ଡଲାର, ଏସ୍‌ଡବ୍ଲ୍ୟୁଆଇଏଫ୍‌ଟିରୁ ନିର୍ଭରଶୀଳତା ହ୍ରାସ ଲକ୍ଷ୍ୟ

କାଜାନ,୨୩ା୧୦: ରୁଷିଆର କାଜାନ ସହରରେ ମଙ୍ଗଳବାରଠାରୁ ୩ ଦିନିଆ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଉକ୍ତ ସମିଟ୍‌ର ଆୟୋଜନ କରୁଥିବାବେଳେ ଏଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗଙ୍କ ସମେତ ଅନ୍ୟ ବିଶ୍ୱ ନେତାମାନେ ଯୋଗଦେଇଛନ୍ତି। ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ପାଉଥିବା ୟୁକ୍ରେନ୍‌ ସହ ରୁଷିଆର ଯୁଦ୍ଧ ୨ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଜାରି ରହିଥିବାବେଳେ ବହୁ ଦଶନ୍ଧି ପରେ ବିଶ୍ୱନେତାମାନଙ୍କୁ ନେଇ ସମ୍ମିଳନୀର ଆୟୋଜନ କରିବା ରୁଷିଆ ପାଇଁ ଏକ ବଡ଼ ସଫଳତା। ଏହି ସମ୍ମିଳନୀ ଜରିଆରେ ରୁଷିଆ ଏହା ପଛରେ ଗ୍ଲୋବାଲ ସାଉଥ୍‌ର ସମର୍ଥନ ରହିଥିବା ଦେଖାଇବାକୁ ଚାହିଁଛି।
ରୁଷିଆ, ଭାରତ, ଚାଇନା ଓ ଦକ୍ଷିଣ ଆଫ୍ରିକା ବ୍ରିକ୍ସର ସଦସ୍ୟ ରାଷ୍ଟ୍ର ହୋଇଥିବାବେଳେ ସମ୍ମିଳନୀରେ ୩୬ଟି ଦେଶରୁ ନେତାମାନେ ଯୋଗ ଦେଇଛନ୍ତି। ଇରାନ, ଇଜିପ୍ଟ, ଇଥିଓପିଆ, ୟୁନାଇଟେଡ୍‌ ଆରବ ଏମିରେଟ୍ସ ଏବଂ ସାଉଦି ଆରବ ଉକ୍ତ ଗୋଷ୍ଠୀର ସଦସ୍ୟତା ଗ୍ରହଣ କରିଥିବାବେଳେ ତୁର୍କୀ, ଆଜରବୈଜାନ ଏବଂ ମାଲେସିଆ ସଦସ୍ୟ ହେବା ପାଇଁ ଆବେଦନ କରିଛନ୍ତି।
ଅର୍ଥନୀତିରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆଧିପତ୍ୟ ବିସ୍ତାରକୁ ନେଇ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଅସନ୍ତୁଷ୍ଟ। ବିଶେଷକରି ୨୦୨୨ରେ ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ପରେ ଏହା ଉପରେ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଲଗାଇଥିଲେ, ଯାହାକୁ ନେଇ ଗ୍ଲୋବାଲ ସାଉଥ୍‌ର ଅନେକ ରାଷ୍ଟ୍ର ଚିନ୍ତାବ୍ୟକ୍ତ କରିଥିଲେ। ବିଶ୍ୱ ଅର୍ଥନୀତିକୁ ନିୟନ୍ତ୍ରଣ କରିବା ଲାଗି ପାଶ୍ଚାତ୍ୟ ଶକ୍ତି କଟକଣାକୁ ଅସ୍ତ୍ର କରୁଥିବା ସେମାନେ କହିଥିଲେ। ବ୍ରିକ୍ସ ସହଯୋଗୀମାନେ ଆମେରିକା ଡଲାର ଏବଂ ଆର୍ଥତ୍କ କାରବାର ଲାଗି ରହିଥିବା ଅନ୍ତର୍ଜାତୀୟ ମେସେଜିଂ ନେଟ୍‌ଓ୍ବର୍କ ଏସ୍‌ଡବ୍ଲ୍ୟୁଆଇଏଫ୍‌ଟି ବ୍ୟବସ୍ଥା ଉପରୁ ନିର୍ଭରଶୀଳତା କମାଇବାକୁ ଚାହାନ୍ତି। ୨୦୨୨ରୁ ରୁଷିଆର ବ୍ୟାଙ୍କଗୁଡ଼ିକ ଏହି ବ୍ୟବସ୍ଥାରୁ ବାଦ୍‌ ପଡ଼ିଛନ୍ତି। ଚାଇନା ଏସ୍‌ଡବ୍ଲ୍ୟୁଆଇଏଫ୍‌ଟି ପେମେଣ୍ଟ ସିଷ୍ଟମର ବିକଳ୍ପ ଆଣିଥିବାବେଳେ ଏହା ସୀମିତ ଉପଯୋଗ ହେଉଛି। ବ୍ରିକ୍ସ ସମ୍ମିଳନୀ ଅବସରରେ ପୁଟିନ୍‌ ୨୦ଟି ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ଗୁରୁବାର ପୁଟିନ୍‌ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Share