କମ୍‌ ପାର୍ଶ୍ୱ ପ୍ରତିକ୍ରିୟାର ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ କରିବ ଏଆଇ

ଓଟାଓ୍ବା, ୨୦ା୮: ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇଛି। ଏହାରି ମଧ୍ୟରେ କାନାଡାର ମୈନିଟୋବା ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ଅଧ୍ୟୟନରେ ଏଆଇକୁ ବ୍ୟବହାର କରି କମ୍‌ ପାର୍ଶ୍ୱ ପ୍ରତିକ୍ରିୟା ଥିବା ଉତ୍ତମ ଆଣ୍ଟିବାୟୋଟିକ୍ସକୁ ବିକଶିତ କରିବାର ସମ୍ଭାବନାକୁ ଅନୁଧ୍ୟାନ କରିଛନ୍ତି। ଏକ୍ସପ୍ଲେନେବଲ ଏଆଇ(ଏକ୍ସଏଆଇ)କୁ ବ୍ୟବହାର କରି ଏହାଦ୍ୱାରା ଉନ୍ନତମାନର ଆଣ୍ଟିବାୟୋଟିକ୍ସ ତିଆରି ହୋଇପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି।

ସମ୍ପ୍ରତି ଭବିଷ୍ୟତ କହିପାରୁଥିବା ଏଆଇ ମଡେଲଗୁଡ଼ିକୁ ଯାଞ୍ଚ କରିବା ପାଇଁ ଗବେଷକମାନଙ୍କ ଦ୍ୱାରା ‘ଏକ୍ସଏଆଇ’କୁ ଅଧିକରୁ ଅଧିକ ବ୍ୟବହାର କରାଯାଉଛି। ଏହି ଅଧ୍ୟୟନରେ ଗବେଷକଙ୍କ ଟିମ୍‌ ସମ୍ଭାବ୍ୟ ନୂତନ ଆଣ୍ଟିବାୟୋଟିକ୍ସକୁ ଚିହ୍ନଟ କରିପାରୁଥିବା ଏଆଇ ଡ୍ରଗ୍ସ ଆବିଷ୍କାର ମଡେଲମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ‘ଏକ୍ସଏଆଇ’ର ବ୍ୟବହାର କରିଥିଲେ। ଜୈବିକ ପ୍ରଭାବକୁ ଅନୁମାନ କରିବା ପାଇଁ ବୈଜ୍ଞାନିକମାନେ ଡ୍ରଗ୍ସ ରାସାୟନିକ ଡେଟାବେସକୁ ଏଆଇ ମଡେଲରେ ପକାଇଥିଲେ। ଆଶ୍ଚର୍ଯ୍ୟଜନକଭାବେ ଏଆଇ ଏପରି ଉପାଦାନଗୁଡ଼ିକୁ ଆବିଷ୍କାର କରିଥିଲା, ଯାହା ମାନବ ରସାୟନ

ବିଜ୍ଞାନୀମାନଙ୍କ ଦ୍ୱାରା ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ ହୋଇନାହିଁ। ପେନ୍‌ସିଲିନ କମ୍ପାଉଣ୍ଡରେ ଅଣ କୋର୍‌ ଗଠନଗୁଡ଼ିକ ଏହାର କୋର୍‌ ଗଠନ ଅପେକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଏହି ଅଧ୍ୟୟନ କହିଛି। ଅଧ୍ୟୟନ କରୁଥିବା ଗବେଷକ ହଣ୍ଟର ଷ୍ଟର୍ମ କହିଛନ୍ତି, ” ଦକ୍ଷ ଆଣ୍ଟିବାୟୋଟିକ୍ସର ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରେଡିକ୍ଟିଭ ବା ପୂର୍ବାନୁମାନ ମଡେଲ ଜରୁରୀ ହୋଇଥାଏ। ରସାୟନ ବିଜ୍ଞାନ ଏବଂ ଡ୍ରଗ୍ସ ଆବିଷ୍କାର ପାଇଁ ଭବିଷ୍ୟତରେ ଏଆଇ ବହୁଳ ଭାବେ ବ୍ୟବହୃତ ହେବ।“

ସେହିପରି ମୈନିଟୋବା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ପ୍ରଫେସର ରେବେକା ଢେଭିସ୍‌ କହିଛନ୍ତି, ”ଏହି ଅଧ୍ୟୟନକୁ ବିଶ୍ୱସ୍ତରରେ ଗ୍ରହଣ କରାଯିବାର ଉତ୍ତମ ସମ୍ଭାବନା ରହିଛି। ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ଆମେରିକାର ଡେନ୍‌ଭର ସହରରେ ଆୟୋଜିତ ହେଉଥିବା ‘ଆମେରିକାନ୍‌ କେମିକାଲ୍‌ ସୋସାଇଟି(ଏସିଏସ୍‌) ଫଲ୍‌ ୨୦୨୪’ ବୈଠକରେ ଉକ୍ତ ଅଧ୍ୟୟନର ତଥ୍ୟକୁ ଉପସ୍ଥାପନ କରାଯିବ“।

Share