ମୁକାବିଲା ଏବଂ ପ୍ରସ୍ତୁତି ପାଇଁ ନୂତନ ଉପକରଣ ଆପଣାଇପାରନ୍ତି। ଏହା ସହ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିର ସୁରକ୍ଷା ତଥା ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା ସମସ୍ତ ବ୍ୟକ୍ତି ଉତ୍ତମ ସୂଚନା ପାଇବେ ଏବଂ ପ୍ରସ୍ତୁତ ହୋଇପାରିବେ। ପ୍ରତ୍ୟେକ ସ୍ତରରେ ସହରର କାର୍ଯ୍ୟକୁ ଅଧିକ ପରିବେଶ ଉପଯୋଗୀ କରିବାରେ ଏଆଇ ସାହାଯ୍ୟ କରିବ ଓ ଏହାର ମଧ୍ୟ ସାମର୍ଥ୍ୟ ରହିଛି। ଏହାଦ୍ୱାରା ସହରଗୁଡ଼ିକରୁ ହେଉଥିବା ଅତ୍ୟଧିକ ନିର୍ଗମନ ଏବଂ ପରିବେଶଗତ ପ୍ରଭାବ ହ୍ରାସ କରିବ। ଇଣ୍ଟେଲିଜେଣ୍ଟ ସଫ୍ଟଓ୍ବେର ଆପ୍ଲିକେଶନ ଏଆଇକୁ ଏକୀଭୂତ କରି ବିଲ୍ଡିଂରେ ଶକ୍ତି ବ୍ୟବହାର, ଜଳ ଉପଯୋଗ ଏବଂ ବର୍ଜ୍ୟବସ୍ତୁ ପରିଚାଳନାକୁ ବିଶ୍ଳେଷଣ କରିପାରିବ। ଏହା ମଧ୍ୟ ଏକ ଦୃଷ୍ଟି କୋଣ ଯୋଗାଇ ଦେବ, ଯାହା ଜନସମୁଦାୟ ଏବଂ ସଂଗଠନଗୁଡ଼ିକୁ ପରିସଂସ୍ଥା ବିଷୟରେ ଅଧିକ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଅନୁମତି ଦେବ। ତେବେ ଉତ୍ତମ ମାନର ସବିଶେଷ ତଥ୍ୟ ସଂଗ୍ରହ, ସୁରକ୍ଷା ପଦକ୍ଷେପ (ସହର ଭିତ୍ତିଭୂମି ରକ୍ଷଣାବେକ୍ଷଣ)କୁ ତ୍ୱରାନ୍ବିତ କରିବା ପାଇଁ ସଂଯୋଜିତ ଉପକରଣଗୁଡ଼ିକର ବ୍ୟବହାର ପୂର୍ବାପେକ୍ଷା ସବୁଠୁ ଅଧିକ ପ୍ରଭାବଶାଳୀ ଏବଂ କାର୍ଯ୍ୟକ୍ଷମ ହୋଇପାରେ। ଏଆଇ ସହିତ ତଥ୍ୟର ବ୍ୟବହାର କରାଗଲେ ପ୍ରାଥମିକ ମନିଟରିଂ ଏବଂ ରିପୋର୍ଟିଂଠାରୁ ବହୁତ ଭଲ ପରିଣାମ ଦେବ। ସହରରେ ଏଆଇର ପ୍ରୟୋଗସବୁ ଏତିକିରେ ଅଟକି ଯାଇନି। ଅଧିକ ପରିବେଶ ଉପଯୋଗୀ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥା ହାସଲ କରିବା ପାଇଁ ସାର୍ବଜନୀନ ପରିବହନ ଏବଂ ଟ୍ରାଫିକ୍ ଯୋଜନାକୁ ଅନୁକୂଳ କରିବାରେ ଟେକ୍ନୋଲୋଜିର ସାମର୍ଥ୍ୟ ରହିଛି। ଅତି ଦରକାରୀ ସବୁଜ ଅଞ୍ଚଳ ବୃଦ୍ଧି କରିବା ପାଇଁ ସର୍ବୋତ୍ତମ ସ୍ଥାନ ଚିହ୍ନଟ କରିବାରେ ଏଆଇ ସାହାଯ୍ୟ କରୁଥିବାବେଳେ ସହରାଞ୍ଚଳ ଜୈବ ବିବିଧତା ଏବଂ ପ୍ରାକୃତିକ ସମ୍ପଦକୁ ସଂରକ୍ଷଣ କରିଥାଏ।
