Categories: ଜାତୀୟ

ଲୋକସଭା ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ଦଳୀୟ ନେତାଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ ,୨୩।୧୨: ଲୋକସଭା ନିର୍ବାଚନ ଆଉ କିଛିମାସ ବାକି ଥିବା ବେଳେ ଦଳୀୟ ନେତାମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଦିଲ୍ଲୀରେ ଦଳର ମୁଖ୍ୟକାର୍ଯ୍ୟଳୟରେ ବସିଥିବା ଏକ ରୁଦ୍ଧଦ୍ବାର ବୈଠକରେ ୨୦୨୪ ନିର୍ବାଚନ ପାଇଁ ମିଶନ ମୋଡରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି।

୨୦୧୯ ରେ ଦଳ ୩୦୩ ଆସନରେ ବିଜୟୀ ହୋଇଥିଲା ବେଳେ ୨୦୨୪ରେ ଏହାଠାରୁ ଅଧିକ ଆସନରେ ବିଜୟୀ ହେବା ପାଇଁ କାର୍ଯ୍ୟ କରିବାକୁ ଦଳୀୟ କର୍ମୀଙ୍କୁ ଆହ୍ବାନ ଦେଇଛନ୍ତି। ଏହା ସହିତ ସାମାଜିକ ଗଣମାଧ୍ୟମରେ ବିରୋଧୀଙ୍କ ବିଭିନ୍ନ ପ୍ରପାଗେଣ୍ଡାକୁ ତଥ୍ୟ ସହିତ ଦୃଢ଼ମନୋବଳରେ ଖଣ୍ଡନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଏହି ଦୁଇ ଦିନିଆ ବୈଠକରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜ୍ୟ ମୁଖିଆ, ରାଜ୍ୟ ପ୍ରଭାରୀ ଏବଂ ଅନ୍ୟ ବରିଷ୍ଠ ନେତା ମାନଙ୍କ ସହିତ ଷ୍ଟ୍ରାଟେଜି ବିଷୟରେ ଆଲୋଚନା ହୋଇଛି। ସେହିପରି ଦେଶବ୍ୟାପୀ ଚାଲିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରାକୁ ସଫଳ କରାଇବା ନିମନ୍ତେ କାର୍ଯ୍ୟ କରିବାକୁ ଏବଂ ଏହା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନାକ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ନେତାମାନଙ୍କୁ କୁହାଯାଇଛି।

ନିକଟରେ ତିନି ରାଜ୍ୟ ବିଧାନସଭା ନର୍ବାଚନରେ ବିଜୟ ପରେ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ବିଜୟୀ ହୋଇ ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି। ତିନି ରାଜ୍ୟରେ ବିଜୟ ଲାଭ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କେନ୍ଦ୍ରରେ ତୃତୀୟ ଥର କ୍ଷମତାକୁ ଫେରିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଥିଲେ।

Share