ଆଣବିକ ଅସ୍ତ୍ରରେ ଏଆଇ

ଆଣବିକ ଅସ୍ତ୍ର ପ୍ରଣାଳୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ପ୍ରୟୋଗକରିବା ଦୌଡ଼ ଏବେ ଜୋର ଧରିଛି। ଏ କ୍ଷେତ୍ରରେ ଅଗ୍ରଗତି ଯୋଗୁ ପରମାଣୁ ଯୁଦ୍ଧର ଅଧିକ ସମ୍ଭାବନା ବି ଦେଖାଦେଇପାରେ। ଏଆଇର ନିରାପଦ ବିକାଶ ଏବଂ ପ୍ରୟୋଗକୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱବ୍ୟାପୀ ସରକାରଗୁଡ଼ିକ କାର୍ଯ୍ୟ କଲେ ଏହି ବିପଦକୁ ହ୍ରାସ କରିବାର ଏକ ସୁଯୋଗ ଅଛି । କିନ୍ତୁ ଯଦି ବିଶ୍ୱର ନେତାମାନେ ଏଆଇଯୁକ୍ତ ଆଣବିକ ଶକ୍ତି ହାସଲ କରିବାକୁ ଚାହାନ୍ତି, ତେବେ ସେମାନେ ଏହାର ବିପଦ କେତେ ଗମ୍ଭୀର ତାହା ପ୍ରଥମରୁ ଜାଣିବା ଦରକାର। ନିକଟରେ କିଛି ମାସ ମଧ୍ୟରେ ଅତ୍ୟାଧୁନିକ ଏଆଇ ସିଷ୍ଟମ ବିକାଶ କରୁଥିବା ସଂସ୍ଥାଗୁଡ଼ିକ ପାଇଁ ଉଦ୍ଦିଷ୍ଟ ହିରୋସିମା ପ୍ରୋସେସ୍‌ ଇଣ୍ଟରନ୍ୟାଶନାଲ କୋଡ୍‌ ଅଫ୍‌ କଣ୍ଡକ୍ଟ ଉପରେ ଜି ୭ ସହମତ ହୋଇଛି। ବିଶ୍ୱରେ ସୁରକ୍ଷିତ, ନିରାପଦ ଓ ବିଶ୍ୱସନୀୟ ଏଆଇକୁ ପ୍ରୋତ୍ସାହିତ କରିବା ଲାଗି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସୁରକ୍ଷିତ ତଥା ନିରାପଦ ଏଆଇ ପାଇଁ ନୂଆ ମାନକ ନିର୍ଦ୍ଧାରଣକରି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ବ୍ରିଟେନ ମଧ୍ୟ ଏକ ସୁରକ୍ଷିତ ଓ ଉତ୍ତରଦାୟୀ ଟେକ୍ନୋଲୋଜି ବିକାଶ କରିବା ଲକ୍ଷ୍ୟରେ ପ୍ରଥମ ବିଶ୍ୱସ୍ତରୀୟ ଏଆଇ ସୁରକ୍ଷା ସମ୍ମିଳନୀ ଆୟୋଜନ କରିଥିଲା। କିନ୍ତୁ ଆଣବିକ ଅସ୍ତ୍ରଶସ୍ତ୍ର କ୍ଷେତ୍ରରେ ଏଆଇର ପ୍ରୟୋଗ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ଦୂରକରିବା ଲାଗି ଏହିସବୁ ପଦକ୍ଷେପ ପର୍ଯ୍ୟାପ୍ତ ନୁହେଁ। କେବଳ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ରାସାୟନିକ, ଜୈବିକ ଏବଂ ଆଣବିକ ବିପଦରୁ ଲୋକଙ୍କୁ ରକ୍ଷା କରିବା ଲାଗି ଉଭୟ ଜି ୭ ନିୟମାବଳୀ ଏବଂ ବାଇଡେନ୍‌ଙ୍କ ନିର୍ଦ୍ଦେଶନାମା ଆବଶ୍ୟକ ହେବ। ଏହାବ୍ୟତୀତ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଏଆଇ ଆପ୍ଲିକେଶନ ଜଡ଼ିତ ଆଣବିକ ଅସ୍ତ୍ର ଦ୍ୱାରା ସୃଷ୍ଟିହେବାକୁ ଯାଉଥିବା ବିପଦ କିଭଳି ଦୂରହେବା ସେ ସମ୍ପର୍କରେ ଆଦୌ କିଛି କହିଲେ ନାହିଁ। ଏପରିକି ସେ ଘୋଷଣା କରିଥିଲେ ଯେ, ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ବିପଦଗୁଡ଼ିକ ଉପରେ ଏଆଇ ସୁରକ୍ଷା ସମ୍ମିଳନୀରେ ଏକ ସହଭାଗୀ ବୁଝାମଣା ହୋଇଛି।
ଏବେ ଆଣବିକ ଅସ୍ତ୍ର ବ୍ୟବହାର ସମ୍ପର୍କିତ ବିପଦ ବିଷୟରେ ସମସ୍ତେ ଜାଣନ୍ତି। ଏହା ମାନବ ଜାତି ଓ ସମଗ୍ର ପୃଥିବୀର ବ୍ୟାପକ କ୍ଷତି କରିବ। ଏପରିକି ଆଞ୍ଚଳିକ କ୍ଷେତ୍ରରେ ସଂଘଟିତ ଏକ ଆଣବିକ ଯୁଦ୍ଧ ସିଧାସଳଖ ଅନେକ ଲକ୍ଷ ଲୋକଙ୍କ ମୃତ୍ୟୁର କାରଣ ହେବା ସହ ପରୋକ୍ଷ ଭାବେ ଅତ୍ୟଧିକ ଯନ୍ତ୍ରଣାଦାୟକ ହେବ ଓ ତାହା ଯୋଗୁ ମୃତ୍ୟୁ ଘଟିବ। ଏହା ପ୍ରଭାବରେ ଜଳବାୟୁରେ ଯେଉଁ ପରିବର୍ତ୍ତନ ଘଟିବ ତାହା ଦ୍ୱାରା ଅନେକ କୋଟି ଲୋକ କ୍ଷୁଧା ମଧ୍ୟକୁ ଠେଲି ହୋଇଯିବେ। ବହୁ ସମୟରେ ଦେଖାଯାଏ, ଜଣେ ବ୍ୟକ୍ତି ମେଶିନ ପ୍ରଦତ୍ତ ସୂଚନାକୁ ଅନ୍ଧଭାବେ ମାନି ନ ନେଇ ନିଜ ବିଚାରକୁ ଅନୁସରଣକଲେ ଏକ ବିପର୍ଯ୍ୟୟକୁ ଏଡ଼ାଇଦିଆଯାଇପାରେ। ୧୯୯୩ରେ ସୋଭିଏଟ୍‌ର ଅଧିକାରୀ ଷ୍ଟାନିସଲାଭ ପେଟ୍ରୋଭ ସଟେଲାଇଟ୍‌ ସିଷ୍ଟମରୁ ପ୍ରାରମ୍ଭିକ ସତର୍କ ସୂଚନା ପାଇଲେ ଯେ, ଆମେରିକାର ଆଣବିକ କ୍ଷେପଣାସ୍ତ୍ର ସୋଭିଏଟ୍‌ ମୁହଁା ହୋଇଛି। ସେ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ତତ୍‌କ୍ଷଣାତ ଏ ସମ୍ପର୍କରେ ଅବଗତ କରିଥିଲେ ଏକ ଆଣବିକ ଆକ୍ରମଣ ନିଶ୍ଚିତ ସୃଷ୍ଟି ହୋଇଥାଆନ୍ତା। ହେଲେ ଏଭଳି ନ କରି ପେଟ୍ରୋଭ ନିଶ୍ଚିତ ଥିଲେ ଯେ ଏହା ଏକ ଭୁଲ୍‌ ସତର୍କ ସୂଚନା ଥିଲା। ଯଦି ଆଣବିକ ଅସ୍ତ୍ର ସହ ଏଆଇ ଜଡ଼ିତ ରହିଥାଆନ୍ତା ତେବେ ପେଟ୍ରୋଭଙ୍କ ପାଖରେ ଏସବୁ କରିବା ଲାଗି ସୁଯୋଗ ଥାଆନ୍ତା କି? ବାସ୍ତବତା ହେଉଛି, ଆଣବିକ ଅସ୍ତ୍ର ସହ ଏଆଇକୁ ଜଡ଼ିତ କଲେ ତାହାକୁ ପ୍ରୟୋଗକରିବା ଲାଗି ନିଷ୍ପତ୍ତି ନେବାରେ ମାନବ ନିୟନ୍ତ୍ରଣ ହ୍ରାସ ହେବ।
