ଏଇ ଭାରତରେ

ଉଚ୍ଚଶିକ୍ଷା ଲାଭକରି ଚାକିରି ଆଶା ରଖିଥିବା ପଞ୍ଜାବର ଫୁମାନ ସିଂଙ୍କ ପାଇଁ ବାଧକ ସାଜିଥିଲା ଦାରିଦ୍ର୍ୟ। ସେ ବିଏ ଦ୍ୱିତୀୟ ବର୍ଷରୁ ପାଠ ଛାଡିବାକୁ ବାଧ୍ୟ ହୋଇଥିଲେ। ପରେ ସେ ଚାଷ ଆରମ୍ଭ କରିଥିଲେ। ୩୦ ବର୍ଷ ହେଲା ସେ ଗାଜର ଚାଷ କରିଆସୁଛନ୍ତି। କପୁରଥାଲାର ପରମଜିତପୁର ଗାଁର ଫୁମାନ ଏବେ ଚାଷରୁ ବର୍ଷକୁ ୧ କୋଟି ଟଙ୍କା ରୋଜଗାର କରୁଛନ୍ତି। ଫୁମାନ ପ୍ରଥମେ ସାଢେ ଚାରି ଏକରରେ ଚାଷ ଆରମ୍ଭ କରି ତାହାକୁ ୩୭ ଏକରକୁ ବୃଦ୍ଧି କରିଛନ୍ତି। ଏହାବାଦ ଆଉ ୧୩ ଏକର ଜମି ଲିଜରେ ଆଣି ମୋଟରେ ସେ ୫୦ ଏକରର ଚାଷ କରୁଛନ୍ତି। ଏଥିପାଇଁ ସେ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇଛନ୍ତି। ଫୁମାନ ଓ ତାଙ୍କ ଦୁଇ ଭାଇଙ୍କ ଚାଷଜମିକୁ ମିଶାଇଲେ ମୋଟ ୮୦ ଏକର ଜମିରେ ଗାଜର ଚାଷ ହେଉଛି। ସେଥିରୁ ଏହି ଚାଷରେ ଫୁମାନଙ୍କ ପୁଅ ମଧ୍ୟ ସହଯୋଗ କରୁଛନ୍ତି। ପ୍ରଥମେ ଫୁମାନ ଧାନ ଓ ଗହମ ଚାଷ କରିଥିଲେ। ଗୋ-ପାଳନ ମଧ୍ୟ କରିଥିଲେ। ହେଲେ ଲାଭ କମ୍‌ ହେବାକୁ ସେ ସବୁ ଛାଡ଼ି ଗାଜର ଚାଷ କରି ଅଧିକ ଲାଭ ପାଉଛନ୍ତି। ଆଖପାଖ ଅଞ୍ଚଳରେ ଗାଜର ଚାଷ ବଢାଇବା ଲାଗି ଏକ ସିଡ୍‌ ବ୍ୟାଙ୍କ କରିଛନ୍ତି। ସ୍ଥାନୀୟ ଲୋକେ ଏବଂ ଦେଶର ବିଭିନ୍ନ ସ୍ଥାନରୁ ଚାଷୀମାନେ ତାଙ୍କଠାରୁ ଗାଜର ମଞ୍ଜି ନେଉଛନ୍ତି। ଏବେ ତାଙ୍କ ସିଡ୍‌ ବ୍ୟାଙ୍କରେ ଯେତିକି ବିହନ ମଞ୍ଜି ଅଛି ତାହା ୬୫୦ ଏକର ଚାଷ ହୋଇପାରିବ। ସେ ୧କେଜି ମଞ୍ଜିକୁ ୧,୦୦୦-୧,୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ତେବେ ୩୦ ବର୍ଷ ମଧ୍ୟରେ ଗାଜର ଚାଷ କେବେ ତାଙ୍କୁ କ୍ଷତିରେ ପକାଇ ନାହିଁ ବୋଲି କୁହନ୍ତି ଫୁମାନ।