‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪‘ରେ ପ୍ରଥମ ସ୍ଥାନରେ ‘ହ୍ବାଟସଆପ୍‌ ୟୁନିଭରସିଟିର ଜ୍ଞାନ’, ବିଶ୍ୱ ପାଇଁ ଆଣୁଛି ବଡ ବିପଦ

ନୂଆଦିଲ୍ଲୀ,୧୨।୧: ଯଦି ଆପଣ ଅସ୍ତ୍ରଶସ୍ତ୍ର, ଯୁଦ୍ଧ ଏବଂ ବୋମା କିମ୍ବା ପ୍ରଦୂଷଣକୁ ଦୁନିଆ ପାଇଁ ବିପଜ୍ଜନକ ବୋଲି ଭାବୁଛନ୍ତି କି? ଯଦି ଏପରି ଭାବୁଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ଭୂଲ ଅଟେ। ଆଗାମୀ ୨ ବର୍ଷ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦପୂର୍ଣ୍ଣ ହେବାକୁ ଯାଉଛି। ତେବେ ଏହାର କାରଣ କୌଣସି ପ୍ରାକୃତିକ ଦୁର୍ବିପାକ ନୁହେଁ ତାହା ହେଉଛି ହ୍ବାଟସଆପ୍‌ ୟୁନିଭରସିଟି।

ସୂଚନାଥାଉ କି, ବିଶ୍ୱ ଅର୍ଥନୈତିକ ଫୋରମ ଏକ ରିପୋର୍ଟ ପ୍ରକାଶ କରିଛି। ‘ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪’ରେ, ଆସନ୍ତା ୨ବର୍ଷ ମଧ୍ୟରେ ବିଶ୍ୱ ସମ୍ମୁଖୀନ ହେବାକୁ ଥିବା ୧୦ଟି ବଡ ବିପଦ ଏଥିରେ ତାଲିକାଭୁକ୍ତ କରାଯାଇଛି। ତେବେ ଏଥିରେ ପ୍ରଥମରେ କାହାର ନାଁ ରହିଛି ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବିଶ୍ୱର ଟପ୍‌ ରିସ୍କ ରିପୋର୍ଟରେ ପ୍ରଥମ ସ୍ଥାନ ହ୍ବାଟସଆପ୍‌ ୟୁନିଭରସିଟି ଦଖଲ କରିଛି।

‘ଭୁଲ ସୂଚନା’ ବା ଫେକ୍‌ ନ୍ୟୁଜ ବିଶ୍ୱ ପାଇଁ କିପରି ସବୁଠାରୁ ବଡ ବିପଦ ସାଜିବାକୁ ଯାଉଛି ତାହା ବର୍ଣ୍ଣନା କରାଯାଇଛି। ଏହି ଭୁଲ ତଥ୍ୟ ବା ମିଥ୍ୟା ଖବର ହ୍ବାଟସଆପ୍‌ ୟୁନିଭରସିଟି ଦ୍ୱାରା ଆସିଥାଏ। ଯାହାର ତଥ୍ୟ ଗୋଟିଏ ଆଟମ ବମ୍‌ ସହ ସମାନ।

କଥାରେ ଅଛି, ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ବିଦ୍ୟା ବା ଏହି ଭୁଲ ତଥ୍ୟରେ ଗର୍ବ ଦେଖାଇବା ବିପଦ ସାଜିପାରେ। ଏହା ଏପରି ଏକ ସଂକ୍ରମଣ ପରି ଲୋକ-ଲୋକ ମଧ୍ୟରେ ମାଡି ଚାଲିଛି ଯାହାଦ୍ୱାରା କୋଟି କୋଟି ଲୋକଙ୍କ କ୍ଷତି ହେବାର ଆଶଙ୍କା ରହିଛି। ସମୟ ଏପରି କି, ଲୋକମାନେ ହ୍ବାଟସଆପ ୟୁନିଭରସିଟିରୁ ସଠିକ ତଥ୍ୟ ପାଇପାରୁ ନାହାଁନ୍ତି, କିଛି ଭୁଲ ତଥ୍ୟ ଯୋଗୁ ଅଳ୍ପ ବିଦ୍ୟା ଥିବା ଲୋକଙ୍କର ସଂଖ୍ୟା ତ ବଢୁଛି ହେଲେ ତାହା ଏକ ଟାଇମ୍‌ ବମ୍‌ ପରି ମାନବସମାଜର କ୍ଷୟକ୍ଷତି ପାଇଁ କାଊଣ୍ଟଡାଉନ୍‌ ଆରମ୍ଭ କରିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଆଗାମୀ ଭବିଷ୍ୟତରେ ‘ଫ୍ୟାକ୍ଟ ଚେକ’ର ଆବଶ୍ୟକତା ଆହୁରି ବୃଦ୍ଧି ପାଇବ।

ବିଶ୍ୱ ଅର୍ଥନୈତିକ ଫୋରମର ଗ୍ଲୋବାଲ ରିସ୍କ ରିପୋର୍ଟ -୨୦୨୪ ଲିଷ୍ଟକୁ ଆହୁରି ନିରେଖେଇ ଦେଖିଲେ ଫେକ୍‌ ନ୍ୟୁଜ ପରେ ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଆଗାମୀ ୧୦ ବର୍ଷର ପୂର୍ବାନୁମାନରେ, ଏହା ବିଶ୍ୱ ପାଇଁ ସବୁଠାରୁ ବଡ ବିପଦ ହେବ। ଭବିଷ୍ୟତରେ ‘ଜଳବାୟୁ ପରିବର୍ତ୍ତନ’ ଗୋଟିଏ ବିପଦ ଭାବେ ମାନବକୁଳ ଆଗରେ ଉଭା ହେବ।

ତାଲିକାରେ ସବୁଠାରୁ ବଡ ବିପଦ ଭାବରେ, ସମାଜ ମଧ୍ୟରେ ଧ୍ରୁବୀକରଣ ବୃଦ୍ଧି ତୃତୀୟ, ସାଇବର ଠକେଇ ଚତୁର୍ଥ, ଯୁଦ୍ଧ ପଞ୍ଚମ, ଲୋକଙ୍କ ପାଇଁ ଆର୍ଥିକ ସୁଯୋଗ ହ୍ରାସ ଷଷ୍ଠ, ମୁଦ୍ରାସ୍ଫୀତି ସପ୍ତମ, ବାଧ୍ୟତାମୂଳକ ପଳାୟନ ଅଷ୍ଟମ, ଅର୍ଥନୈତିକ ଅବନତିର ସମ୍ଭାବନା ନବମ ଏବଂ ପ୍ରଦୂଷଣ ଦଶମ ସ୍ଥାନରେ ବିବେଚନା କରାଯାଇଛି।

Share