ଏଇ ଭାରତରେ

କେବଳ ଶିକ୍ଷାଦାନରେ ସୀମିତ ନ ରହି ସ୍କୁଲର କଳେବର ବଦଳାଇବାରେ ପ୍ରମୁଖ ଭୂମିକା ନେଇଛନ୍ତି ମଧ୍ୟପ୍ରଦେଶର ଜଣେ ଶିକ୍ଷକ। ରାଜଗଡ଼ର ମୋହନପୁର କଲୋନିରେ ଥିବା ଇଣ୍ଟିଗ୍ରେଟେଡ୍‌ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚକରି ସ୍କୁଲରେ ରଙ୍ଗ ଦେଇଛନ୍ତି, ଏହାସହ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ସ୍କୁଲରେ ଏକ ଲାଇବ୍ରେରି ଓ ବଗିଚା କରିପାରିଛନ୍ତି। ଏହି ଲାଇବ୍ରେରିରେ ୨୦୦୦ରୁ ଅଧିକ ବହି ରହିଛି। ଏସବୁ କାର୍ଯ୍ୟ ପାଇଁ ସେ ମୋଟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମୋହନପୁର ଡ୍ୟାମ୍‌ ନିର୍ମାଣ ସମୟରେ ବିସ୍ଥାପିତଙ୍କ ପାଇଁ ମୋହନପୁର କଲୋନି କରାଯାଇ ସେଠାରେ ଏହି ସ୍କୁଲ ଖୋଲାଯାଇଥିଲା। ହେଲେ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ନ ଥିଲା। ସେ ସମୟରେ ସେହି ସ୍କୁଲରେ ମାତ୍ର ୨୩ ଜଣ ପିଲା ପଢୁଥିଲେ। ୨୦୧୮ରେ ଗୋପାଳ ଭାଲଓ୍ବାଲ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେବା ପରେ ସ୍କୁଲ ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା। ସ୍କୁଲକୁ ଆକର୍ଷଣୀୟ କରାଯିବା ପରେ ଏବେ ସେଠାରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି।