Categories: ଜାତୀୟ

ତାମିଲନାଡୁରେ ଭାଜପା ହାତ ଛାଡ଼ିଲା ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୯ା୯: ତାମିଲନାଡୁରେ ଭାଜପା ସହ ମେଣ୍ଟ ନ ଥିବା ଏଆଇଏଡିଏମ୍‌କେ ସୋମବାର ଘୋଷଣା କରିଛି। ମେଣ୍ଟ ସମ୍ପର୍କିତ କୌଣସି ନିଷ୍ପତ୍ତି ନିର୍ବାଚନ ବେଳେ ନିଆଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। ତାମିଲନାଡୁ ଭାଜପା ସଭାପତି ଆନ୍ନାମଲାଇଙ୍କୁ ଏଥିପାଇଁ ଏଆଇଏଡିଏମ୍‌କେ ଦାୟୀ କରିଛି। ଭାଜପା କ୍ୟାଡରମାନେ ମେଣ୍ଟ ସପକ୍ଷରେ ଥିବାବେଳେ ଆନ୍ନାମଲାଇ ଏହା ବିରୋଧରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି।
ଦୀର୍ଘଦିନ ଧରି ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ଅଂଶବିଶେଷ ରହିଥିଲା। ଗତ ଜୁଲାଇରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏନ୍‌ଡିଏ ବୈଠକରେ ଏହି ଦଳ ଯୋଗ ଦେଇଥିଲା। ତେବେ ଆନ୍ନାମଲାଇ ମେଣ୍ଟ ଚାହୁଁ ନାହାନ୍ତି। ସେ ସବୁବେଳେ ଆମ ନେତାମାନଙ୍କୁ ସମାଲୋଚନା କରୁଛନ୍ତି। ସେ ଭାଜପା ରାଜ୍ୟ ସଭାପତି ହେବାକୁ ଯୋଗ୍ୟ ନୁହନ୍ତି ବୋଲି ବରିଷ୍ଠ ଏଆଇଏଡିଏମ୍‌କେ ନେତା ଡି. ଜୟକୁମାର କହିଛନ୍ତି। ସେ ଆମ ନେତ୍ରୀ ଜୟଲଳିତାଙ୍କୁ ସମାଲୋଚନା କରିଆସୁଛନ୍ତି। ସେତେବେଳେ ଆମେ ଆନ୍ନାମଲାଇଙ୍କ ବିରୋଧରେ ପ୍ରସ୍ତାବ ଗୃହୀତ କରାଇଥିଲୁ। ନେତାମାନଙ୍କୁ ସମାଲୋଚନାକୁ ଆମେ ବରଦାସ୍ତ କରିପାରିବୁ ନାହିଁ ବୋଲି ଜୟକୁମାର କହିଛନ୍ତି। ଭାଜପା ସହ ମେଣ୍ଟ ଭାଙ୍ଗିବାର କୌଣସି ପ୍ରଭାବ ରାଜ୍ୟରେ ଦଳର ନିର୍ବାଚନୀ ଫଳାଫଳ ଉପରେ ପଡ଼ିବ ନାହିଁ। ଆଗାମୀ ନିର୍ବାଚନରେ ଏଆଇଏଡିଏମ୍‌କେ ନିଶ୍ଚୟ ଜିତିବ, ଭାଜପା ଖାତା ଖୋଲିପାରିବ ନାହିଁ ବୋଲି ଜୟକୁମାର କହିଛନ୍ତି।

Share