ଏଇ ଭାରତରେ

ଗଣେଶଙ୍କ ମୂର୍ତ୍ତି ଯେଉଁଠି ବିସର୍ଜନ ହେବ ସେଇଠି ଆପେ ଆପେ ଉଠିବ ଗଛଟିଏ ଏକଥା ଆଦୌ କାଳ୍ପନିକ ଅବା ମିଥ୍ୟା ନୁହେଁ। ଏମିତି ଏକ କଳ୍ପନାକୁ ରୂପ ଦେଇଛନ୍ତି ମଧ୍ୟପ୍ରଦେଶ ନର୍ମଦାପୁରମ ଜିଲାର ଇଟାରସୀ ସହର ବାସିନ୍ଦା ବିନୋଦ ଚୌଧୁରୀ। ସେ ଏଭଳି ଗଣେଶ ମୂର୍ତ୍ତି ସବୁ ତିଆରି କରିଛନ୍ତି, ଯାହାକୁ ବିସର୍ଜନ କରିବା ପରେ ସେଥିରୁ ଚାରାଟିଏ ଅଙ୍କୁରିତ ହୋଇପାରିବ। ବିନୋଦ ଷ୍ଟେସନ ମାଷ୍ଟର ଭାବେ କାମ କରନ୍ତି କିନ୍ତୁ ପ୍ରତିବର୍ଷ ସେ ଗଣେଶ ପୂଜା ପାଇଁ ଏକ ଥିମ୍‌ ନେଇ ମୂର୍ତ୍ତି ତିଆରି କରନ୍ତି। ଏବର୍ଷ ପରିବେଶ ସୁରକ୍ଷା ଦିଗକୁ ଚିନ୍ତାକରି ସେ ପ୍ରତ୍ୟେକ ଗଣେଶ ମୂର୍ତ୍ତି ଭିତରେ ଏକ ସିଡ ବଲ ରଖିଛନ୍ତି। ତେଣୁ ମୂର୍ତ୍ତି ବିସର୍ଜନ ସ୍ଥାନରେ ଗଛଟିଏ ସୃଷ୍ଟି ହୋଇପାରିବ। ମୂର୍ତ୍ତି ସବୁ ମାଟିରେ ତିଆରି ହୋଇଛି ଓ ସେଥିରେ ସେ କେବଳ ପ୍ରାକୃତିକ ରଙ୍ଗ ହିଁ ବ୍ୟବହାର କରିଛନ୍ତି ଆଉ ମୂର୍ତ୍ତି ଭିତରେ ରଖିଥିବା ସିଡ ବଲ ସବୁକୁ ବହୁ ପୂର୍ବରୁ ତିଆରି କରି ରଖିଥିଲେ। ତେବେ ମୂର୍ତ୍ତି ତିଆରି କରିବା ପାଇଁ ସେ ୭ ଦିନ ଛୁଟି ନେଇଛନ୍ତି ଓ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ଏହି କାମରେ ସହଯୋଗ ବି କରିଛନ୍ତି। ଗତବର୍ଷ ସେ ଭୋଟ୍‌ଦାନ ଅଧିକାରକୁ ନେଇ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ ଗଣେଶ ମୂର୍ତ୍ତି ତିଆରି କରିଥିଲେ। ଏବର୍ଷ ଏଭଳି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ତିଆରି କରିଛନ୍ତି।