ଅବଶ୍ୟ, ଆଣବିକ ଅସ୍ତ୍ର ଉଦ୍ଭାବନହେବା ପରଠାରୁ ଏହାର ନିୟନ୍ତ୍ରଣ ଏବଂ ଯୋଗାଯୋଗଭିତ୍ତିକ କାର୍ଯ୍ୟ ସ୍ବୟଂଚାଳିତ ହୋଇଛି । କିନ୍ତୁ ଏଆଇ ଅଗ୍ରଗତି ହେବା ଯୋଗୁ ନିଷ୍ପତ୍ତି ନେଉଥିବା ଉନ୍ନତ ମେଶିନ ପ୍ରକ୍ରିୟା ଅଧିକ ନିଷ୍କ୍ରିୟ ହୋଇଯାଉଛି, ଯାହାକୁ କୁହାଯାଉଛି ଏଆଇର ବ୍ଲାକ୍‌ ବକ୍ସ ସମସ୍ୟା । ଏହା ଯୋଗୁ ଯନ୍ତ୍ରର କାର୍ଯ୍ୟକଳାପ ଉପରେ ନଜର ରଖିବା ମଣିଷ ପାଇଁ କଷ୍ଟକର ହେଉଛି। ଜଣେ ବ୍ୟକ୍ତି ଅନ୍ତିମ ଉତ୍‌କ୍ଷେପଣର ନିଷ୍ପତ୍ତି ନିଶ୍ଚିତ କଲେ ମଧ୍ୟ ତାହା ଏହିସବୁ ବିପଦକୁ ହ୍ରାସ କରିପାରିବ ନାହିଁ। ୨୦୧୭ରେ ମନସ୍ତତ୍ତ୍ୱବିତ ଜନ୍‌ ହାଓ୍ବେଲେ ତାଙ୍କ ସିଦ୍ଧାନ୍ତରେ ସ୍ପଷ୍ଟ କରିଥିଲେ, ପର୍ଯ୍ୟବେକ୍ଷକ ନିୟନ୍ତ୍ରଣ ଦ୍ୱାରା ଲାଗୁ କରାଯାଇଥିବା ନିରୀକ୍ଷଣ ଏବଂ ପଦକ୍ଷେପ ନେବାରେ ମଣିଷ ବହୁ ଦୁର୍ବଳ। ତେବେ ୨୦୨୧ରେ ବିଜ୍ଞାନ ଓ ବୈଶ୍ୱିକ ସୁରକ୍ଷା ଉପରେ ପ୍ରିନ୍‌ଷ୍ଟନ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମ ଦର୍ଶାଇଥିଲା ଯେ, ଏଆଇ ଯଦି ସେନ୍ସର ଏବଂ ଟାର୍ଗେଟରେ ବ୍ୟବହୃତ ହୁଏ ତେବେ ଆକ୍ରମଣ କରାଯିବ କି ନାହିଁ ତାହା ପୂର୍ବରୁ ସ୍ଥିରୀକୃତ ସମୟ ଅବଧି ତୁଳନାରେ କମ୍‌ ସମୟ ନେବ। ନେତାଙ୍କ ଉପରେ ଥିବା ଚାପ ଭୁଲ୍‌ ଗଣନା କିମ୍ବା ଅସ୍ଥିର ନିଷ୍ପତ୍ତି ଆଶଙ୍କା ବଢ଼ାଇବ। ତଥାପି ଉପଗ୍ରହ ଏବଂ ଅନ୍ୟାନ୍ୟ ଗୁପ୍ତଚର ଚିହ୍ନଟ ପ୍ରଣାଳୀରେ ଏଆଇ ବ୍ୟବହାରରେ ଆଉ ଏକ ବିପଦ ସୃଷ୍ଟି ହୁଏ। ଏହାଦ୍ୱାରା ଆଣବିକ ଅସ୍ତ୍ର ଲୁଚାଇବା ଅଧିକ କଷ୍ଟସାଧ୍ୟ ହେବ।
ଏବେ ସୁଦ୍ଧା ବାଇଡେନ୍‌ଙ୍କ ନିର୍ଦ୍ଦେଶନାମା ଓ ଜି୭ର ନିୟମାବଳୀ ହିଁ ଆଣବିକ ଅସ୍ତ୍ରଶସ୍ତ୍ର ଉପରେ ନିୟନ୍ତ୍ରଣ ବଜାୟ ରଖିବା ନିଶ୍ଚିତ କରିବାରେ ବ୍ୟକ୍ତିଗତ ପ୍ରତିବଦ୍ଧତାଠାରୁ ଅଧିକ କରିପାରିନାହିଁ। କିନ୍ତୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି, ଘାତକ ସ୍ବୟଂଚାଳିତ ଅସ୍ତ୍ରଶସ୍ତ୍ର ବନ୍ଦ କରିବା ଉପରେ ଏକ ଆଇନସମ୍ମତ ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଥମ ପଦକ୍ଷେପ ସ୍ବରୂପ ଏହିପରି ଚୁକ୍ତିନାମା ଏକ ଆବଶ୍ୟକତା । ଏହା ବ୍ୟତୀତ ଆହୁରି ଅନେକ କିଛି କରାଯିବା ଦରକାର। ଯେତେବେଳେ ଆଣବିକ ଅସ୍ତ୍ରଶସ୍ତ୍ର ବିଷୟ ଆସେ ସେତେବେଳେ ବିକଶିତ ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୃଷ୍ଟି ହୋଇଥିବା ନୂତନ ବିପଦକୁ ଆକଳନ କରିବା, ହ୍ରାସ କରିବା କିମ୍ବା ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା କଦାପି ଯଥେଷ୍ଟ ହେବ ନାହିଁ । ଆମେ ଏହି ଅସ୍ତ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଆବଶ୍ୟକ ।
ଅର୍ଥାତ୍‌ ଆଣବିକ ନିରସ୍ତ୍ରୀକରଣ ଚୁକ୍ତିରେ ଯୋଗଦେଇ ଅଣୁଅସ୍ତ୍ରଶସ୍ତ୍ରକୁ ନିଷିଦ୍ଧ କରିବା ଏବଂ ବିଲୋପ କରିବା ପାଇଁ ସମସ୍ତ ସରକାର ପ୍ରତିଶ୍ରୁତି ଦେବା ଆବଶ୍ୟକ। ଏହା ଆଣବିକ ଅସ୍ତ୍ରରହିତ ଏକ ବିଶ୍ୱ ଆଡ଼କୁ ସ୍ପଷ୍ଟ ରାସ୍ତା ଦେଖାଇବ। ଏହାର ଅର୍ଥ ହେଉଛି, ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ରାଷ୍ଟ୍ରଗୁଡ଼ିକ ଏଭଳି ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ଏବଂ ପ୍ରସାରରେ ନିବେଶ ବନ୍ଦ କରିବା ଉଚିତ। କେବଳ ଆଣବିକ ଅସ୍ତ୍ରଶସ୍ତ୍ର ରହିବା ଦ୍ୱାରା ସୃଷ୍ଟି ହେଉଥିବା ବିପଦକୁ ଦୃଷ୍ଟିରେ ରଖି କରାଯାଉଥିବା ପ୍ରୟାସ ମୂଳତଃ ବୃଥା ହୋଇଛି। ଆମେ ଜାଣୁ ଯେ ସ୍ବୟଂଚାଳିତ ପଦ୍ଧତି ସଶସ୍ତ୍ର ସଂଘର୍ଷରେ ଭାଗନେବା ପ୍ରକ୍ରିୟାକୁ ହ୍ରାସ କରିପାରେ । ଯେତେବେଳେ ଏହା ଆଣବିକ ଅସ୍ତ୍ରରେ ପ୍ରୟୋଗ କରାଯାଏ, ଏଆଇ ବିପଦକୁ ଆଗରୁ ବଢ଼ାଇଦିଏ। ଏହା ଗୁରୁତ୍ୱପୂର୍ଣ୍ଣ ଯେ, ନୀତି ନିର୍ଦ୍ଧାରକ ଏବଂ ଜନସାଧାରଣ ଏହାକୁ ସ୍ବୀକାର କରିବା ଦରକାର। କେବଳ ପରମାଣୁ ଅସ୍ତ୍ରରେ ଏଆଇ ପ୍ରୟୋଗ ନ କରିବା ପାଇଁ ଉଦ୍ୟମରେ ସୀମିତ ନ ରହି ବରଂ ଏହିପରି ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଲାଗି ଲଢ଼େଇ କରିବା ଜରୁରୀ।

  • ମେଲିଶା ପାର୍‌କେ
    ଅଷ୍ଟ୍ରେଲିଆର ପୂର୍ବତନ ମନ୍ତ୍ରୀ( ଅନ୍ତର୍ଜାତୀୟ ବିକାଶ)