ସରକାର, ସାର୍ବଜନୀନ-ସେବା ପ୍ରଦାନକାରୀ ତଥା ଅଣଲାଭକାରୀ ବ୍ୟବସାୟୀମାନଙ୍କୁ ଏଆଇ ଉପକରଣ ପାଇବା ଏବଂ ଅନୁସନ୍ଧାନ କରିବାର ଅଧିକ ସୁଯୋଗ ରହିଛି। ତେବେ ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏବେ ୬୯% ସହର ସୃଜନାମତ୍କ ଏଆଇର ଅନୁସନ୍ଧାନ କିମ୍ବା ପରୀକ୍ଷଣ କରିସାରିଥିବାବେଳେ କେବଳ ୨% ଏହାକୁ ପ୍ରୟୋଗ କରୁଛନ୍ତି। ଆଇବିଏମ୍ର ଚିଫ୍ ଇମ୍ପାକ୍ଟ ଅଫିସରଙ୍କ ମତରେ ଏଆଇକୁ ପ୍ରଭାବୀ ଭାବେ ବ୍ୟବହାର କରିବାରେ କୌଶଳ ଓ ପ୍ରଯୁକ୍ତି ଉପଲବ୍ଧତା ବାଧକ ହୋଇପାରେ। ଜଣେ ଯଦି ଜଳବାୟୁଜନିତ ବିପଦର ଅସମାନ ବଣ୍ଟନକୁ ବିଚାର କରିବ, ତେବେ ଏଆଇର ଅଧିକ ଉପଲବ୍ଧତା ଜରୁରୀ ଥିବା ଜଣାପଡ଼ିବ। ଆମ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ଭଳି ସମସ୍ୟା ଏବଂ ସ୍ବଚ୍ଛ ଶକ୍ତିର ଅଭାବ ଗରିବ ଅସୁରକ୍ଷିତ ଲୋକଙ୍କୁ ଅତ୍ୟଧିକ ପ୍ରଭାବିତ କରିଥାଏ । ଏହି ସମୁଦାୟ ଏଆଇରୁ ଅଧିକ ଲାଭ ପାଇବେ। ବିପଦରେ ରହିଥିବା ଲୋକକୁ ସମର୍ଥନ କରିବା ପାଇଁ ଏଆଇ ବ୍ୟବହାର ଆମ ସମସ୍ତଙ୍କର ଦାୟିତ୍ୱ। ଏହାର ଅର୍ଥ ହେଉଛି ଜଳବାୟୁ ସାଧନ ପାଇଁ ସମାନ ସୁବିଧା ଯୋଗାଇବା, ଏଆଇ ଓ ତତ୍ ସମ୍ପର୍କିତ ପ୍ରଶିକ୍ଷଣକୁ ସମର୍ଥନ କରିବା ଏବଂ ସହରାଞ୍ଚଳର ସବୁଠୁ ଗରିବ ଜନସାଧାରଣଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ କରିବା ପାଇଁ ପରିକଳ୍ପିତ ପ୍ରୋଗ୍ରାମ୍ଗୁଡିକ ସୃଷ୍ଟି କରିବା। କୌଶଳ ବୃଦ୍ଧି କରିବା ବିଶେଷକରି ବିପଦରେ ଥିବା ସମୁଦାୟଙ୍କ ଉପରେ ଥିବା ଜଳବାୟୁ ପ୍ରଭାବ ହ୍ରାସ ଏବଂ ସାଧନ ଗ୍ରହଣୀୟତା ବଢ଼ାଇବାରେ ପ୍ରଶିକ୍ଷଣ ଏକ ପ୍ରମୁଖ ଭୂମିକା ନେବ। ବେସରକାରୀ ସଂସ୍ଥା ସାର୍ବଜନୀନ ଏଜେନ୍ସି ସହିତ ସହଭାଗିତା ଗଠନ କରି ଏବଂ ପୂର୍ବରୁ ଅସୁରକ୍ଷିତ ସମୁଦାୟକୁ ସହାୟତା କରିବାରେ ନିୟୋଜିତ ସଂସ୍ଥାଗୁଡ଼ିକ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିପାରିବ। ଏଆଇକୁ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇରେ ବ୍ୟବହାର କଲେ ତାହା ଆମ ସହରକୁ ଅଧିକ ନିରାପଦ, ଅଧିକ ଅନୁକୂଳ ଏବଂ ଅଧିକ ପରିବେଶ ଉପଯୋଗୀ ରଖିବାରେ ସାହାଯ୍ୟ କରିପାରିବ। ଜଳବାୟୁଜନିତ ଘଟଣାଗୁଡ଼ିକର ପୂର୍ବାନୁମାନ, ମୁକାବିଲା ଏବଂ ପୁନରୁଦ୍ଧାର ସକାଶେ ଲୋକଙ୍କୁ ସାଧନ ଯୋଗାଇ ଦେବା ପାଇଁ ଟେକ୍ନୋଲୋଜି ରହିଛି। କିନ୍ତୁ ଏହାକୁ କିଭଳି ଭଲ ଭାବେ ବ୍ୟବହାର କରାଯାଇପାରିବ ତାହା ଜନସମୁଦାୟ, ସରକାର ଏବଂ କମ୍ପାନୀଗୁଡ଼ିକ ଉପରେ ନିର୍ଭର କରେ।
- ଜଷ୍ଟିନା ନିକ୍ସନ-ସୈଣ୍ଟିଲ
ଉପ-ସଭାପତି ଏବଂ ଚିଫ୍
ଇମ୍ପାକ୍ଟ ଅଫିସର (ଆଇବିଏମ୍)