Categories: ଜାତୀୟ

ଭାଜପା ସହ ମେଣ୍ଟ କରିବ ନାହିଁ ଏଆଇଏଡିଏମ୍‌କେ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେଉଛି। ବିଭିନ୍ନ ପାର୍ଟି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ତେବେ ଆଗାମୀ ନିର୍ବାଚନରେ ଭାଜପା ସହ ମେଣ୍ଟ କରିବାକୁ ସ୍ପଷ୍ଟ ଭାବେ ମନା କରିଛି ଏଆଇଏଡିଏମ୍‌କେ। ଆମେ ଭାଜପା ସହ ମେଣ୍ଟ କରିବୁ ନାହିଁ ଏବଂ କେବଳ ନିର୍ବାଚନ ସମୟରେ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଦଳର ବରିଷ୍ଠ ନେତା ଡି ଜୟକୁମାର କହିଛନ୍ତି।
ଭାଜପା ରାଜ୍ୟ ମୁଖ୍ୟ କେ ଆନ୍ନାମଲାଇଙ୍କୁ ଟାର୍ଗେଟ୍‌ କରି ଜୟକୁମାର କହିଛନ୍ତି, ଆନ୍ନାମଲାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜେ ଜୟଲଳିତାଙ୍କ ସମେତ ଏଆଇଏଡିଏମ୍‌କେ ନେତାଙ୍କ ବିଷୟରେ ସମାଲୋଚନା କରିଛନ୍ତି। ଏହାକୁ ଦଳ ବରଦାସ୍ତ କରିବ ନାହିଁ। ଆନ୍ନାମଲାଇ ଏଆଇଏଡିଏମ୍‌କେ ସହିତ ମେଣ୍ଟ କରିବାକୁ ଚାହାଁନ୍ତି ନାହିଁ। କିନ୍ତୁ ଭାଜପା କର୍ମୀମାନେ ଆମ ସହ ମେଣ୍ଟ କରିବାକୁ ଚାହାଁନ୍ତି। କିନ୍ତୁ ଆମ ନେତାଙ୍କ ସମାଲୋଚନାକୁ ଆମେ ସହ୍ୟ କରିବୁ ନାହିଁ। ଭାଜପା ଏମିତି କରି ଭୋଟ ହାତେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

Share