Categories: ଖେଳ

ଏଆଇବିଏ ଚାମ୍ପିୟନ୍ସ ଆଣ୍ଡ ଭେଟେରାନ୍ସ କମିଟି: ମେରିକମ୍‌ ଅଧ୍ୟକ୍ଷ

ନୂଆଦିଲ୍ଲୀ,୪।୩(ପି.ଟି.): ୬ଥର ବିଶ୍ୱ ଚାମ୍ପିୟନଶିପ୍‌ ହାସଲ କରିଥିବା ଅଭିଜ୍ଞ ଭାରତୀୟ ବକ୍ସର ଏମ୍‌ସି ମେରିକମ୍‌ ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏଶନ (ଏଆଇବିଏ) ଚାମ୍ପିୟନ୍ସ ଓ ଭେଟେରାନ୍ସ କମିଟିର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ବକ୍ସିଂରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଗତବର୍ଷ ଡିସେମ୍ବରରେ ଏଆଇବିଏ ଏହି କମିଟି ଗଠନ କରିଥିଲା।
୩୭ ବର୍ଷୀୟ ମେରିକମ୍‌ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ଏଆଇବିଏ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ମତଦାନ ମାଧ୍ୟମରେ ମେରିକମ୍‌ଙ୍କୁ ହାଇପ୍ରୋଫାଇଲ ପଦ ପାଇଁ ଚୟନ କରିଥିଲେ। ଏ ନେଇ ଏଆଇବିଏ ସଭାପତି ଉମର କ୍ରେମ୍‌ଲେଭ ଘୋଷଣା କରିଛନ୍ତି। ପୂର୍ବରୁ ମେରିକମ୍‌ ଏକାଧିକବାର ଏଆଇବିଏର ବ୍ରାଣ୍ଡ୍‌ ଆମ୍ବାଡର ରହିଆସିଛନ୍ତି। ଏହି କମିଟିରେ ବିଶ୍ୱରେ ସମ୍ମାନନୀୟ କେତେଜଣ ସଫଳ ତଥା ଅଭିଜ୍ଞ ବକ୍ସରଙ୍କୁ ସାମିଲ କରାଯାଇଛି। ଅବଶ୍ୟ ପ୍ୟାନେଲର ଅନ୍ୟ ସଦସ୍ୟଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ମେରିକମ୍‌ ଏବେ ସ୍ପେନ୍‌ରେ ଏକ ଅନ୍ତର୍ଜାତୀୟ ବକ୍ସିଂ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ନୂଆ ପଦରେ ନିଯୁକ୍ତ ହୋଇଥିବାରୁ ସେ ଏଆଇବିଏଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମେରିକମ ମଧ୍ୟ ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ହାସଲ କରିଛନ୍ତି।

Share